କରୋନା କଟକଣା ଭିତରେ ବଢୁଛି ଦାଦନ ଶ୍ରମିକଙ୍କ ସମସ୍ୟା : ତାଲାବନ୍ଦ ଭିତରେ ଆରମ୍ଭ ହେଲା ଘରବାହୁଡା, ଜାତୀୟ ରାଜପଥରେ ଶହ ଶହ ଶ୍ରମିକଙ୍କ ଭିଡକୁ ନେଇ ବଢିଲା ଚିନ୍ତା

1,765

କନକ ବ୍ୟୁରୋ : କରୋନା ଯୋଗୁଁ ଲାଗିଥିବା କଟକଣା ଅନେକଙ୍କ ପାଇଁ ଦୁର୍ଦ୍ଦଶା ନେଇ ଆସିଛି । ବିଶ୍ୱ ମହାମାରୀକୁ ରୋକିବା ପାଇଁ ଏହାକୁ ସମସ୍ତେ ସ୍ୱାଗତ ମଧ୍ୟ କରୁଛନ୍ତି । କିନ୍ତୁ ଅନେକ ଏହି ତାଲାବନ୍ଦ ଫଳରେ ଅସୁବିଧାରେ ମଧ୍ୟ ପଡୁଛନ୍ତି । ରାଜ୍ୟ ତଥା ରାଜ୍ୟ ବାହାରେ ଆଉ ଫସି ରହିଛନ୍ତ ହଜାର ହଜାର ଦାଦନ ଶ୍ରମିକ । ଗାଡି ଚାଲୁନଥିବାରୁ କେମିତି ଫେରିବେ ଘରକୁ । ଏହାରି ଭିତରେ ୩ ଜଣ ଯୁବକ ରାଜଧାନୀ ଭୁବନେଶ୍ୱରରୁ ଚାଲିଚାଲି ବାହାରିଛନ୍ତି କନ୍ଧମାଳ ଟିକାବାଲିକୁ । ଭୁବନେଶ୍ୱରରୁ ଟିକାବାଲି ଦୂରତା ପ୍ରାୟ ୨୫୦ କିମି । ମୁଣ୍ଡ ଉପରେ ପ୍ରବଳ ଖରା, ତଳେ ଡହ ଡହ ତାତି । ଗୋଡ ଫୋଟକା ହୋଇଗଲାଣି କିନ୍ତୁ ବାଟ ସରୁନି ।

ସେପଟେ ରାଉରକେଲାରେ ଠିକା ଶ୍ରମିକ ଭାବେ କାମ କରୁଥିବା ଉତ୍ତର ପ୍ରଦେଶର ୧୦ ଜଣ ଯୁବକ ଏବେ ବାହାରିଛନ୍ତି ନିଜ ଘର ଅଭିମୁଖେ । ଗାଡି ମଟର ଚାଲୁ ନଥିବା ବେଳେ ସେମାନେ ରାଉରକେଲାରୁ ଉତରପ୍ରଦେଶକୁପାଦରେ ଚାଲିଚାଲି ଯାଉଛନ୍ତି । ଗତକାଲି ରାତିରେ ସେମାନେ ଦୀର୍ଘ ୩୦ କିରୋମିଟର ବାଟ ଚାଲି ଚାଲି କୁଆରମୁଣ୍ଡାରେ ପହଞ୍ଚିଥିଲେ । ଭୋକ ଉପାସରେ ସେମାନେ ଚାଲିଛନ୍ତି । ଏପରିକି ପ୍ରଶାସନକୁ ଏନେଇ ସୂଚନା ଦେଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହେଉଛି । ଅନ୍ୟପଟେ ରାଜ୍ୟ ସରକାର ଅନ୍ୟ ରାଜ୍ୟ ମାନଙ୍କୁ ସେଠାରେ ଅଟକି ଥିବା ଓଡିଆଙ୍କ ପାଇଁ ସୁବିଧା କରିବାକୁ ଅନୁରୋଧ କରିଥିବା ବେଳେ ଅନ୍ୟ ରାଜ୍ୟର ବ୍ୟକ୍ତି ଓଡିଶାରେ ଅଟକି ରହିଥିଲେ ସେମାନଙ୍କ ସୁବିଧା କରିବା କଥା ଉଲ୍ଲେଖ କରିଛନ୍ତି ।