ବିଜୟ ମହାପାତ୍ରଙ୍କ ଫେସବୁକ୍ ଲାଇଭ । ଫୋକସରେ ପୁରୀ ମନ୍ଦିର ଓ ଧାଡ଼ି ଦର୍ଶନ । ଜାଣନ୍ତୁ କ’ଣ କହିଲେ ବିଜୟ ।

48

କନକ ବ୍ୟୁରୋ: ଗତ ୩ ତାରିଖ ଦିନ ଧାଡ଼ି ଦର୍ଶନକୁ ବିରୋଧ କରି ପୁରୀରେ ହୋଇଥିବା ହିଂସାକାଣ୍ଡ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ନିଜ ଫେସବୁକ ଆକାଉଣ୍ଟ ଜରିଆରେ ଘଟଣାକୁ ଇତିହାସର କଳଙ୍କିତ ଅଧ୍ୟାୟ ଭାବେ ବର୍ଣ୍ଣନା କରିଛନ୍ତି ବିଜୟ ।

bijaya mohapatraସିଂହଦ୍ୱାରା ଠାରୁ ଡାକ୍ତରଖାନା ଛକ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ର ରଣକ୍ଷେତ୍ରରେ ପାଲଟି ଯାଇଥିଲା । ପୁରୀ ବଡ଼ ଦାଣ୍ଡରେ ରକ୍ତର ତାଣ୍ଡବ ଲୀଳା ହେବ ବୋଲି କୌଣସି ଓଡ଼ିଶାବାସୀ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ । ସମସ୍ତେ ଜାଣିଥିଲେ ଯେ ଧାଡ଼ି ଦର୍ଶନକୁ ବିରୋଧ କରି ଜଗନ୍ନାଥ ସେନା ପୁରୀ ବନ୍ଦ ଡାକରା ଦେଇଥିଲା । କିନ୍ତୁ ପ୍ରଶାସନ ତାଙ୍କ ସହିତ କିଛି ଆଲୋଚନା କଲେ ନାହିଁ ଏବଂ ଘଟଣାଟିକୁ ଅତି ହାଲୁକାଭାବେ ଗ୍ରହଣ କରିବାରୁ ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକି ଆଗାମୀ ଭବିଷ୍ୟତ ପାଇଁ ଶ୍ରୀମନ୍ଦିର ସୁରକ୍ଷା ନେଇ ଏକ ବଡ଼ ପ୍ରଶ୍ନବାଚୀ ଛିଡ଼ା କରିଛି ବୋଲି ବିଜୟ କହିଛନ୍ତି ।

