ଅଷ୍ଟ୍ରେଲିଆ ମାଟିରେ ଉଡିଲା ତ୍ରିରଙ୍ଗା, ଜାତୀୟ ସଙ୍ଗୀତରେ ପ୍ରକମ୍ପିତ ହେଲା ମେଲବୋର୍ଣ୍ଣ ସହର । ଦେଖନ୍ତୁ ଭିଡିଓ

69

ଅଷ୍ଟ୍ରେଲିଆ ମାଡିରେ ଉଡିଲା ତ୍ରିରଙ୍ଗା । ଜାତୀୟ ସଙ୍ଗୀତରେ ପ୍ରକମ୍ପିତ ହୋଇ ଉଠିଲା ମେଲବୋର୍ଣ୍ଣ ସହର । ମେଲବୋର୍ଣ୍ଣରେ ଅନୁଷ୍ଠିତ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ମେଲବୋର୍ଣ୍ଣ-୨୦୧୮ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବଲିଉଡ ଡିଭା ରାଣୀ ମୁଖାର୍ଜି ୭୨ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ମେଲବୋର୍ଣ୍ଣ ଫିଲ୍ମ ଫେଷ୍ଟିଭାଲ ସମାରୋହରେ ରାଣୀ ମୁଖାର୍ଜିଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯେଉଁ ବ୍ୟକ୍ତି ମୁଖ୍ୟ ଅତିଥି ହୋଇଥାନ୍ତି ସେମାନଙ୍କୁ ଜାତୀୟ ପତାକା ଉତ୍ତୋଳନ କରିବାର ସୁଯୋଗ ମିଳିଥାଏ । ରାଣୀଙ୍କୁ ଏହି ସୁଯୋଗ ମିଳିଥିବାରୁ ସେ କହିଥିଲେ, ଭାରତର ଜାତୀୟ ପତାକା ଉତ୍ତୋଳନ କରିବା ଏକ ସମ୍ମାନର ବିଷୟ । ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ । ଆଉ ଯଦି ଏହି ସୁଯୋଗ ବିଦେଶରେ ମିଳେ ତେବେ ଖୁସି ଦ୍ୱିଗୁଣିତ ହୋଇ ଯାଇଥାଏ ।

ଉଭୟ ଅଷ୍ଟ୍ରେଲିଆ ଓ ପ୍ରବାସୀ ଭାରତୀୟଙ୍କ ମେଳରେ ରାଣୀ ମୁଖାର୍ଜି ପତାକା ଉତ୍ତୋଳନ କରିବା ସହ ଜାତୀୟ ସଙ୍ଗୀତ ମଧ୍ୟ ଗାଇଥିଲେ । ଆଉ ଏହି ମୁହୂର୍ତ୍ତର ଭିଡିଓ ମଧ୍ୟ ନିଜ ଇନଷ୍ଟାଗ୍ରାମ ପେଜରେ ସେୟାର କରିଛନ୍ତି ରାଣୀ । ଏହି ଉତ୍ସବରେ ରାଣୀଙ୍କୁ ପାରମ୍ପରିକ ଲୁକରେ ଦେଖିବାକୁ ମିଳିଥିଲା । ଧଳା ରଙ୍ଗର ଏକ ଶାଢିରେ ନଜର ଆସିଥିଲେ ରାଣୀ ।