ସବୁ ସାଧନ ଥାଇ ମଜୁରିଆ ସାଜିଛି ବୌଦ୍ଧର ବୁଣାକାର । ଦଲାଲ ଓ ବ୍ୟବସାୟୀ ନେଉଛନ୍ତି ଫାଇଦା । ପ୍ରକୃତ ବୁଣାକାର ଦିନକୁ ପାଉଛି ଦେଢଶହ ଟଙ୍କାର ମଜୁରୀ

37

କନକ ବ୍ୟୁରୋ : କଳା ଅଛି, କୌଶଳ ଅଛି, ହେଲେ ଟଙ୍କା ନଥିବାରୁ ମଜୁରିଆ ପାଲଟିଛି ବୌଦ୍ଧ ଜିଲ୍ଲାର ବୁଣାକାର । ଅର୍ଥାଭାବ ଯୋଗୁଁ ଦଲାଲ ଏବଂ ବ୍ୟବସାୟୀ ନେଉଛନ୍ତି ଫାଇଦା । କିନ୍ତୁ ପ୍ରକୃତ ବୁଣାକାର ହାତକୁ ଆସୁଛି ମାତ୍ର ଶହେରୁ ୨ଶହ ଟଙ୍କାର ମଜୁରୀ । ସରକାରୀ ପ୍ରୋତ୍ସାହନର ଅଭାବ ଯୋଗୁଁ କୁଶଳୀ ବୁଣାକାର ନିଜ ପରିଶ୍ରମକୁ ବିକ୍ରି କରିବାକୁ ବାଧ୍ୟ ହେଉଛି ।

ଯେଉଁ ସମ୍ବଲପୁରୀ ପାଟ ଶାଢ଼ୀ ଦେଖିଲେ ମନ ଲାଖିଯାଏ, ଯାହାର ଚାହିଦା ଦେଶ- ବିଦେଶରେ ଖ୍ୟାତି ଅର୍ଜନ କରିଛି, ସେହି ପାଟ ଶାଢ଼ୀ ବୁଣୁଥିବା ବୁଣାକାର ଏବେ ବିପଦରେ ।ଅର୍ଥାଭାବ ଯୋଗୁଁ ଦଲାଲଙ୍କ ପାଖରେ ବନ୍ଧା ପଡ଼ିଛି ବୁକାକାରଙ୍କ ଶ୍ରମ । ନିଜେ ଆବଶ୍ୟକୀୟ ସରଞ୍ଜାମ ଯୋଗାଡ଼ କରିବାରେ ସମର୍ଥ ନଥିବାରୁ, ଯାହାର ଫାଇଦା ଦେଉଛନ୍ତି ମୁନାଫା ଖୋର ବ୍ୟବସାୟୀ ଏବଂ ଦଲାଲ୍ ।

ଭିତିଭୂମୀ ନିଜର, ପରିଶ୍ରମ ବି ନିଜର, ହେଲେ ଫାଇଦା ପାଉଛନ୍ତି ବ୍ୟବସାୟୀ । ବୌଦ୍ଧ ଜିଲ୍ଲାରେ ଦେଖିବାକୁ ମିଳୁଛି ଏଭଳି କିଛି ଚିତ୍ର । ଅଭାବ-ଅନଟନ ଯୋଗୁଁ ବୁଣାକାରମାନେ ପରିବାର ପ୍ରତିପୋଷଣ ପାଇଁ ବେପାରୀମାନଙ୍କ ପାଠପୁତୁଲି ସାଜିଛନ୍ତି । ଶାଢ଼ୀର ପୁରା ଦାମ ବଦଳରେ ପାଉଛନ୍ତି କେବଳ ପାରିଶ୍ରମ ଭାବରେ ଶହେରୁ ୨ଶହ ଟଙ୍କା ।

ଅନେକ ସୋସାଇଟିରେ ତାଲା ଝୁଲୁଛି, ଆଉ ଅଧିକାଂଶ କାଗଜକଲମରେ ଚାଲିଛି । ଯେଉଁଥି ପାଇଁ ଏହି ବୁଣାକାରମାନେ ଆର୍ଥିକ ସହାୟତା ଆଣି ନିଜେ ସ୍ୱାବଲମ୍ବି ହେବାରୁ ବଂଚିତ ହେଉଛନ୍ତି । ବୟନ ଶିଳ୍ପ ଏବଂ ବ୍ୟାଙ୍କକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ଆଉ କୌଣସି ଚାରା ନପାଇ ନିଜ ପରିଶ୍ରମକୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ବୁଣାକାର ।ପ୍ରଶାସନ ଏବଂ ସରକାର ଯଦି ସବୁ ଜାଣି ଆଖିବୁଜି ଦେବେ, ତାହେଲେ ଏମିତି ଓଡ଼଼ିଶାର ବୁଣାକାର ନିଜ ଘରେ ମଜୁରିଆ ପାଲଟି ଯିବେ ।