କାମଚଳା ଅର୍ଥମନ୍ତ୍ରୀଙ୍କ କାମଚଳା ବଜେଟକୁ କଂଗ୍ରେସର ସମାଲୋଚନା। ରାହୁଲ କହିଲେ, ଦୈନିକ ୧୭ ଟଙ୍କା ଦେଇ ଚାଷୀଙ୍କୁ କରାଯାଉଛି ଅପମାନ

ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ କହିଲେ, ଗରିବଙ୍କ ପାଇଁ କଂଗ୍ରେସର ଯୋଜନାକୁ ବଜେଟରେ କରାଯାଇଛି ନକଲ

168

ସଂସଦରେ ଆଗତ ହୋଇଛି ୨୦୧୯-୨୦ ଆର୍ଥିକ ବର୍ଷର ବଜେଟ । ସଂସଦରେ ଏହି କାମଚଳା ବଜେଟର ଉପସ୍ଥାପନ କରିଥିଲେ କାମଚଳା ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ । ସବୁ ବର୍ଗଙ୍କୁ ଖୁସି କରିବାକୁ ଯଥେଷ୍ଟ ପଦକ୍ଷେପ ନେଇ ଘୋଷଣା କରାଯାଇଥିବା ବେଳେ କୃଷକଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ବିଶେଷକରି ଆଗାମୀ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସରକାର ପ୍ରଥମେ ଦେଶର କୃଷକମାନଙ୍କୁ ପ୍ରଲୋଭିତ କରିବା ପାଇଁ ଉଦ୍ୟମ କରିଛନ୍ତି। ଯେଉଁ କୃଷକଙ୍କ ୨ ହେକ୍ଟର ଜମି ଥିବ ସେମାନଙ୍କୁ ବାର୍ଷିକ ୬ ହଜାର ଟଙ୍କାର ସହାୟତା ମିଳିବ। ତାହା ସମ୍ପୃକ୍ତ କୃଷକଙ୍କ ଜମାଖାତାରେ ସିଧାସଳଖ ଜମା ହେବ ବୋଲି ଆଜି ବଜେଟ୍ ଉପସ୍ଥାପନ ଅବସରରେ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ୩ଟି କିସ୍ତିରେ ଏହି ଟଙ୍କା ଯୋଗାଇ ଦିଆଯିବ।। ପିଛିଲା ଭାବେ ଏହି ବ୍ୟବସ୍ଥା ୨୦୧୮ ଡିସେମ୍ବର ୧ ତାରିଖରୁ ଲାଗୁ ହେବ। ଏଥିରେ ମୋଟ୍ ୧୨ କୋଟି କୃଷକ ଉପକୃତ ହେବେ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।

image courtesy – www.businesstoday.in

ଅନ୍ୟପକ୍ଷରେ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଅନ୍ତରୀଣ ବଜେଟ ଉପରେ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ ଗାନ୍ଧି ଚାଷୀଙ୍କୁ ଦିଆଯିବାକୁ ଥିବା ବାର୍ଷିକ ୬ ହଜାର ଟଙ୍କାର ଆର୍ଥିକ ସହାୟତା ଉପରେ ଟୁଇଟ୍ କରି କହିଛନ୍ତି କି, ମୋଦିଙ୍କର ୫ ବର୍ଷର ଅକ୍ଷମତା ଏବଂ ଅହଂକାର ଦ୍ୱାରା ଚାଷୀ ସଂପୂର୍ଣ୍ଣ ଭାବରେ ବରବାଦ ହୋଇସାରିଲେଣି । ଏବେ ତାଙ୍କୁ ପ୍ରତିଦିନ ୧୭ ଟଙ୍କା ଦେବା, ସେମାନଙ୍କର ଅକ୍ଳାନ୍ତ ପରିଶ୍ରମ ଏବଂ ସେମାନଙ୍କର ସମସ୍ତ ଦାବିକୁ ଅପମାନ କଲାଭଳି ବୋଲି କଂଗ୍ରେସ ସଭାପତି ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି ।

ସେହିପରି କଂଗ୍ରେସର ବରିଷ୍ଠ ନେବା ଏବଂ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ମଧ୍ୟ ଏହି ଅନ୍ତରୀଣ ବଜେଟକୁ କଡା ସମାଲୋଚନା କରି କହିଛନ୍ତି କି, କାମଚଳା ଅର୍ଥମନ୍ତ୍ରୀ କାମଚଳା ବଜେଟ୍ ଉପସ୍ଥାପନା କରି ଲୋକଙ୍କ ଧୈର୍ଯ୍ୟର ପରୀକ୍ଷା ନେଇଛନ୍ତି । ଗରିବଙ୍କ ପାଇଁ କଂଗ୍ରେସର ଯୋଜନାକୁ ବଜେଟରେ ନକଲ କରାଯାଇଛି । ଏହା ଅନ୍ତରୀଣ ବଜେଟ ନୁହେଁ ବରଂ ନିର୍ବାଚନ ପ୍ରଚାରର ଏକ ଭାଷଣ ଥିଲା ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ସମାଲୋଚନା କରି କହିଛନ୍ତି ।

ସେପଟେ, କୃଷକଙ୍କୁ ମିଳିବାକୁ ଥିବା ଆର୍ଥିକ ସହାୟତା ଉପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମତି ଶାହା ସରକାରଙ୍କୁ ବେଶ ପ୍ରଶଂସା କରିଛନ୍ତି ।  ସେ କହିଛନ୍ତି କି, ସରକାର ୭୫ ହଜାର କୋଟିର ବୋଝ ମୁଣ୍ଡାଇ ଚାଷୀଭାଇଙ୍କର ସହାୟତା କରିବାକୁ ଆଗେଇ ଆସିଛନ୍ତି ।  ଅମିତ ଶାହା କହିଛନ୍ତି କି,  ବ୍ୟାଙ୍କର ଋଣ କେବଳ ଥରେ ଛାଡ କରାଯାଇଥାଏ ଆଉ ଅଧାରୁ ଅଧିକ ଚାଷୀ, ଯେଉଁମାନେ କି ଋଣ ବି ନିଅନ୍ତିନି  ତାଙ୍କୁ ବି ଏହି ଯୋଜନାର ଲାଭ ମିଳିବ ।

 


ଶାହା ଆହୁରୀ ମଧ୍ୟ କହିଛନ୍ତି କି,  ଏହି ବଜେଟ୍ ସମାଜର ସବୁ ବର୍ଗର ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ କରାଯାଇଛି । ତେବେ ଚାଷୀ, ଶ୍ରମିକ, ମଧ୍ୟବିତ ବର୍ଗର ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଯେଉଁ ଉପେକ୍ଷା ରହିଥିଲା ତାହା ଏହି ବଜେଟ ଦ୍ୱାରା ପୁରଣ ହେବା ସହ ଦେଶର  କ୍ଷୁଦ୍ର ଚାଷୀଙ୍କୁ ୨-୨ ହଜାର ଲେଖାଏଁ ତିନୋଟି କିସ୍ତିରେ ୬ ହଜାର ଟଙ୍କା ବାର୍ଷିକ ପ୍ରଦାନ କରାଯିବ ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ୍ୟ  କହିଛନ୍ତି ।