ବଜେଟ -୨୦୧୮ର ସବୁଠୁ ବଡ ଘୋଷଣା । ଜାଣନ୍ତୁ ଗୋଟିଏ ସ୍ଥାନରେ । 

174

କନକ ବ୍ୟୁରୋ: କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଲୋକସଭାରେ ୨୦୧୮-୧୯ ଆର୍ଥିକ ବର୍ଷର ସାଧାରଣ ବଜେଟ ଆଗତ କରିଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହା ହେଉଛି ମୋଦି ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ । ଆସନ୍ତା ବର୍ଷ ସରକାର ଏକ ଲେଖାନୁଦାନ ଆଗତ କରିବେ । ଆହୁରି ମଧ୍ୟ ଏହା ହେଉଛି ଦେଶରେ ଜିଏସଟି ଲାଗୁ ହେବା ପରେ ପ୍ରଥମ ସାଧାରଣ ବଜେଟ । ଏହାକୁ ଦୃଷ୍ଟିରେ ରଖି ଅର୍ଥମନ୍ତ୍ରୀ ସ୍ୱାସ୍ଥ୍ୟସେବା, ଶିକ୍ଷା, ଭିତ୍ତିଭୂମି ବିକାଶ, ଅନେକ ନୂଆ ସୁବିଧା ସୁଯୋଗ ଘୋଷଣା କରିଛନ୍ତି ।

କୃଷକଙ୍କ ପାଇଁ ବଜେଟରେ ବ୍ୟବସ୍ଥା 

-ଜେଟଲିଙ୍କ ୨୦୧୮ ହିସାବ ନିକାଶରେ କୃଷି ଓ କୃଷକଙ୍କ ଉପରେ ଗୁରୁତ୍ୱ ଦିଆଯାଇଛି ।

-୧୧ ଲକ୍ଷ କୋଟିର କୃଷି ଋଣ ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।

-୨୦୨୨ ସୁଦ୍ଧା କୃଷକ ଆୟ ଦୁଇଗୁଣ ହେବ ।

-ଖରିଫ ଫସଲରେ ଏମଏସି ଉତ୍ପାଦନ ଖର୍ଚ୍ଚର ଦେଢ ଗୁଣା ହେବ । ସବୁ ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ଦିଆଯିବ ।

-ଜଳସେଚନ ପାଇଁ ୨୬ ଶହ କୋଟିର ପାଣ୍ଠି ବ୍ୟୟ ବରାଦ କରିଛନ୍ତି ଜେଟଲି । କୃଷି ଉତ୍ପାଦନ ବଢିବା କ୍ଷେତ୍ରରେ ଉଦ୍ୟମ ଜାରି ରହିଥିବା କହିଛନ୍ତି ଅର୍ଥମନ୍ତ୍ରୀ । ଦେଶର ଚାଷୀ ଖାଦ୍ୟ ଶସ୍ୟ ଉତ୍ପାଦନ ରେକର୍ଡ କରିଛି । ୨ଶହ ୭୫ ମିଲିୟନ ଟନ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଛି । କେବଳ ୩୦ କୋଟି ଟନର ଫଳ ଉତ୍ପାଦନ ହୋଇଛି ।

-କୃଷକର କୃଷି ଉତ୍ପାଦନ ବିକିବା ପାଇଁ ୨୨ ହଜାର ହାଟ କରାଯାଇଛି । କୃଷି ବଜାର ପାଇଁ ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ । ନୂଆ ଗ୍ରାମୀଣ ବଜାର ଇ-ନେମ ଖୋଲାଯିବ ।

-ଆଳୁ, ଟମାଟୋ ଓ ପିଆଜ ଚାଷୀଙ୍କ ପାଇଁ ଅପେରସନ ଗ୍ରୀନ ଯୋଜନା ଆରମ୍ଭ କରାଯିବ । ଆଳୁ, ଟମାଟୋ ଓ ପିଆଜ ଉତ୍ପାଦନ ବୃଦ୍ଧି ପାଇଁ ୫୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

