ରାଜଧାନୀରେ ଆଜି ଗର୍ଜିବେ ହଜାର ହଜାର ଶିକ୍ଷକ ! ମିଳିତ ମଂଚର ମହାବିକ୍ଷୋଭ, ୫୦ ହଜାର ଶିକ୍ଷକଙ୍କ ସହ ସାମିଲ ହେବେ ଅଭିଭାବକ

29

କନକ ବ୍ୟୁରୋ : ଲୋୟର ପିଏମଜିରେ ଶିକ୍ଷକଙ୍କ ଧାରଣାର ଆଜି ସପ୍ତମ ଦିନ । ଆଜି ପ୍ରାୟ ୫୦ ହଜାରରୁ ଅଧିକ ଶିକ୍ଷକଙ୍କ ସମାବେଶ ହେବ ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ମିଳିତ ମଂଚ କହିଛି । ବ୍ଲକଗ୍ରାଂଟ୍ ଉଚ୍ଛେଦ ସହ ପୂର୍ଣ୍ଣ ଅନୁଦାନ ଦାବିରେ ଅଡି ବସିଛନ୍ତି ସ୍କୁଲ ଓ କଲେଜ ଶିକ୍ଷକ ମିଳିତ ମଂଚ । ପ୍ରଚଣ୍ଡ ଖରା ଓ ବର୍ଷାରେ ବି ରାଜରାସ୍ତାରେ ଜାରି ରହିଛି ଆନ୍ଦୋଳନ । ଶିକ୍ଷକଙ୍କ ଦାବି ପ୍ରତି ସରକାର ଧ୍ୟାନ ଦେଉନଥିବା ଅଭିଯୋଗ କରି ପୁଣି ବିଶାଳ ସମାବେଶ ଆୟୋଜନ କରିବ ମିଳିତ ମଂଚ । ଆଜି ହେବାକୁ ଥିବା ବିଶାଳ ସମାବେଶରେ ଶିକ୍ଷକଙ୍କ ସହ ଅଭିଭାବକ ମଧ୍ୟସାମିଲ ହେବେ ।

ସୁଚନାଯୋଗ୍ୟ ଏ ସମସ୍ୟାର ସମାଧାନ ପାଇଁ ଦୁଇ ଦିନ ପୂର୍ବରୁ ଲୋୟର ପିଏମଜିରେ ଓଡିଶା ସ୍କୁଲ କଲେଜ ଶିକ୍ଷକ ମିଳିତ ମଂଚଙ୍କୁ ଭେଟି ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ସରକାର ଆନ୍ଦୋଳନ ଉପରେ ଶୀଘ୍ର ନିର୍ଣ୍ଣୟ ନେବାକୁ ସେ ନିବେଦନ କରିଥିଲେ । ଓଡିଶାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ବର୍ତ୍ତମାନ ସହିତ ଖେଳାନଯାଉ ଏବଂ ଏ ସମସ୍ୟାର ସମାଧାନ ହେଲେ ଓଡିଶାବାସୀଙ୍କ ହିତରେ ଯିବ ବୋଲି ଧର୍ମେନ୍ଦ୍ର କହିଥିଲେ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଏନେଇ ଅବଗତ ଅଛନ୍ତି ଖୁବଶୀଘ୍ର ଏହାର ସମାଧାନ କରାଯିବ ବୋଲି ପ୍ରତିକ୍ରିୟା ରଖିଥିଲେ ଶାସକ ଦଳ ମୁଖ୍ୟ ସଚେତକ ଅମର ଶତପଥୀ । ତେବେ ଦେଖିବାକୁ ବାକି ରହିଲା ଶିକ୍ଷକଙ୍କ ଏ ସମସ୍ୟାର ସମାଧାନ ସରକାର କେତେ ଶୀଘ୍ର କରୁଛନ୍ତି । କାରଣ ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି ହଜାର ହଜାର ପିଲାଙ୍କ ଭବିଷ୍ୟତ ।