ଆଗେଇଥିଲେ ଯେତିକି , ପଛେଇଲେ ସେତିକି । ଲଗାତାର ୪ ଥର ଜିତିଥିଲେ, ୪ଥର ହାରିଗଲେ ।

ଲଗାତାର ୧୯୮୦ରୁ ବିଧାନସଭାର ୪ଥର ସଦସ୍ୟ ଏବଂ ମନ୍ତ୍ରୀପଦ ଭଳି ବଭିନ୍ନ ଦାୟିତ୍ୱ ସମ୍ଭାଳିଥିବା ବିଜୟଙ୍କୁ ଆଜି ଲଗାତାର ୪ଥର ପରାଜୟ କରି ବିଜୟଙ୍କ ବିଧାନସଭା ସ୍ୱପ୍ନକୁ ଭାଙ୍ଗି ଦେଇଛି ବିଜେଡି ।

302

କନକ ବ୍ୟୁରୋ: ବିଜୁ ଶିଷ୍ୟ ଥିଲେ, ନବୀନଙ୍କଠାରୁ ହାର ମାନିଲେ । ବିଜୁଙ୍କ ହାତ ଧରି ୪-୪ଥର ବିଧାନସଭାକୁ ଆସିଥିବା ବିଜୟ, ଯେତେବେଳେ ନବୀନଙ୍କ ରାସ୍ତାର କଂଟା ହୋଇ ସାମ୍ନାକୁ ଆସିଲେ, ସେବେଠାରୁ ବିଧାନସଭା ଯେମିତି ବିଜୟଙ୍କ ପାଇଁ ସ୍ୱପ୍ନ ପାଲଟି ଯାଇଛି । ବାପା ଜିତାଉଥିଲେ କିନ୍ତୁ ପୁଅ କ୍ରମାଗତ ହରାଇଚାଲିଛନ୍ତି । ନବୀନଙ୍କ ନେତୃତ୍ୱ ଆଗରେ ବିଜୟଙ୍କୁ, ୪-୪ଥର ପରାଜୟର ମୁହଁ ଦେଖିବାକୁ ପଡ଼ିଛି ।

ପାଟକୁରା ପାଲଟିଲା ସବୁଜ ଗଡ଼, ପୁଣି ଚତୁର୍ଥଥର ପାଇଁ ଆରମ୍ଭ ହେଲା ବିଜୟଙ୍କ ରାଜନୈତିକ ବନବାସ । ଲଗାତାର ବିଜୟଙ୍କୁ ବିଧାନସଭା ଦ୍ୱାର ଦେଖିବାରେ ବ୍ରେକ୍ ଲଗାଇଛି ବିଜେଡି । ବିଜୁ ବାବୁଙ୍କ ପଲିଟିକାଲ୍ ଷ୍ଟୁଣ୍ଡେଣ୍ଟ୍ ବୋଲାଉଥିବା ବିଜୟ ପୁଣିଥରେ ପାଟକୁରାରେ ପରାଜୟର ଦ୍ୱାର ଦେଖିଛନ୍ତି । ଆଉ ୨୦୦୪ରୁ ଯେଉଁ ସ୍ୱପ୍ନ ଦେଖୁଛନ୍ତି ତାକୁ ଲଗାତାର ଭାଙ୍ଗି ଚାଲିଛି ବିଜେଡି ।

ପୁଣି ଥରେ ପାଟକୁରା ମାଟିରେ ଚିତ୍ ହୋଇଛନ୍ତି ବିଜୟ ମହାପାତ୍ର । ଏଥର କୌଣସି ପୁରୁଖା ନୁହେଁ ବରଂ ରାଜନୀତି ମୈଦାନରେ ପ୍ରଥମ କରି ଏଣ୍ଟ୍ରି ମାରିଥିବା ‘ଶଙ୍ଖ’ ଦଳର ସାବିତ୍ରୀ ବିଜୟଙ୍କ ସ୍ୱପ୍ନ ଭାଙ୍ଗି ଦେଇଛନ୍ତି । ଆଉ ୧୭ ହଜାର ୯୨୦ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥିନୀ ତଥା ଦିବଙ୍ଗତ ବିଜେଡି ନେତା ବେଦପ୍ରକାଶ ଅଗ୍ରୱାଲଙ୍କ ଧର୍ମପତ୍ନୀ ସାବିତ୍ରୀ ଅଗ୍ରୱାଲ ।