-୪୨ ମେଗା ଫୁଡ ପାର୍କ କରାଯିବ । ପଶୁପାଳନ ଓ ମତ୍ସଚାଷ ପାଇଁ କିସାନ କ୍ରେଡିଟ କାର୍ଡ ଯୋଗାଇ ଦିଆଯିବ ।

-ଏ ବାବଦକୁ ଦୁଇଟି ଫାଣ୍ଠି ଜରିଆରେ ୧୦ କୋଟି ଖର୍ଚ୍ଚ କରାଯିବ । ବାଉଁଶକୁ ଜଙ୍ଗଲ ଠାରୁ ଅଲଗା କରାଯିବ । କେବଳ ବାଉଁଶ ଜଙ୍ଗଲ ପାଇଁ ୧ ହଜାର ୨ଶହ ୯୦ କୋଟି ଟଙ୍କା ଖର୍ଚ କରାଯିବ ।

ବଜେଟରେ ସ୍ୱାସ୍ଥ୍ୟସେବା ଉପରେ ସରକାରଙ୍କ ବଡ ଘୋଷଣା । 

-ଗଠନ ହେବ ହେଲଥ ୱେଲନେସ କେନ୍ଦ୍ର । ଏଥିପାଇଁ ୧୨ଶହ କୋଟି ପାଣ୍ଠି  ବ୍ୟୟ ବରାଦ କରାଯାଇଛି । ୧.୫ ଲକ୍ଷ୍ୟ ଆରୋଗ୍ୟ କେନ୍ଦ୍ର ଖୋଲାଯିବ ।

-ଦେଶର ୪୦ପ୍ରତିଶତ ଜନତାଙ୍କ ପାଇଁ ସରକାରୀ ସ୍ୱାସ୍ଥ୍ୟ ବୀମା ।  ଆୟୁଷ୍ମାନ ଯୋଜନାରେ  ମିଳିବ ସ୍ୱାସ୍ଥ୍ୟ ବୀମା । ୧୦କୋଟି  ଗରିବ ପରିବାରକୁ ହସ୍ପିଟାଲ ଖର୍ଚ ଦିଆଯିବ । ଯକ୍ଷ୍ମା ରୋଗୀଙ୍କୁ  ମାସିକ ମିଳିବ ୫ଶହ ଟଂକା ।

-୫୦କୋଟି ଲୋକଙ୍କୁ  ସରକାରୀ ସ୍ୱାସ୍ଥ୍ୟବୀମା । ଦେଶରେ ହେବ ୨୪ଟି ନୂଆ ମେଡିକାଲ କଲେଜ । ପ୍ରତି ପରିବାରକୁ ବର୍ଷକୁ  ୫ ଲକ୍ଷ ଟଂକାର ମାଗଣା ଚିକିତ୍ସା ସୁବିଧା ।

ବ୍ୟବସାୟ ଆରମ୍ଭ ପାଇଁ ସରକାରଙ୍କ ବଡ ଘୋଷଣା । ମୁଦ୍ରା ଯୋଜନାରେ ୩ଲକ୍ଷ କୋଟି ଟଙ୍କା । ନୂଆ କର୍ମଚାରୀଙ୍କ ପାଇଁ ଇପିଏଫ ବାବଦରେ ସରକାର ଦେବେ ୧୨ ପ୍ରତିଶତ । ଲଘୁ ଉଦ୍ୟୋଗ ପାଇଁ୩୭୯୪ କୋଟି  ଟଂକା ଖର୍ଚ ହେବ । ଦେଶରେ ୭୦ ଲକ୍ଷ ନୂଆ ନିଯୁକ୍ତି  ସୃଷ୍ଟି । ଧାର୍ମିକ ଓ ପର୍ଯ୍ୟଟନ ସହର ପାଇଁ ସରକାରଙ୍କ ବଡ ଘୋଷଣା । ହେରିଟେଜ ସିଟି ଯୋଜନାର  ଘୋଷଣା ।

