ସାମ୍ନାକୁ ଆସିଲା ବୃନ୍ଦା ସାହୁଙ୍କ ମୃତ୍ୟୁ ପୂର୍ବର ଭିଡିଓ କ୍ଲିପ୍ : ବିଜେପି ଉପରକୁ ଅଙ୍ଗୁଳି ଉଠାଇଲା ବିଜେଡି

26

କନକ ବ୍ୟୁରୋ : ଚାଷୀଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଉଛି କିଏ? ବରଗଡ ଚାଷୀ ବୃନ୍ଦା ସାହୁଙ୍କ ମୃତ୍ୟୁ ପୂର୍ବର ବୟାନକୁ ନେଇ ଏକ ଭିଡିଓ ଦେବା ସହ, ଏଭଳି ସାଂଘାତିକ ଅଭିଯୋଗ ଆଣିଛି ବିଜେଡି । ମନ୍ତ୍ରୀ ସୁଶାନ୍ତ ସିଂହ କହିଛନ୍ତି, ଚାଷୀଙ୍କୁ ଚରମ ପଦକ୍ଷେପ ନେବାପାଇଁ ପ୍ରବର୍ତ୍ତାଉଛି ଭାରତୀୟ ଜନତା ପାର୍ଟି । ଯାହାକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି । କାରଣ ଭିଡିଓରେ ଆତ୍ମହତ୍ୟା କରିବାକୁ ଖୋଲାଖୋଲି ଚେତାବନୀ ଦେଉଛନ୍ତି ବୃନ୍ଦା । ସେହିପରି ସରକାର କ୍ଷତିପୂରଣ ନଦେଲେ ବରଗଡରେ ବହୁ ସଂଖ୍ୟାରେ ଚାଷୀ ଆତ୍ମହତ୍ୟା କରିବେ ବୋଲି କୁହାଯାଇଛି । ତେଣୁ ଏହି ଭିଡିଓ କରିଥିବା ବ୍ୟକ୍ତିଙ୍କ ଭୂମିକା ଉପରେ ପ୍ରଶ୍ନଚିହ୍ନ ଲଗାଇଛି ବିଜୁ ଜନତା ଦଳ ।

ଚକଡା ପୋକ ଫସଲ ଉଜାଡି ଦେବା ପରେ ଏ ହେଉଛି ବରଗଡ କଳାପାଣିର ଚାଷୀ ବୃନ୍ଦା ସାହୁଙ୍କ ପୁଞ୍ଜିଭୂତ ଅସନ୍ତୋଷ । ସପ୍ତାହେ ଭିତରେ କ୍ଷତିପୂରଣ ନଦେଲେ ଆତ୍ମହତ୍ୟା କରିବେ ବୋଲି ପ୍ରଶାସନକୁ ଦେଉଛନ୍ତି ଖୋଲା ଚ୍ୟାଲେଞ୍ଜ । ବୃନ୍ଦା ନିଜ କ୍ଷେତରେ ବିଷ ପିଇ ଜୀବନ ହାରିଦେବା ପୂର୍ବରୁ ରେକର୍ଡ ହୋଇଥିଲା ଏହି ଭିଡିଓ । ଯାହାକୁ ଆଜି ଗଣମାଧ୍ୟମକୁ ଦେଇଛନ୍ତି ବରଗଡ ବିଜେଡିର ଯୁବନେତା ତଥା ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ । ଖାଲି ଭିଡିଓ ଦେଇନାହାନ୍ତି ବରଂ ଚାଷୀ ଆତ୍ମହତ୍ୟାକୁ ନେଇ ବିଜେପି ବିରୋଧରେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ ।

ଏହି ଭିଡିଓର ଆଉକିଛି ଅଂଶ ଅଛି , ଯେଉଁଥିରେ ଭିଡିଓ କରୁଥିବା ବ୍ୟକ୍ତିଜଣକ କହୁଛନ୍ତି ଯେ, ଚକଡା ପୋକ ଲାଗି ବରଗଡରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ ଯଦି ସରକାର ଭଲ କ୍ଷତିପୂରଣ ନଦିଅନ୍ତି ତାହେଲେ ବହୁ ସଂଖ୍ୟାରେ ଚାଷୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ । ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଇସାରା ଭିଡିଓ କରିଥିବା ଏହି ବ୍ୟକ୍ତିଙ୍କ ଆଡକୁ । ଚକଡା ପୋକ ଦାଉରୁ ହନ୍ତସନ୍ତ ହେଉଥିବା ଚାଷୀଙ୍କୁ, ବିଜେପି କର୍ମୀ ଏହିଭଳି ଉସୁକାଉଥିବା ସେ ସିଧାସଳଖ ଅଭିଯୋଗ ଆଣିଛନ୍ତି ।

ଧାନରେ ଚକଡା ପୋକ ଓ ଚାଷୀ ଆତ୍ମହତ୍ୟାର ସଂଗୀନ ପରିସ୍ଥିତି ଭିତରେ ବିଜେଡିର ଅଭିଯୋଗ ପୁରା ଘଟଣାକୁ ରାଜନୀତିର ଚକ୍ରବ୍ୟୁହ ଭିତରକୁ ଠେଲିଦେଇଛି । ଆଉ ଯଦି ଏହା ସତ ହୋଇଥାଏ ତେବେ ଖୁବ ସାଂଘାତିକ ।