ବର୍ତ୍ତମାନ ଯେତେ ଯିଏ ଏହି ଘଟଣାକୁ ଘଣ୍ଟ ଘୋଡାଇବାକୁ ଚେଷ୍ଟା କଲେ ମଧ୍ୟ ପ୍ରଶାସନର ଫୁଙ୍ଗୁଳା ଦେହ ରାଜ୍ୟବାସୀଙ୍କ ସମ୍ମୁଖରେ ମୁକୁଳା ହୋଇଯାଇଛି । ଯେତେବେଳେ ଘଟଣା ଘଟୁଥିଲା କେହିବି ବିରୋଧ କଲେ ନାହିଁ । ନା ପ୍ରଶାସନ, ନା ଖୋଦ ଗଜପତି ନା ପୁରୀବାସୀ କେହି ଏହାକୁ ବିରୋଧ କରି ନଥିଲେ । ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିଲା ଧାଡ଼ି ଦର୍ଶନରେ କିଭଳି ଭକ୍ତମାନେ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ କରିବେ । ସେଥିରେ ରାଜ୍ୟବାସୀ ଏବଂ ଜଗନ୍ନାଥପ୍ରେମୀ ମାନେ ଏକମତ ହୋଇଥିଲେ । କିନ୍ତୁ ଶୃଙ୍ଖଳିତ ନାମରେ ବିଶୃଙ୍ଖଳିତ କାର୍ଯ୍ୟ କରାଗଲା । ଯାହାକୁ ବିରୋଧ କରିବା ଉଚିତ୍ ।ବିଜୟଙ୍କ କହିବା କଥା ସେ ବାରମ୍ବାର ଦାବି କରି ଆସୁଛନ୍ତି ଯେ, ଶ୍ରୀଜଗନ୍ନାଥ ମନ୍ଦିରକୁ ଭାରତର କୌଣସି ମନ୍ଦିର ସହିତ ତୁଳନା କରନ୍ତୁ ନାହିଁ । କିନ୍ତୁ କିଛି ମୁଷ୍ଟିମେୟ ଆଇଏଏସ ଅଫିସରମାନେ ଦେଶର କିଛି ପ୍ରମୂଖ ମନ୍ଦିର ବୁଲି ଆସି କହିଲେ ଧାଡ଼ି ଦର୍ଶନର ବ୍ୟବସ୍ଥା କରିବାକୁ । ହେଲେ ଏହା ପୂର୍ବରୁ ମୁକ୍ତି ମଣ୍ଡପ, ଛତିଶା ନିଯୋଗ କି ଲୋକ ପ୍ରତିନିଧିଙ୍କ ସହିତ ଆଲୋଚନା କରାଗଲା ନାହିଁ କି ପରାମର୍ଶ ମଧ୍ୟ ନିଆଗଲାନି । ଉଚ୍ଚ ପଦବୀରେ ଥିବା କିଛି ବରିଷ୍ଠ ଅଧିକାରୀ ମନମୁଖି ମନ୍ଦିର ଉପରେ ଏହାକୁ ଲଦିଦେଲେ । ଯାହାର ପରିଣାମ ଆଜି ସାରା ରାଜ୍ୟ ଭୋଗୁଛି । ସରକାର ଯଦି ଶ୍ରୀମନ୍ଦିର ସୁରକ୍ଷା ଏବଂ ସମ୍ପୂର୍ଣ୍ଣ ସଂସ୍କାର ଆଣିବାକୁ ଚାହୁଁଛନ୍ତି ତେବେ ସମସ୍ତଙ୍କ ସହିତ ଆଲୋଚନା କରନ୍ତୁ । ନଚେତ୍ ପରିସ୍ଥିତି ଆଗକୁ ଭୟାଭୟ ହେବ ବୋଲି ଏବେ ଠାରୁ ଦୃଶ୍ୟପଟ ହେଉଛି ବୋଲି ବିଜୟ ସୋସିଆଲ ମିଡ଼ିଆରେ ମତ ରଖିଛନ୍ତି ।

ପୁରୀ ଶ୍ରୀମନ୍ଦିର ବିରୋଧରେ ଏକ ହୀନ ଚକ୍ରାନ୍ତ ଆରମ୍ଭ ହୋଇଛି ବୋଲି ଗତ ୬ ମାସ ତଳେ  ବିଜୟ କହିଥିଲେ । ମାମଲା ସୁପ୍ରିମକୋର୍ଟକୁ ଗଲା ଏହାପରେ ଆମିକସ କ୍ୟୁରୀ ନିଯୁକ୍ତ ହେଲେ ଏବଂ ସକ୍ଷିଂପ୍ତ ସମୟ ମଧ୍ୟରେ ହୁଏତ ସମସ୍ତ ଆଲୋଚନା ହୋଇ ପାରିଲା ନାହିଁ ବୋଲି ବିଜୟ କହିଛନ୍ତି । କିନ୍ତୁ ଏଏସଆଇର ବିନା ଅନୁମତିରେ ଧାଡ଼ି ଦର୍ଶନ ପାଇଁ ପୁରୀ ୨୨ ପାହାଚ କାହିଁକି ଖୋଳାଗଲା ବୋଲି ପ୍ରଶ୍ନ କରିଛନ୍ତି ବିଜୟ । ଜଗତଗୁରୁ ଶଙ୍କରାଚାର୍ଯ୍ୟ ଏବଂ ଗଜପତିଙ୍କୁ ଅନୁରୋଧ କରି କହିଛନ୍ତି ଯେ, ଏବେ ବି ସମୟ ଅଛି ଶ୍ରୀମନ୍ଦିରକୁ ସୁରକ୍ଷା ଦିଆଯାଉ ।