ଅଷ୍ଟମ ଦିନରେ ବ୍ଲକଗ୍ରାଂଟ ଶିକ୍ଷକଙ୍କ ଆନ୍ଦୋଳନ ! ଆଜିଠୁ ବ୍ଲକଗ୍ରାଂଟ ସ୍କୁଲ ଓ କଲେଜରେ ପାଠପଢା ବନ୍ଦ

47

କନକ ବ୍ୟୁରୋ : ଆଜିଠୁ ରାଜ୍ୟର ସମସ୍ତ ବ୍ଲକଗ୍ରାଂଟ୍ ସ୍କୁଲରେ ପାଠପଢା ବନ୍ଦ ହେବ । ରାଜଧାନୀ ରାଜରାସ୍ତାରେ ୮ ଦିନ ହେଲା ଆନ୍ଦୋଳନ କରୁଥିବା ଶିକ୍ଷକ ମଂଚ ଏଭଳି ଚରମ ନିଷ୍ପତି ନେଇଛି । ସରକାର ବ୍ଲକଗ୍ରାଂଟ୍ ଉଚ୍ଛେଦ କରି ପୂର୍ଣ୍ଣ ଅନୁଦାନ ନଦେବା ଯାଏଁ ପାଠପଢା ବନ୍ଦ କରିବାକୁ ଶିକ୍ଷକ ସଂଘ ନିଷ୍ପତି ନେଇଛି । ତେବେ ସରକାରଙ୍କୁ ଗତକାଲି ରାତି ଯାଏଁ ଡେଡଲାଇନ୍ ଦେଇଥିଲେ ଶିକ୍ଷକ । ଲଗାତର ୭ ଦିନର ଧାରଣା ପରେ ଗତକାଲି ପ୍ରାୟ ୫୦ ହଜାରରୁ ଅଧିକ ଶିକ୍ଷକ ପିଏମଜିରେ ଏକାଠି ହୋଇ ବିଶାଳ ସମାବେଶ କରିଥିଲେ ।

ମଙ୍ଗଳବାର ଶିକ୍ଷକ ଓ ଅଧ୍ୟାପକଙ୍କ ଏହି ମହାସମାବେଶରେ ସମିଲ ହୋଇ ‘ଆମ ଓଡ଼ିଶା’ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ, ରାଜ୍ୟର ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି । ୫ ହଜାରରୁ ଅଧିକ ସ୍କୁଲ, କଲେଜରେ ପାଠପଢ଼ା ପ୍ରଭାବିତ ହୋଇଛି । ବିଦ୍ୟାଳୟରେ ପିଲାଙ୍କୁ ଅଣ୍ଡା ଦେଇଦେଲେ କି ଦଣ୍ଡମୁକ୍ତ ଅଞ୍ଚଳ କରିଦେଲେ ଓଡ଼ିଆ ଛାତ୍ରଛାତ୍ରୀ ଆଗେଇ ପାରିବେ ନାହିଁ । ସେହିପରି ଟଙ୍କିକିଆ ଚାଉଳ ଦେଇ ଅନାହାର ମୃତ୍ୟୁ ସିନା ରୋକିହେବ, ହେଲେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇପାରିବ ନାହିଁ । ପିଲାଙ୍କ ମାନସିକତାର ବିକାଶ କ୍ଷେତ୍ରରେ ଶିକ୍ଷକଙ୍କର ପ୍ରମୁଖ ଭୂମିକା ରହିଛି ।

କିନ୍ତୁ ରାଜ୍ୟ ସରକାର ଶିକ୍ଷକଙ୍କୁ ଭାଗ ଭାଗ କରି ଶିକ୍ଷା ବ୍ୟବସ୍ଥାକୁ ବୁଡ଼ାଇ ଦେବାକୁ ଉଦ୍ୟମ କରୁଛନ୍ତି । ‘ସମାନ କାମକୁ ସମାନ ଦରମା’ ନ୍ୟାୟରେ ସବୁ ଶିକ୍ଷକଙ୍କୁ ନ୍ୟାୟ ପ୍ରଦାନ କରାଯାଉ । ଆଜି ସମାବେଶରେ ଯେଉଁ ପରିମାଣର ଶିକ୍ଷକ ଏକାଠି ହୋଇଛନ୍ତି ସେମାନେ ନିଜ ପେଟ ପାଇଁ ନୁହେଁ, ବରଂ ରାଜ୍ୟର ଶିକ୍ଷା ବ୍ୟବସ୍ଥା ପାଇଁ ଲଢ଼ୁଛନ୍ତି । ସେମାନଙ୍କ ସମସ୍ୟାର ସମାଧାନ କରିପାରିଲେ ମୁଖ୍ୟମନ୍ତ୍ରୀ ପ୍ରକୃତରେ ଶ୍ରେଷ୍ଠ ପ୍ରଶାସକର ମାନ୍ୟତା ପାଇବେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ସେହିପରି ବିଜେପି ଓ କଂଗ୍ରେସ ବି ଶିକ୍ଷକଙ୍କ ବିକ୍ଷୋଭକୁ ସମର୍ଥନ କରି ସମାବେଶରେ ସାମିଲ ହୋଇଥିଲେ । ଶିକ୍ଷକଙ୍କ ଦାବି ପ୍ରତି କାହିଁକି ସରକାର ଆଖି ବୁଜି ଦେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ।

ଶିକ୍ଷକଙ୍କ ଆନ୍ଦୋଳନକୁ ନେଇ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର କହିଛନ୍ତି, ସଂଘର କର୍ମକର୍ତ୍ତାଙ୍କ ସହ ଆଲୋଚନା ହୋଇଛି । ଆନ୍ଦୋଳନକାରୀଙ୍କ ନେତାଙ୍କୁ ଡକାଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ତେଣୁ ଶୀଘ୍ର ଶିକ୍ଷକଙ୍କ ସମସ୍ୟାର ସମାଧାନ ହେବ ବୋଲି ଆଶା ରଖିଥିବା କହିଛନ୍ତି ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର । ସେପଟେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ କହିଛନ୍ତି, ମୁଖ୍ୟମନ୍ତ୍ରୀ ଶିକ୍ଷକଙ୍କ ସମସ୍ୟା ବାବଦରେ ଅବଗତ ଅଛନ୍ତି । ତେଣୁ ଯେଉଁ ନିଷ୍ପତି ନିଆଯିବ ତାହା ଉଭୟ ଶିକ୍ଷକ ଓ ରାଜ୍ୟବାସୀଙ୍କୁ ସୁହାଇବ ।