ସରକାରଙ୍କ ଚାକିରି ସର୍ତ୍ତାବଳୀ ବିରୋଧରେ ବ୍ଲକଗ୍ରାଂଟ୍ ଶିକ୍ଷକଙ୍କ ଗର୍ଜନ ! ଆଜି ଭୁବନେଶ୍ୱରରେ ଶକ୍ତି ପ୍ରଦର୍ଶନ

26

କନକ ବ୍ୟୁରୋ : ସରକାରଙ୍କ ଚାକିରି ସର୍ତ୍ତାବଳୀ ବିରୋଧରେ ଶିକ୍ଷକ ଗର୍ଜନ । ହଜାର ହଜାର ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷା କର୍ମଚାରୀଙ୍କୁ ନେଇ ପୁରୀରୁ ଆରମ୍ଭ ହୋଇଥିବା ରାଲି ଆଜି ଭୁବନେଶ୍ୱରରେ ପହଂଚିବ । ପଦଯାତ୍ରା ଭୁବନେଶ୍ୱରରେ ପହଂଚିବା ପରେ ଲୋୟର ପିଏମଜିରେ ମହା ସମାବେଶ ଅନୁଷ୍ଠିତ ହେବ । ଲୋୟର ପିଏମଜିଠାରେ ପ୍ରାୟ ୫୦ହଜାର ଶିକ୍ଷକ ଓ ଶିକ୍ଷା କର୍ମଚାରୀ ଏଥିରେ ସାମିଲ ହେବେ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବେ ମିଳିତ ମଂଚ । ସରକାରଙ୍କ ଚାକିରି ସର୍ତାବଳୀରେ ରହିଛି, କୌଣସି ଅଭିଯୋଗ ନେଇ ସରକାରଙ୍କ ବିରୋଧରେ କେ୍ାର୍ଟକୁ ଯାଇପାରିବେ ନାହିଁ ଶିକ୍ଷକ । ଯାହାକୁ ବିରୋଧ କରି ପୁରୀରେ ଏକାଠି ହୋଇଥିଲେ ପ୍ରାୟ ୧୦ ହଜାର ଶିକ୍ଷକ ଓ କର୍ମଚାରୀ ।

ଓଡ଼ିଶା ସ୍କୁଲ କଲେଜ୍‌ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ଅଭିନବ ଆନ୍ଦୋଳନ ଆରମ୍ଭ କରିଛି । ହଜାର ହଜାର ଶିକ୍ଷକ କର୍ମଚାରୀ ଆଜି ପୁରୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ ପଦଯାତ୍ରାରେ ବାହାରିଛନ୍ତି । ଚାଲି ଚାଲି ସେମାନେ ଭୁବନେଶ୍ୱରରେ ପହଞ୍ଚିବେ । ଅପରାହ୍ନ ୨ଟା ୩୦ ମିନିଟରେ ପୁରୀରୁ ବାହାରି ଚନ୍ଦନପୁର ରାସ୍ତା କଡ଼ରେ ରାତ୍ରିଯାପନ କରିଛନ୍ତି । ଆଜିଠାରୁ ସକାଳୁ ସେମାନେ ପୁଣି ଚାଲିବା ଆରମ୍ଭ କରିଛନ୍ତି ।  ଦେଶର ଭବିଷ୍ୟତ ଗଢ଼ୁଥିବା ଶିକ୍ଷକ ଶିକ୍ଷୟିତ୍ରୀ ଦାବି ହାସଲ ପାଇଁ ଏଭଳି ସଂଗ୍ରାମ କରିବା ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି ।

ସମଗ୍ର ରାଜ୍ୟରୁ ୬୦ ହଜାରରୁ ଊର୍ଦ୍ଧ୍ଵ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ଭୁବନେଶ୍ୱରରେ ଏକାଠି ହେବାକୁ ଯାଉଛନ୍ତି । ଆନ୍ଦୋଳନକାରୀମାନେ ଗାନ୍ଧୀମାର୍ଗ ପର୍ଯ୍ୟନ୍ତ ଯାଇ ସେଠାରେ ରାସ୍ତା ଅବରୋଧ କରି ଅହୋରାତ୍ର ଧାରଣା ଦେବେ । ଅନୁଦାନ ନିଅ, ସତ୍ୟପାଠ ଦିଅ ଏଭଳି ଡାକରା ଦେଇ ସରକାର ଶିକ୍ଷକମାନଙ୍କୁ ନ୍ୟାୟ ପାଇଁ କୋର୍ଟକୁ ଯିବା ବାଟ ବନ୍ଦ କରିଛନ୍ତି । ଏଣୁ ସରକାରଙ୍କ ଏହି ମେରିରାୟ ଶାସନ ପ୍ରତିବାଦରେ ଏଭଳି ଆନ୍ଦୋଳନ ଡାକରା ଦିଆଯାଇଛି ବୋଲି ଓଷ୍ଟାର ସାଧାରଣ ସମ୍ପାଦକ ତଥା ମିଳିତ ମଞ୍ଚର ଆବାହକ ପ୍ରକାଶ ଚନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି । ବାଛବିଚାର ନ କରି ସମସ୍ତ ସ୍କୁଲ କଲେଜରେ ବ୍ଲକଗ୍ରାଣ୍ଟ ଭଳି କୁତ୍ସିତ ପ୍ରଥାକୁ ଉଚ୍ଛେଦ କରିବା ସହ ଚାକିରି ସର୍ତ୍ତାବଳୀ ଲାଗୁ କରିବା, ସତ୍ୟପାଠ ପ୍ରସଙ୍ଗକୁ ହଟାଇବା, ଅନୁଦାନ ପ୍ରତ୍ୟାଶୀ ସମସ୍ତ ସ୍କୁଲ କଲେଜ୍‌କୁ ଅନୁଦାନ ଦେବା, ସପ୍ତମ ବେତନ କମିସନ ଲାଗୁ କରିବା ଦାବିରେ ଏହି ଆନ୍ଦୋଳନ ଆରମ୍ଭ ହୋଇଥିବା ସେ କହିଛନ୍ତି ।

୪୪୮ ବର୍ଗ କଲେଜ୍‌ ଅଧ୍ୟାପକ ସଂଘର ସଭାପତି ତଥା ମିଳିତ ମଞ୍ଚର ଆବାହକ ପବିତ୍ର ମହାଲା କହିଛନ୍ତି ଯେ ସରକାର ବାରମ୍ବାର ଅଧ୍ୟାପକମାନଙ୍କୁ ଆନ୍ଦୋଳନ କରିବାକୁ ବାଧ୍ୟ କରିଛନ୍ତି । ସେହିଭଳି ୬୬୨ ବର୍ଗ କଲେଜ୍‌ ଶିକ୍ଷକ ସଂଘର ସଭାପତି ତଥା ମିଳିତମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ଗୋଲକ ନାୟକ କହିଛନ୍ତି, ପ୍ରଶାସନିକ ଅଧିକାରୀଙ୍କ କାନକୁହା କଥାରେ ସରକାର ଚାଲିଛନ୍ତି । ବାସ୍ତବତାକୁ ଉପଲବ୍ଧି କରୁନାହାନ୍ତି । ଏହି ଆନ୍ଦୋଳନ ଫଳରେ ରାଜ୍ୟର ୬୦ ଭାଗ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାଘାତ ହୋଇଛି । ତେବେ ଏହି ବ୍ୟାଘାତ ପାଇଁ ସରକାର ହିଁ ଦାୟୀ ବୋଲି ସେ କହିଛନ୍ତି ।