ଉଦଘାଟିତ ହେଲା ବହୁ ପ୍ରତୀକ୍ଷିତ ବମିଖାଲ ଓଭରବ୍ରିଜ୍ । ମୋଟ୍ ୪୪ କୋଟି ବ୍ୟୟରେ ନିର୍ମିତ ବ୍ରିଜ୍, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ।

253

କନକ ବ୍ୟୁରୋ: ଉଦଘାଟିତ ହେଲା ବହୁ ପ୍ରତୀକ୍ଷିତ ବମିଖାଲ ଓଭରବ୍ରିଜ । ୪୪ କୋଟି ଟଙ୍କା ବ୍ୟୟ ବରାଦରେ ନିର୍ମିତ ଏହି ଚର୍ଚ୍ଚିତ ବ୍ରିଜକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜେ ଓଭରବ୍ରିଜକୁ ବୁଲି ଦେଖିଛନ୍ତି । ଏହାସହ ବ୍ରିଜର ଚର୍ତୁପାଶ୍ୱର୍କୁ ରଙ୍ଗୀନ ଆଲୋକ ମାଳାରେ ସୁସଜ୍ଜିତ କରାଯାଇଥିବା ଦେଖିବାକୁ ମିଳିଛି ।

ବହୁପ୍ରତୀକ୍ଷିତ ଏହି ବମିଖାଲ ଓଭରବ୍ରିଜକୁ ୨୦୧୨ ମସିହାରୁ କାର୍ଯ୍ୟ ଆରମ୍ଭ ହୋଇଥିଲା । ଯେଉଁଥିରେ ବାରମ୍ବାର ତ୍ରୁଟି ଦେଖାଯାଇଥିଲା । ସବୁଠାରୁ ବଡ଼ କଥା ହେଲା ଯେ ଏହି ବ୍ରିଜ୍ ଦୁଇ ଥର ଭଷୁଡ଼ି ଜଣେ ଲୋକ ମୃତ୍ୟୁ ଏବଂ ଅନେକ ଆହାତ ହେବା ଘଟଣା ସାରା ରାଜ୍ୟରେ ଚହଳ ପକାଇଥିଲା । ଏହାପରେ ବ୍ରିଜ ନିର୍ମାଣ ଦାୟିତ୍ୱରେ ଥିବା ଠିକା ସଂସ୍ଥା ପଣ୍ଡା ଇନଫ୍ରାକୁ ରାଜ୍ୟ ସରକାର ବ୍ଲାକ ଆଉଟ କରିଥିଲେ । ପରେ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ଏହି ଓଭରବ୍ରିଜ କାର୍ଯ୍ୟ ହାତକୁ ନେଇଥିଲା । ଯାହାକି ମୋଟ୍ ୪୪ କୋଟି ଟଙ୍କା ବ୍ୟୟରେ ଦୀର୍ଘ ୭ ବର୍ଷ ପରେ ଶେଷ ହୋଇଛି ।

ନିର୍ମାଣ ହୋଇଥିବା ଏହି ବମିଖାଲ ଫ୍ଲାଏ ଓଭରବ୍ରିଜ ବମିଖାଲରୁ ସହିଦନଗର ଏବଂ ସହିଦନଗରରୁ ରସୁଲଗଡକୁ ଯାତାୟତ କରିହେବ । ସେପଟେ ଏହି ଫ୍ଲାଏ ଓଭର ୱାନ୍ ୱେ ହୋଇଥିବାରୁ ରାଜଧାନୀବାସୀଙ୍କ ମଧ୍ୟରେ ଏନେଇ କିଛି ଅସନ୍ତୋଷ ଦେଖାଦେଇଛି।