ଦିଲ୍ଲୀରେ ଓଡ଼ିଶାର ପଲ୍ଲୀ ଝିଅଙ୍କ କମାଲ୍ ! ପରେଡ୍ ପଡ଼ିଆରେ ୩ଶହ ୩୦ସିସି ବୁଲେଟରେ ଷ୍ଟଂଟ୍ ଦେଖାଇ ସାରା ଦେଶକୁ ଚମାକାଇ ଦେଇଥିଲେ ମହିଳା ଯବାନ

90

କନକ ବ୍ୟୁରୋ: ପୁତ୍ର ମୋହରେ ଅନ୍ଧ ହୋଇ, ଝିଅଙ୍କୁ ଅଲୋଡ଼ା ଭାବୁଥିବା ଲୋକଙ୍କୁ, ହୁଏତ ଏହି କାହାଣୀ ସେମାନଙ୍କ ଆଖି ଖୋଲିଦେବ । ନାରୀ ଆଜି ଅବଳା କିମ୍ବା ଦୁର୍ବଳା ହୋଇ ରହିନି । ଘରର ଚାରିକାନ୍ଥ ଭିତରୁ ବାହାରି ଆସି, ଆଜି ସେ ସଫଳତାର ଶିଖରରେ ପହଂଚିଛି । ଦେଶକୁ ସୁରକ୍ଷା ଦେଉଥିବା ସେହି ୩ ଜଣ ମହିଳା ଯବାନଙ୍କ କାହାଣୀ ଆମେ କହୁଛୁ । ଯେଉଁମାନେ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଦୁଃସାହାଶିକ ମୋଟର ସାଇକେଲ ଷ୍ଟଂଡ୍ ଦେଖାଇ ପୁରା ଦେଶବାସୀଙ୍କୁ ଚମକାଇ ଦେଇଥିଲେ । ଦିଲ୍ଲୀରେ ଝଲସି ଥିଲେ ଓଡ଼ିଶାର ପଲ୍ଲୀ ଝିଅ ।

ଜାନୁଆରୀ ୨୬ ପରେଡ.. ୬୯ତମ ଗଣତନ୍ତ୍ର ଦିବସରେ ଯେତେବେଳେ ଦିଲ୍ଲୀ ରାଜପଥରେ ନାରୀ ଶକ୍ତିର ଅପୂର୍ବ ପ୍ରଦର୍ଶନ କରିଥିଲେ ସୀମା ସୁରକ୍ଷା ବାହିନୀର ଏହି ମହିଳା ଯବାନ ସେତେବେଳେ ସାରା ଦେଶର ଆଖି ଲାଖି ଯାଇଥିଲା । ମୋଟର ସାଇକେଲ ଉପରେ ଅଦ୍ଭୁତ ସାହସ ଓ ସନ୍ତୁଳନ ଦେଖାଇଥିଲେ ମହିଳାମାନେ । ଯାହା ଦେଖି ମଣିଶ ନା ମେସିନ ବୁଝିବା କଷ୍ଟକର ହୋଇପଡୁଥିଲା । ୫ଟି ବୁଲେଟରେ ସବାର ୩୦ଜଣ ବିଏସଏଫ ମହିଳା ଯବାନ । ୫ଟି ପଦ୍ମ ପାଖୁଡାର ଆକୃତି ନେଇ ମାଡିଚାଲିଥିଲେ ଆଉ ଦେଖାଇଥିଲେ ନାରୀ ଶକ୍ତିର ନୂଆ ପରିଭାଷା । ଗୋଟିଏ ବାଇକରେ ଥିଲେ ୭ ଯବାନ । ପବନ ଚକିିର ଆକୃତି ନେଇ ମାଡିଚାଲିଥିଲେ ପରେଡ ପଡିଆରେ । କୋମଳ ହୃଦୟର ନାରୀ କେତେ ସାହସୀ ହୋଇପାରେ ଏଭଳି ଚିତାକର୍ଷକ ଷ୍ଟଂଟ ଜରିଆରେ ଦେଇଥିଲେ ତାର ପ୍ରମାଣ ।

ଜାଣିଲେ ଆଶ୍ଚର୍ଯ୍ୟ ହେବେ ଦିଲ୍ଲୀ ରାଜପଥରେ ନିଜ ପ୍ରତିଭାର ପାରଦର୍ଶିତା ପ୍ରଦର୍ଶନ କରିଥିବା ଏହି ମହିଳା ଯବାନଙ୍କ ଭିତରେ ବି ଥିଲେ ବଲାଙ୍ଗିର ଘସିଏନ ଗାଁର କ୍ରୀଷ୍ଣା ଗଡତିଆ । ୨୦୧୧ରେ ସେ ଭାରତୀୟ ସୀମା ସୁରକ୍ଷା ବାହିନୀରେ ଯୋଗ ଦେଇଥିବାବେଳେ ସୀମା ଭବାନୀ ଦଳରେ ସାମିଲ ହୋଇ ଦିଲ୍ଲୀ ପରେଡ ପଡିଆରେ ବି ପ୍ରଦର୍ଶନ କରିଛନ୍ତି ଚିତାକର୍ଷକ ଷ୍ଟଂଟ । ଯେଉଁଥିବାଇଁ ମହାମହିମ ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ତାଙ୍କ ଅଂଚଳବାସୀଙ୍କ ଯାଏଁ ମିଳିଛି ଭୁରିଭୁରି ପ୍ରଶଂସା ।

ସେହିପରି ସମ୍ବଲପୁର ଠେମରା ଗାଁର ଦୁଇ ଭଉଣୀ ଅନସୂୟା ଖେଡିଆ ଓ ସୁକମଣି ଖେଡିଆ ମଧ୍ୟ ଏହି ୧୧୩ ଜଣିଆ ଟିମରେ ସାମିଲ ହେବାର ଗୌରବ ଅର୍ଜନ କରିଥିଲେ । କମାଣ୍ଡୋ ଟ୍ରେନିଂ ନେଇଥିବା ସୀମା ସୁରକ୍ଷା ବଳର ଏହି ଦୁଇ ମହିଳା ଯବାନ ମାତ୍ର ୨୫ ଦିନର ପ୍ରଶିକ୍ଷଣ ପରେ ପରେଡ ପଡିଆରେ ପ୍ରଦର୍ଶନ କରିଥିଲେ ୩୩୦ ସିସି ରୟାଲ ଏନଫିଲ୍ଡ ବାଇକରେ ଆଖି ଲାଖିଗଲା ଭଳି ଷ୍ଟଂଟ ।

ଉଲ୍ଲେଖଥାଉ କି, ୨୦୧୫ରେ ପ୍ରଥମକରି ଦିଲ୍ଲୀ ରାଜପଥରେ ଜାତୀୟ ପରେଡରେ ଭାରତୀୟ ସ୍ଥଳସେନା, ବାୟୁ ସେନା ଓ ନୌସେନାର ମହିଳା ବାହିନୀକୁ ସାମିଲ କରାଯାଇଥିଲା । ଆଉ ଚଳିତବର୍ଷ ସୀମା ଭବାନୀ ପକ୍ଷରୁ ପ୍ରଦର୍ଶିିିତ ବାଇକ ଷ୍ଟଂଟରେ ଓଡିଶାର ୬ଜଣ ମହିଳା ଯବାନ ସାମିଲ ହୋଇ ସାରା ରାଜ୍ୟ ପାଇଁ ଗୌରବ ଆଣିଦେଇଥିଲେ ।