ବିଜେପି-ଶିବସେନା ମିଳିତ ଭାବେ ଲଢିବେ ନିର୍ବାଚନ : ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା

25

କନକ ବ୍ୟୁରୋ : ବିଜେପି-ଶିବସେନା ମିଳିତ ଭାବେ ଲଢିବେ ନିର୍ବାଚନ । ଏପରି କହିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା । ସମର୍ଥନ ପାଇଁ ସମ୍ପର୍କ ଅଭିଯାନ ଚଳାଇଥିବା ଅମିତ ଶାହା ଗତକାଲି ମୁମ୍ବାଇରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଭେଟିଥିଲେ । ଉଦ୍ଧବଙ୍କ ବାସଭବନ ମାତୋଶ୍ରୀରେ ଉଭୟ ନେତାଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଥିଲା । ଏହି ଅବସରରେ ୨୦୧୯ ନିର୍ବାଚନ ବିଜେପି ଓ ଶିବସେନା ମିଳିତ ଭାବେ ଲଢିବେ ବୋଲି ଆଶା ପ୍ରକାଶ କରିଛନ୍ତି ଶାହା । ତେବେ ଏହି ସାକ୍ଷାତ ପୂର୍ବରୁ ଶିବସେନା ମୁଖପତ୍ର ‘ସାମନା’ରେ ବିଜେପିକୁ ସମାଲୋଚନା କରାଯାଇଥିବା ଦେଖିବାକୁ ମିଳିଥିଲା ।

ମୋଦି ସାରା ଦୁନିଆରେ ଘୂରି ବୁଲୁଥିବା ବେଳେ ଶାହା ସାରା ଦେଶ ବୁଲୁଛନ୍ତି ବୋଲି ସାମନାରେ କୁହାଯାଇଥିଲା । ଉପନିର୍ବାଚନରେ ବିଜେପିକୁ ପରାଜୟ ମିଳିବା ପରେ ସହଯୋଗୀ ଦଳମାନଙ୍କୁ ଭେଟୁଛନ୍ତି କି ବୋଲି ମଧ୍ୟ ମୁଖପତ୍ର ସାମନାରେ କଟାକ୍ଷ କରାଯାଇଥିଲା । ତେବେ ୨୦୧୯ ନିର୍ବାଚନ ପୂର୍ବରୁ ସମ୍ପର୍କ ଅଭିଯାନକୁ ଜୋରଦାର କରିଥିବା ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ରତନ ଟାଟା ଓ ମାଧୁରୀ ଦିକ୍ଷିତଙ୍କ ସହ ମଧ୍ୟ ସାକ୍ଷାତ କରିଛନ୍ତି । ଏହି ଅଭିଯାନରେ ମୁମ୍ବାଇରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଭେଟିଛନ୍ତି ଶାହା ।