ଆଜି ଶ୍ରାବଣ ମାସର ଚତୁର୍ଥ ସୋମବାର ! ଶୈବାଳୟରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼

73

କନକ ବ୍ୟୁରୋ: ଆଜି ଶ୍ରାବଣ ମାସର ଶେଷ ତଥା ଚତୁର୍ଥ ସୋମବାର । ଆସନ୍ତା ସୋମବାରେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଏହି ସୋମବାରକୁ ହିଁ ଶେଷ ସୋମବାର ଭାବେ ମନାଯାଉଛି । ଏଥିପାଇଁ ରାଜ୍ୟର ସବୁ ଶୈବାପୀଠରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ହରହର ମହାଦେବଙ୍କ ଉପରେ ଜଳ ଲାଗି କରିବା ପାଇଁ ମନ୍ଦିରରେ କାଉଡ଼ିଆଙ୍କ ଗହଳି ଲାଗିଛି । ଧାଡି ଯାଇ ଭୋଳା ବାବାଙ୍କ ଉପରେ ପାଣି ଢାଳୁଛନ୍ତି କାଉଡ଼ିଆ । ଶ୍ରଦ୍ଧା ଓ ଭକ୍ତିର ସହ ନିଜ ମନସ୍କାମନା ପୂରଣ ପାଇଁ ବିଭିନ୍ନ ନଦୀ ଓ ଜଳାଶୟରୁ ପବିତ୍ର ଜଳ ଭାର ଆଣି ଭୋଳା ଶଙ୍କରଙ୍କୁ ଲାଗି କରୁଛନ୍ତି ଶ୍ରଦ୍ଧାଳୁ ।

ବିଶେଷ କରି ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ସମତେ ରାଜ୍ୟର ଅନ୍ୟ ଶୈବପୀଠଗୁଡିକରେ ଭକ୍ତଙ୍କ ଭିଡ଼ ଲାଗିଛି । ଏଥିପାଇଁ ଲିଙ୍ଗରାଜ ମନ୍ଦିରରେ ଦିନ ୧୨ଟା ଯାଏଁ ସାହାଣ ମେଲା ସହ କାଉଡିଆମାନେ ଜଳ ଲାଗି କରିବାର ବ୍ୟବସ୍ଥା ରହିଛି । ସେହିଭଳି ପୁରୀର ଲୋକନାଥ, କଟକର ଧବେଶ୍ୱଳର, ନୟାଗଡ଼ର ଲଡୁବାବା, ଭଦ୍ରକର ଆରଡ଼ି ଏବଂ ଢେଙ୍କାନାଳର କପିଳାସ ପୀଠ ସମେତ ରାଜ୍ୟର ସମସ୍ତ ପ୍ରମୁଖ ଶିବ ମନ୍ଦିରରେ କାଉଡ଼ିମାନେ ଜଳଲାଗି କରୁଛନ୍ତି । ସବୁଠି ପୋଲିସ୍ ଓ ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳିତ ଜଳ ଲାଗି ପାଇଁ ବ୍ୟବସ୍ଥା କରାଯାଇଛି ।