ଅଶାନ୍ତ ରେଭେନ୍ସା ବିଶ୍ୱବିଦ୍ୟାଳୟ ! ଛାତ୍ର ପରିଷଦ ଗଠନକୁ ବିରୋଧ କରି ଆଜି ବନ୍ଦ ଡାକରା

32

କନକ ବ୍ୟୁରୋ : ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ସଂସ୍କାରକୁ ତୀବ୍ର ବିରୋଧ ହେଉଛି । ଚଳିତଥର ଛାତ୍ର ସଂସଦ ପରିବର୍ତ୍ତେ ଛାତ୍ର ପରିଷଦ ନିର୍ବାଚନ କରାଯାଉଥିବାରୁ ଏହାକୁ ବିରୋଧ କରି ମୁହାଁମୁହିଁ ହୋଇଛନ୍ତି କୁଳପତି ଓ ଛାତ୍ରସଂଘ । ଗୋଟିଏ ପଟେ ଆଗାମୀ ଦୁଇଦିନ ଧରି ଛାତ୍ର ପରିଷଦ ନିର୍ବାଚନ ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରସ୍ତୁତି କରିଥିବାବେଳେ ୨୨ ଓ ୨୩ ତାରିଖରେ ରେଭେନ୍ସା ବନ୍ଦ ଡାକରା । ଛାତ୍ରଛାତ୍ରୀମାନେ କୁଳପତିଙ୍କ କୁଶପୁତ୍ତଳିକା ଦାହ କରିବା ସହ ଛାତ୍ର ସଂସଦ ନିର୍ବାଚନ ସଂସ୍କାରକୁ ବିରୋଧ କରି ଏହି ବନ୍ଦ ଡାକରା ଦେଇଛନ୍ତି ।

କ୍ଲାସ ଚାଲୁଥିବା ସମୟରେ ପ୍ରତିବାଦକାରୀ ଛାତ୍ରଗୋଷ୍ଠୀ ବଳପୂର୍ବକ କ୍ଲାସ ବନ୍ଦ୍ କରି ନିର୍ବାଚନ ବିପକ୍ଷରେ ପିଲାମାନଙ୍କୁ ପ୍ରବର୍ତ୍ତାଉଥିବା ଅଭିଯୋଗ ହୋଇଛି । ଛାତ୍ର ମାନଙ୍କ ଏକତା ଭାଙ୍ଗିବାକୁ ନିର୍ବାଚନ ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଥିବା ଅଭିଯୋଗ କରିଛନ୍ତି ପ୍ରତିବାଦକାରୀ ଛାତ୍ରଗୋଷ୍ଠୀ । ଏପରିକି ଆବଶ୍ୟକ ପଡିଲେ ରେଭେନ୍ସା ଫାଟକରେ ତାଲା ପଡିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ସେପଟେ ଛାତ୍ରଛାତ୍ରୀ ଆଇନକୁ ହାତକୁ ନେଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛନ୍ତି କୁଳପତି ।

ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ହେଉଛି ରେଭେନସା ବିଶ୍ୱବିଦ୍ୟାଳୟ । କିନ୍ତୁ ଗତ କିଛି ଦିନ ମଧ୍ୟରେ ଏଠାରେ ପାଠ କମ ଆଉ ଶାଠ ବେଶୀ ହେଉଛି । ବାରମ୍ବାର ଛାତ୍ର ବିଶୃଙ୍ଖଳା ଯୋଗୁଁ ପାଠପଢା ବ୍ୟାହତ ହେଉଛି । ଏପରିକି କିଛି ମାସ ତଳେ ଛାତ୍ର ବିଶୃଙ୍ଖଳାକୁ ନେଇ କୁଳପତି ଇସ୍ତଫା ଦେବା ଯାଏଁ କଥା ଯାଇଥିଲା । ବୁଝାସୁଝା ପରେ କୁଳପତି ତାଙ୍କ ଇସ୍ତଫା ପ୍ରତ୍ୟାହାର କରିଥିଲେ । କିନ୍ତୁ ବଡ ପ୍ରଶ୍ନ ହେଲା, ରାଜ୍ୟରେ ଏହି ପ୍ରମୁଖ ଅନୁଷ୍ଠାନରେ ସ୍ଥିତି ବିଗୁଡୁଛି କାହିଁକି । ରାଜନୈତିକ ହସ୍ତକ୍ଷେପ ହେଉଛି କାହିଁକି । ବାରମ୍ବାର ଖରାପ ଖବର ପାଇଁ ଏହି ବଡ ଶିକ୍ଷାନୁଷ୍ଠାନ ଶିରୋନାମାରେ ରହୁଛି କାହିଁକି । ସରକାର ଉତ୍କଳ ଓ ରେଭେନ୍ସା ଭଳି ଶିକ୍ଷାନୁଷ୍ଠାନରେ ଶୃଙ୍ଖଳା ରକ୍ଷା ପାଇଁ  ସେଭଳି ଉଦ୍ୟମ କରୁନାହାନ୍ତି କାହିଁକି ?