ବିଜେଡି ସାଂସଦ ପ୍ରାର୍ଥୀ ନଳିନୀ ପ୍ରଧାନଙ୍କ ପ୍ରାର୍ଥୀପତ୍ରକୁ ବିଜେପିର ଚ୍ୟାଲେଞ୍ଜ ! ଅଫିସର ଅଫ ପ୍ରଫିଟ୍ ଉପରେ ସତ୍ୟପାଠ ଦାଖଲ କରିନଥିବା ଅଭିଯୋଗ ଆଣିଲେ  ନିତିଶ ଗଙ୍ଗଦେବ । 

କାଲିକୁ ଘୁଂଚିଲା ପ୍ରାର୍ଥୀପତ୍ର ଯାଂଚ ।

701
କନକ ବ୍ୟୁରୋ: ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥୀ ନଳିନୀ ପ୍ରଧାନଙ୍କ ପ୍ରାର୍ଥୀପତ୍ରକୁ ଚ୍ୟାଲେଂଜ କରିଛନ୍ତି ବିଜେପି ସାଂସଦ ପ୍ରାର୍ଥୀ ନିତିଶ ଗଙ୍ଗଦେବ । ନଳିନୀ ପ୍ରଧାନ ଅଫିସର ଅଫ ପ୍ରଫିଟ୍ ଉପରେ ସତ୍ୟପାଠ ଦାଖଲ କରିନଥିବା ଅଭିଯୋଗ କରିଛି ବିଜେପି । ତେଣୁ ନଳିନୀ ପ୍ରଧାନଙ୍କ ପ୍ରାର୍ଥୀପତ୍ର ଯାଂଚ ପ୍ରକ୍ରିୟାକୁ ଘୁଂଚାଇ ଦିଆଯାଇଛି । ଆସନ୍ତାକାଲି ତାଙ୍କ ପ୍ରାର୍ଥୀପତ୍ର ଯାଂଚ କରାଯିବ ।
ସମ୍ବଲପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ନୀତିଶ ଗଙ୍ଗଦେବଙ୍କ ପକ୍ଷରୁ ଆସିଥିବା ଅଭିଯୋଗରେ ଦର୍ଶାଯାଇଛି କି ନଳିନୀ ପ୍ରଧାନ ଦୁଇଦୁଇଟି ଲାଭଜନକ ପଦବୀରେ ଥିଲେ ମଧ୍ୟ ନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେ ଏପ୍ରିଲ ୩ ତାରିଖ ସୁଦ୍ଧା ଏହି ପଦବୀରୁ ଇସ୍ତଫା ଦେଇ ନ ଥିବା ବେଳେ ନିଜର ସତ୍ୟପାଠରେ ମଧ୍ୟ ଏହା ଦର୍ଶାଇ ନାହାନ୍ତି। ଅଭିଯୋଗ ଅନୁସାରେ ଶ୍ରୀ ପ୍ରଧାନ ଓଡ଼ିଶା ପୁଲିସ ହାଉସିଂ କର୍ପୋରେସନର ନୋମିନି ଡାଇରେକ୍ଟର ଏବଂ ଓଡ଼ିଶା କନଷ୍ଟ୍ରକସନ୍ କର୍ପୋରେସନରେ ଡାଇରେକ୍ଟର ପଦବିରେ ଥିବା ସତ୍ତ୍ୱେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ତେଣୁ ତାଙ୍କର ପ୍ରାର୍ଥୀପତ୍ର ନାକଚ କରାଯିବା ଦରକାର। ଏହି ଦାବିରେ ବିଜେପି ପକ୍ଷରୁ ଦର୍ଶାଯାଇଛି କି ୨୦୦୬ରେ ଏଭଳି ଏକ କାରଣ ଲାଗି ସୁପ୍ରିମକୋର୍ଟ ସିନେ-ଅଭିନେତ୍ରୀ ଜୟପ୍ରଦାଙ୍କର ସାଂସଦ ପଦ ରଦ୍ଦ କରିଥିଲେ।
ନିତିଶ ଗଙ୍ଗଦେବଙ୍କ ପକ୍ଷରୁ ଅଭିଯୋଗ ପାଇବା ପରେ ସମ୍ବଲପୁର ଜିଲ୍ଲାପାଳ ବିଜେଡି ପ୍ରାର୍ଥୀ ନଳୀନି ପ୍ରଧାନଙ୍କୁ ଏ ନେଇ ନୋଟିସ୍ ଜାରି କରିଛନ୍ତି। ଆସନ୍ତାକାଲି ୧୦.୪୫ ସୁଦ୍ଧା ଏହାର ଜବାବ ରଖିବାକୁ ପ୍ରାର୍ଥୀଙ୍କୁ ସମୟ ଦିଆଯାଇଛି। ଜବାବ ଦାଖଲ ପରେ ଅଭିଯୋଗର ଶୁଣାଣି ହେବ ବୋଲି ସୂଚନା ରହିଛି।