ପୋକରା କ୍ଷେତ ପାଇଁ ପ୍ୟାକେଜ ଘୋଷଣା : କ୍ଷେତ ଜଳିଥିଲେ ମଧ୍ୟ ମିଳିବ କ୍ଷତିପୂରଣ, ରାଜ୍ୟ କୃଷି କ୍ୟାବିନେଟରେ ହେଲା ନିଷ୍ପତ୍ତି

35

କନକ ବ୍ୟୁରୋ : କ୍ଷେତ ଜାଳିଥିବା ଚାଷୀଙ୍କୁ କ୍ଷତିପୂରଣ ମିଳିବ ନାହିଁ ବୋଲି କୃଷିମନ୍ତ୍ରୀଙ୍କ ଘୋଷଣାକୁ ଖଣ୍ଡନ କରି ଆଜି କୃଷି କ୍ୟାବିନେଟ ପରେ ରାଜସ୍ୱ ମନ୍ତ୍ରୀଙ୍କ ସୂଚନା । ଚକଡା ପୋକଦ୍ୱାରା ପ୍ରଭାବିତ ସମସ୍ତ ଚାଷୀଙ୍କୁ ମିଳିବ ସରକାରୀ ସହାୟତା । ଚାଷ ଜମି ଜାଳିଦେଇଥିବା ଚାଷୀଙ୍କୁ ମଧ୍ୟ କ୍ଷତିପୂରଣ ମିଳିବ ବୋଲି ଘୋଷଣା କରିଛନ୍ତି ସରକାର । କୃଷିମନ୍ତ୍ରୀ ଦାମ ରାଉତ ଏ ସଂପର୍କିତ ଏକ ପ୍ରଶ୍ନର ଉତର ରଖୁଥିବାବେଳେ, ରାଜସ୍ୱ ମନ୍ତ୍ରୀ ଏହାର ଉତର ଗଣମାଧ୍ୟମ ସାମ୍ନାରେ ଦେଇଥିଲେ ।

FARMERଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କୃଷି କ୍ୟାବିନେଟ ବୈଠକ ପରେ ଏନେଇ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ପୂର୍ବରୁ ଘୋଷଣା ହୋଇଥିବା ମରୁଡି ସହାୟତା ଆଧାରରେ, ଚକଡା ପୋକ ଦ୍ୱାରା ପ୍ରଭାବିତ ଚାଷୀଙ୍କୁ ଇନପୁଟ ସବସିଡି ପ୍ରଦାନ କରାଯିବ । ଅର୍ଥାତ, ଜଳସେଚିତ ଜମି ପାଇଁ ୧୩ ହଜାର ୫୦୦ ଓ ଅଣଜଳସେଚିତ ଜମି ପାଇଁ ୬ ହଜାର ୮ଶହ ଟଙ୍କା ସହାୟତା ପାଇବେ ପ୍ରତ୍ୟେକ କ୍ଷତିଗ୍ରସ୍ତ ଚାଷୀ । ସେହିପରି କୀଟନାଶକ ଉପରେ ସବସିଡି ହାରକୁ ବୃଦ୍ଧି କରାଯାଇଛି । ପୂର୍ବରୁ ରୋଗପୋକ ପାଇଁ ୫୦ ପ୍ରତିଶତ ସବସିଡି ଦରରେ କୀଟନାଶକ ଦିଆଯାଉଥିବାବେଳେ ଏଣିକି ୭୫ ପ୍ରତିଶତ ସବସିଡି ପ୍ରଦାନ କରାଯିବ । ପ୍ରଭାବିତ ଅଂଚଳରେ ୫୦ ପ୍ରତିଶତ ରିହାତିରେ କୀଟନାଶକ ସିଂଚନ ମେସିନ ଯୋଗାଇ ଦିଆଯିବ ।

ଏଥିସହ ପ୍ରଭାବିତ ଅଂଚଳରେ ୫୦ ହଜାର ଚାଷୀଙ୍କୁ ବିକଳ୍ପ ଜୀବନଧାରଣ ପାଇଁ ସହାୟତା କରିବାକୁ କୁକୁଡା ଚିଆଁ ଓ ଫୁଡର କିଟ ଯୋଗାଇ ଦିଆଯିବ । ସେହିଭଳି ରବି ଚାଷ ଋଣ ପାଇଁ ୫ ହଜାର କୋଟି ଟଙ୍କା ରଖାଯାଇଛି ।ଏହାଛଡା ପୋକ ପାଇଁ ୩୩% ପ୍ରତିଶତରୁ ଅଧିକ କ୍ଷତିଗ୍ରସ୍ତ ଜମିରେ ୫୦% ଖଜଣା ଛାଡ ହେବ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି । ଚାଷ କ୍ଷତିଗ୍ରସ୍ତ ଅଞ୍ଚଳରେ ପିଲାଙ୍କ ଟ୍ୟୁସନ ଫି ଛାଡ କରିବାକୁ କୃଷି କ୍ୟାବିନେଟରେ ନିଷ୍ପତି ହୋଇଛି । ଏହାବାଦ ମରୁଡି ପ୍ରଭାବିତ ଅଂଚଳ ପାଇଁ ସରକାର ଯେଉଁସବୁ ଘୋଷଣା କରିଥିଲେ, ଚକଡା ପୋକ ଦ୍ୱାରା ପ୍ରଭାବିତ ଅଂଚଳର ଚାଷୀଙ୍କ ପାଇଁ ମଧ୍ୟ ସେହିସବୁ ଘୋଷଣା ଦୋହରାଇଛନ୍ତି ।

ଅନ୍ୟପଟେ ରାଜ୍ୟରେ ଚକଡା ପୋକ ଯୋଗୁଁ ଦେଖାଦେଇଥିବା ଚାଷୀ ସମସ୍ୟାକୁ ନେଇ ବିଜେଡି ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଫସଲ କ୍ଷତି ହେବା ପରେ ପ୍ୟାକେଜ ଘୋଷଣା ନକରି ଚାଷୀ ଆତ୍ମହତ୍ୟା ପର୍ଯ୍ୟନ୍ତ କାହିଁକି ସରକାର ଅପେକ୍ଷା କରିଥିଲେ ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର । ଡିବିଟି ଯୋଜନାରେ ଚାଷୀମାନଙ୍କୁ କାହିଁକି ସାମିଲ କରାଗଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ସେପଟେ ବିଜେଡି କହିଛି ସରକାରକୁ ଆସିବାର ସାଢେ ୩ ବର୍ଷ ପରେ ବି କାହିଁକି ସାରା ଦେଶରେ ଚାଷୀ ଆତ୍ମହତ୍ୟା ବଢି ଚାଲିଛି ତାର ଉତର ରଖୁନ୍ତୁ କେନ୍ଦ୍ରମନ୍ତ୍ରୀ ।