ରେଳବାଇ ପାଇଁ ବଜେଟରେ ବ୍ୟବସ୍ଥା

. ରେଳ ବଜେଟ ପାଇଁ ୧.୪୮ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ

. ନିର୍ମାଣ ହେବ ୩ଶହ ନୂଆ ରେଳ ଇଂଜିନ

. ସବୁ ରେଳ ନେଟଓ୍ଵାର୍କକୁ ବ୍ରଡ ଗଜ ପରିଣତ କରାଯିବ ।

. ୩୬ଶହ କିଲୋମିଟର ରେଳଲାଇନର ନବୀକରଣ କରାଯିବ ।

. ସବୁ ଟ୍ରେନରେ ସିସିଟିଭି ଓ ଓ୍ଵାଇଫାଇ ସେବା

. ୬ଶହ ଷ୍ଟେସନର ଆଧୁନିକୀକରଣ କରାଯିବ ।

-୮ କୋଟି ଗରିବ ମହିଳାଙ୍କୁ ମାଗଣା ଗ୍ୟାସ କନେକ୍ସନ ଯୋଗାଇ ଦିଆଯାଇଛି । ଉଜ୍ୱଳା ଯୋଜନା ମାଧ୍ୟମରେ ଗ୍ୟାସ ଯୋଗାଇ ଦିଆଯାଇଛି । ୪ କୋଟି ଗରିବ ପରିବାରକୁ ହୋଇଛି ବିଜୁଳି ସଂଯୋଗ । ସୌଭାଗ୍ୟ ଯୋଜନାରେ ବିଜୁଳି ସଂଯୋଗ କରାଯିବ । ୬ କୋଟି ଶୌଚାଳୟ ନିର୍ମାଣ କରାଯାଇ ମହିଳାଙ୍କ ଗରିମା ବଢିଛି । ଚଳିତ ବର୍ଷ ଆଉ ୨କୋଟି ଶୌଚାଳୟ । ସବୁ ଗରିବଙ୍କୁ ୨୦୨୨ ସୁଦ୍ଧା ପକ୍କା ଘର ଯୋଗାଇ ଦିଆଯିବ । ପ୍ରଧାନ ଆବାସ ଯୋଜନାରେ ଘର ଦିଆଯିବ । ୫୧ ଲକ୍ଷ ନୂଆ ଘର ତିଆରି ଚାଲିଛି ।

ଏୟାରପୋର୍ଟ ସଂଖ୍ୟା ୫ଗୁଣା ବଢାଯିବ । ୯ଶହ ନୂଆ ବିମାନ କିଣାଯିବ । ବିଟ କଏନକୁ ବେଆଇନ କହିଲେ ଅର୍ଥମନ୍ତ୍ରୀ । ଦେଶରେ ବିଟ କଏନ ଚଳିବ ନାହିଁ ।  ପ୍ରତି କମ୍ପାନୀର ପରିଚୟ ପତ୍ର ହେବ । ୧୪ ସରକାରୀ କମ୍ପାନୀ ସେୟାର ବଜାରରେ ସାମିଲ ହେବ । ଦୁଇଟି ସରକାରୀ ବୀମା କମ୍ପାନୀ ସାମିଲ ହେବ ସେୟାର ବଜାରରେ ।

ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଦରମା ବଢିବ । ରାଷ୍ଟ୍ରପତିଙ୍କ ଦରମା ୫ଲକ୍ଷକୁ ବୃଦ୍ଧି । ରାଜ୍ୟପାଳଙ୍କ ଦରମା ୩.୫ଲକ୍ଷ ଓ ଉପରାଷ୍ଟ୍ରପତିଙ୍କ ଦରମା ୪ ଲକ୍ଷ ହେବ । ପ୍ରତି ୫ବର୍ଷରେ ସାଂସଦଙ୍କ  ଭତ୍ତା ବଢିବ ।ସୁନା ପାଇଁ ନୂଆ ନୀତି ଆସିବ । ସହଜ ହେବ ସୁନା କାରବାର । ପୁଣି ଆରମ୍ଭ ହେବ ଷ୍ଟାଣ୍ଡାର୍ଡ ଡିଡକ୍ସନ ପ୍ରକ୍ରିୟା । ୪୦ହଜାର ପର୍ଯ୍ୟନ୍ତ ଷ୍ଟାଣ୍ଡାର୍ଡ ଡିଡକ୍ସନ ରହିବ ।

ଆୟକରଆଦାୟ ୯୦ ହଜାର କୋଟିକୁ ବୃଦ୍ଧି । ପ୍ରତ୍ୟକ୍ଷ କର ଆଦାୟ ୧୨.୬ ପ୍ରତିଶତକୁ ବୃଦ୍ଧି ୨୦୧୭-୧୮ ପାଇଁ ସରାକାରୀ କ୍ଷତି ୫.୯୫ ଲକ୍ଷ କୋଟି । ବର୍ତମାନ ବିତୀୟ ନିଅଂଟ ରହିଛି  ୩.୫ ପ୍ରତିଶତ । ବିମୁଦ୍ରାକରଣ ଯୋଗୁ ଏକହଜାର କୋଟିରୁ ଅଧିକ ଟିକସ ଆଦାୟ । ଦେଶରେ କରଦାତାଙ୍କ  ସଂଖ୍ୟା ୧୯.୨୫ ଲକ୍ଷ ବୃଦ୍ଧି । କୃଷି ଉତ୍ପାଦନ କମ୍ପାନୀ ପାଇଁ ଶତପ୍ରତିଶତ କର ଛାଡ । କମ୍ପାନୀ ଉପରେ ଟାକ୍ସ ନେଇ  ସରକାରଙ୍କ ବଡ ଘୋଷଣା । ବଜେଟରେ କର୍ପୋରେଟ ଟାକ୍ସ ହ୍ରାସ କଲେ ସରକାର । ୨୫୦ କୋଟି ଟଂକା କାରବାର କରୁଥିବା କମ୍ପାନୀକୁ ୨୫ ପ୍ରତିଶତ ଟାକ୍ସ । ଆୟକର ଛାଡ ସୀମା ଅପରିବର୍ତିତ । ଜମାରାଶି ଉପରେ ବରିଷ୍ଠନାଗରିକଙ୍କ ପାଇଁ ୧୦ ହଜାରରୁ ୫୦ ପର୍ଯ୍ୟନ୍ତ ଛାଡ । ମଧ୍ୟମବର୍ଗଙ୍କ ପାଇଁ କରରେ କିଛି ବଡ ଛାଡ ନାହିଁ । ବରିଷ୍ଠ ନାଗରିକଙ୍କ ପାଇଁ କର ଛାଡ ଉପରେ ସରକାରଙ୍କ ବଡ ଘୋଷଣା । ୫୦ହଜାର ଟଂକା ଡିପୋଜିଟ ଉପରେ କର ଛାଡ ।

ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ୧ପ୍ରତିଶତ ସେସ ବଢିଲା । ୩ପ୍ରତିଶତରୁ ୪ପ୍ରତିଶତ ବଢିଲା ସେସ । ମୋବାଇଲ, ଟିଭି ହେଲା ମହଙ୍ଗା । ବଢିଲା କଷ୍ଟମ ଡ୍ୟୁଟି । ଶସ୍ତା ହେବ କାଜୁ ଦର । ଏଣିକି ଘରର ସବୁ ବିଲ ମହଙ୍ଗା ହେବ । କିଣାକିଣି କଲେ ସବୁ ବିଲ ବଢିବ ।