ରାଜଧାନୀରେ ପଦ୍ମ ଫୁଟିଲା : ଭୁବନେଶ୍ୱର ଲୋକସଭା ଆସନରେ ବାଜିମାତ୍ କଲେ ଅପରାଜିତା, ୨୩୮୩୯ ଭୋଟ୍ ମାର୍ଜନରେ ଅକ୍ତିଆର କଲେ ଏକାମ୍ର କ୍ଷେତ୍ର

775

କନକ ବ୍ୟୁରୋ : ଗେରୁଆ ହେଲା ରାଜଧାନୀ ଭୁବନେଶ୍ୱର । ଭୁବନେଶ୍ୱର ଲୋକସଭା ଆସନରେ ବାଜି ମାରିନେଲେ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ । ଦୀର୍ଘ ଦିନ ହେବ ବିଜେଡ଼ିର ଦବଦବା ଥିବା ଆସନରେ ଶେଷର ପଦ୍ମ ଫୁଟିଛି । ରାଜଧାନୀରେ ଏଥର ଦେଖିବାକୁ ମିଳିଥିଲା କଡ଼ା ଟକ୍କର । ପ୍ରଶାସିକାଙ୍କୁ ଟକ୍କର ଦେଉଥିଲେ ଆଉ ଜଣେ ପ୍ରଶାସକ । ଆଉ ଉଭୟଙ୍କ ସହ ମୁକାବିଲା କରୁଥିଲେ କଂଗ୍ରେସ ସମର୍ଥନରେ ସିପିଆଇ(ଏମ୍) ପ୍ରାର୍ଥୀ ଜନାର୍ଦ୍ଦନ ପତି । ହେଲେ ବାଜି ମାରିନେଲେ ଅପରାଜିତା ଷଡ଼ଙ୍ଗୀ ।

ଭୋଟ ଗଣତି ସମୟରେୁ ହିଁ ଚିତ୍ର ସ୍ପଷ୍ଟ ହୋଇଯାଇଥିଲେ । ପ୍ରାୟ ସମସ୍ତ ରାଉଣ୍ଡରେ ଆଗୁଆ ଥିଲେ ବିଜେପି ପ୍ରାର୍ଥୀ  ଅପରାଜିତା ଷଡ଼ଙ୍ଗୀ । ପ୍ରଶାସିକାରୁ ରାଜନେତ୍ରୀ ବନିଥିବା  ଅପରାଜିତା ମୋଟ ୨୩୮୩୯ ଭୋଟ ମାର୍ଜିନରେ ନିକଟତମ ପ୍ରତିଦ୍ୱନ୍ଦି ତଥା ବିଜେଡ଼ି ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ପରାଜିତ କରିଛନ୍ତି । ମୋଟ ୪୮୬୯୯୧ଭୋଟରେ ବିଜୟୀ ହୋଇଛନ୍ତି ଅପରାଜିତା ଷଡ଼ଙ୍ଗୀ । ଅନ୍ୟପଟେ ଅରୁପ ପଟ୍ଟନାୟକଙ୍କୁ  ୪୬୩୧୫୨ ଭୋଟ୍ ମିଳିଛି । ମୋଟ ୧୪ ଜଣ ପ୍ରାର୍ଥୀ ମୈଦାନରେ ଥିବାବେଳେ ତୃତୀୟ ସ୍ଥାନରେ ଅଛନ୍ତି ସିପିଆଇ(ଏମ୍) ପ୍ରାର୍ଥୀ ଜନାର୍ଦ୍ଦନ ପତି । ତାଙ୍କୁ ମିଳିଛି ମାତ୍ର ୨୩୦୨୬  ଖଣ୍ଡ ଭୋଟ୍ ।

ସୂଚନାଯୋଗ୍ୟ ବିଜେଡି ଗଠନ ହେବା ଦିନ ଠାରୁ ଭୁବନେଶ୍ବର ଲୋକସଭା ନିର୍ବାଚନମଣ୍ଡଳୀ ବିଜେଡି ଦଖଲରେ ରହିଥିଲା । ୧୯୯୮ରୁ ୨୦୧୪ ମଧ୍ୟରେ ହୋଇଥିବା ପାଞ୍ଚଟି ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରସନ୍ନ ପାଟ୍ଟଶାଣୀ ବିଜୟ ଲାଭ କରିଆସୁଥିଲେ । ହେଲେ ଏଥର କିନ୍ତୁ ପ୍ରାର୍ଥୀ ବଦଳାଇଥିଲା ବିଜେଡ଼ି। ୧୯୯୮ ପୂର୍ବରୁ ହୋଇଥିବା ୧୧ଟି ସାଧାରଣ ନିର୍ବାଚନରେ କଂଗ୍ରେସ ୮ ଥର ଓ ସିପିଆଇ(ଏମ୍) ୩ ଥର ଏହି ନିର୍ବାଚନମଣ୍ଡଳୀକୁ ଦଖଲ କରିଥିଲେ । ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରସନ୍ନ ପାଟ୍ଟଶାଣୀ ପାଖାପାଖି ୨ ଲକ୍ଷ ଭୋଟରେ ବିଜୟୀ ହୋଇଥିଲେ ।