ବଲାଙ୍ଗୀରରେ ଶବକୁ ଅସମ୍ମାନ : ରାସ୍ତା କଡରେ ପଡିଛି ଏକାଧିକ ମୃତଦେହ, ଅଚିହ୍ନା ଶବଙ୍କୁ ଫୋପାଡି ଦେଉଛି ରେଳବାଇ ପୋଲିସ

29

କନକ ବ୍ୟୁରୋ: ଶବକୁ ବି ମିଳୁନି ସମ୍ମାନ । ସଂସ୍କାର ନହେଲେ ନାହିଁ ମାଟି ମୁଠାଏ ମଧ୍ୟ ମିଳୁନି । ରାସ୍ତା କଡରେ ବର୍ଜ୍ୟବସ୍ତୁ ଭଳି ଫିଙ୍ଗି ଦିଆଯାଉଛି ଅଚିହ୍ନା ମୃତ ଦେହକୁ । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଳାରେ । ବଲାଙ୍ଗୀରରୁ ଖୁଜେଲ ପାଲି ଯିବା ବାଟରେ ରାସ୍ତା କଡ ସତେ ଯେମିତି ମୃତ ଶରୀର ଡମ୍ପିଂୟାର୍ଡ ପାଲଟିଛି । ବୁଦି ବୁଦିକିଆ ଜଙ୍ଗଲ ଭିତରେ ଏଣେ ତେଣେ ପଡିଛି ଏକାଧିକ ଶବ । ତେବେ ଏହି ଶବମାନଙ୍କୁ କିଏ ଫିଙ୍ଗିଲା ଓ କେଉଁଠୁ ଆସିଲା ବୁଝୁବୁଝୁ ଜଣାପଡିଲା ଯେ ବଲାଙ୍ଗୀର ରେଳବାଇ ପୋଲିସ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଓ ଚିହ୍ନଟ ହୋଇପାରିନଥିବା ଶବକୁ ଏମିତି ଫିଙ୍ଗି ଦେଉଛି ।

ତେବେ ରେଳବାଇ ପୋଲିସ୍ ଦ୍ୱାରା ଶବମାନଙ୍କୁ ଫିଙ୍ଗାଯିବା ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରୟା ପ୍ରକାଶ ପାଇଛି । ଶବକୁ ସଂସ୍କାର କରିବା ପାଇଁ ସରକାରଙ୍କ ତରଫରୁ ଅର୍ଥ ବ୍ୟବସ୍ଥା ରହିଥିବାବେଳେ କାହିଁକି ଏଭଳି କରାଯାଉଛି ତାହାର ତଦନ୍ତ କରାଯିବା ସହ ଏମିତି କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଦଣ୍ଡ ମିଳିବା ଆବଶ୍ୟକ ବୋଲି କହିଛନ୍ତି ମାନବଅଧିକାର କର୍ମୀ ।