ବିଜେପି ବିଧାୟକଙ୍କୁ ବିଜେପିର ପ୍ରଶ୍ନ ! କାହିଁକି ଉଠାଉ ନାହାନ୍ତି କୋଏଲ କଥା ?

30

କନକ ବ୍ୟୁରୋ :  ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ପ୍ରସଙ୍ଗରେ ବାରମ୍ବାର ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପିକୁ କାଠଗଡାରେ ଛିଡା କରାଇଥିବା ଦିଲ୍ଲୀପ ରାୟଙ୍କୁ ପ୍ରଶ୍ନ ପଚାରିଲା ବିଜେପି । କୋଏଲ ନଦୀ ଉପରେ ୨୦୧୩ରୁ ପ୍ରସ୍ତାବିତ ବ୍ୟାରେଜ ଓ ସେତୁ ପ୍ରସଙ୍ଗରେ ରାଜ୍ୟ ସରକାର ଏପର୍ଯ୍ୟନ୍ତ କୌଣସି କାମ ଆରମ୍ଭ କରିନାହାନ୍ତି । ତେଣୁ ମାଟି ଆଗ ପାର୍ଟି ପଛ ବୋଲି କହୁଥିବା ନିଜ ଦଳର ବିଧାୟକ ଦିଲ୍ଲୀପ ରାୟଙ୍କୁ ଏନେଇ ବିଧାନସଭାରେ ପ୍ରଶ୍ନ କରିବାକୁ ନିର୍ଦ୍ଦେଶ ଦେବ ଦଳ ।

ବିଜୟ ମହାପାତ୍ରଙ୍କ ଭଳି ଦିଲ୍ଲୀପ ରାୟ ମଧ୍ୟ ବିଜେପି ବିରୋଧୀ ଆଭିମୁଖ୍ୟ ପ୍ରଦର୍ଶନ କରିଆସୁଛନ୍ତି । ବ୍ରାହ୍ମଣୀ ବ୍ରିଜ ପ୍ରସଙ୍ଗରେ ମୋଦିଙ୍କଠୁ ଆରମ୍ଭ କରି ଗଡକରୀଙ୍କ ଯାଏଁ ସମାଲୋଚନା କରିବାକୁ ପଛାଇ ନାହାନ୍ତି । ଆଉ ଏସବୁ ଭିତରେ ଆଜିର ସାମ୍ବାଦିକ ସମ୍ମିଳନୀରେ ବିଜେପିର ଏଭଳି ଆଭିମୁଖ୍ୟ ଦିଲ୍ଲୀପ ଓ ଦଳ ମଧ୍ୟରେ ବଢୁଥିବା ଦୂରତାକୁ ଦର୍ଶାଉ ନାହିଁ ତ? ଗତ ବିଧାନସଭା ଅଧିବେଶନରେ ଦିଲ୍ଲୀପଙ୍କ ପ୍ରଶ୍ନରେ ସରକାର ଦେଇଥିବା ଉତ୍ତରକୁ କୋଟ୍ କରିଛି ବିଜେପି । ଆଉ ବ୍ରାହ୍ମଣୀ ବ୍ରିଜ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରୁଥିବା ବିଜେଡି ନେତାଙ୍କୁ କାଉଁଣ୍ଟର କରିବା ପାଇଁ ସାମ୍ନାକୁ ଆଣିଛି କୋଏଲ ବ୍ୟାରେଜ ଓ ସେତୁ ପ୍ରସଙ୍ଗ । ଯାହାକୁ ନେଇ ଜୋରଦାର ହୋଇଛି ପ୍ରକଳ୍ପ ପଲିଟିକ୍ସ ।

ଗୋଟିଏପଟେ ବ୍ରାହ୍ମଣୀ ବ୍ରିଜ ନିର୍ମାଣରେ ବିଳମ୍ବ ଅଭିଯୋଗର ତୋଡ୍ ବାହାର କରିଛି ବିଜେପି । ଅନ୍ୟପଟେ ନିଜ ଦଳର ବିଧାୟକ ଦିଲ୍ଲୀପ ରାୟଙ୍କୁ ଚୁପ୍ କରିବା କୋଏଲ ବ୍ୟାରେଜ ପ୍ରସଙ୍ଗ ଉଠାଇବାକୁ ତାଗିଦ୍ କରିଛି ।