୧୯୮୦ରେ ଯେତେବେଳେ ପାଟକୁରାରେ ଉପ-ନିର୍ବାଚନ ହୋଇଥିଲା ସେତେବେଳେ ବିଜୟ ଜନତା ଦଳ (ସିକ୍ୟୁଲାର) ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପ୍ରଥମ ଥର ବିଧାୟକ ଭାବେ ବିଧାନସଭା ଦ୍ୱାର ଦେଖିଥିଲେ । ଆଉ ଏହାପରେ ୧୯୮୫, ୧୯୯୦ ଏବଂ ୧୯୯୫ରେ ଲଗାତାର ନିଜର ପାରମ୍ପରିକ ନିର୍ବାଚନ ମଣ୍ଡଳୀ ପାଟକୁରାକୁ ନିଜ ଦଖଲରେ ରଖିଥିଲେ ବିଜୟ । କିନ୍ତୁ ୨୦୦୦ ମସିହାରେ ବିଜୟଙ୍କ ରାଜନୈତିକ କ୍ୟାରିୟରରେ ଆସିଥିଲା ଏକ ବଡ଼ ବିପର୍ଯ୍ୟୟ । ଅନ୍ତିମ ମୂହୁର୍ତ୍ତରେ ବିଜୟଙ୍କ ଟିକେଟ୍ କାଟି ଦେଲେ ନବୀନ । ସ୍ଥିତି ଏମିତି ଥିଲା ଯେ, ସେ ସ୍ୱାଧୀନ ଭାବରେ ଛିଡ଼ା ହେବା ପାଇଁ ବି ସକ୍ଷମ ହୋଇନଥିଲେ । ଆଉ ତାଙ୍କ ସ୍ଥାନରେ ବିଜେଡିର ବିକଳ୍ପ ପ୍ରାର୍ଥୀ ହୋଇ ମୈଦାନକୁ ଓହ୍ଲାଇଥିଲେ ତରୁଣ ନେତା ଅତୁନ ସବ୍ୟସାଚୀ । ତା’ ପରେ ଆରମ୍ଭ ହୋଇଥିଲା ବିଜୟଙ୍କ ରାଜନୈତିକ କ୍ୟାରିୟରର ଅନ୍ଧାରି ଦିଗ । ଆଉ ୨୦୦୪ରେ ଅତନୁଙ୍କ ଠାରୁ ପରାସ୍ତ ହେବା ପରେ ଜାରି ରହିଛି ବିଜୟଙ୍କ ପରାଜୟର ଗୋଟିଏ ଗୋଟିଏ ଫର୍ଦ୍ଦ ।

ସେହିଭଳି ୨୦୦୯ରେ ବିଜୟ ବିଜେପି ଠାରୁ ଟିକେଟ୍ ପାଇ ପାଟକୁରାରେ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲେ । ଆଉ ସେଠାରେ ମଧ୍ୟ ଫଳାଫଳ ସମାନ । ପୁଣି ବିଜୟ ଦିବଙ୍ଗତ ବିଜେଡି ନେତା ବେଦବାବୁଙ୍କ ଠାରୁ ପାଖାପାଖି ୨୬ ହଜାରରୁ ଉଦ୍ଧ୍ୱର୍ ଭୋଟ୍ ବ୍ୟବଧାନରେ ପରାଜିତ ହୋଇଥିଲେ । ଏହାପରେ ବିଜୟ ନିଜ ପାରମ୍ପାରିକ ଆସନ ପାଟକୁରାକୁ ଛାଡ଼ି ନିକଟସ୍ଥ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରୁ ଭାଗ୍ୟ ପରୀକ୍ଷା କରିଥିଲେ ମଧ୍ୟ ସେଠାରେ ମଧ୍ୟ ଅତନୁ ପୁଣି ଥରେ ବିଜୟଙ୍କ ସ୍ୱପ୍ନକୁ ବ୍ରେକ୍ ଲଗାଇଥିଲେ । ଆଉ ଏବେ ୨୦୧୯ରେ ପୁଣି ୧୯ ବର୍ଷର ଇତିହାସ ପୁନରାବୃତ୍ତି ହେଲା । ଆଉ ‘ଶଙ୍ଖ’ ଦଳର ସାବିତ୍ରୀଙ୍କ ଠାରୁ ପରାଜିତ ହୋଇ ୧୯ ବର୍ଷର ରାଜନୈତିକ ବନବାସ ଦ୍ୱାର ଦେଖିଛନ୍ତି ବିଜୟ । ଯେଉଁଠାରୁ ଲଢ଼ିଲେ ବି ବିଜୟଙ୍କ ବିଧାନସଭା ସ୍ୱପ୍ନକୁ ବାରମ୍ବାର ଭାଙ୍ଗି ଦେଉଛି ବିଜେଡି ।

ଲଗାତାର ୧୯୮୦ରୁ ବିଧାନସଭାର ୪ଥର ସଦସ୍ୟ ଏବଂ ମନ୍ତ୍ରୀପଦ ଭଳି ବିଭିନ୍ନ ଦାୟିତ୍ୱ ସମ୍ଭାଳିଥିବା ବିଜୟଙ୍କୁ ଆଜି ଲଗାତାର ୪ଥର ପରାଜୟ କରି ବିଜୟଙ୍କ ବିଧାନସଭା ସ୍ୱପ୍ନକୁ ଭାଙ୍ଗି ଦେଇଛି ବିଜେଡି । ବିଜେଡି ଜନ୍ମ ହେବା ପରଠାରୁ ବିଜୟଙ୍କ ପାଇଁ ସତେ ଯେମିତି ବିଜୟ ସାତ ସପନ ପାଲଟିଛି । ଆଉ ବିଜେଡି ସୁପ୍ରିମୋଙ୍କ ସାମ୍ନାରେ ବିଜୟଙ୍କ ବିଜୟରେ ଲଗାତାର ଦୁଇ ଦଶନ୍ଧି ଧରି ବ୍ରେକ୍ ପରେ ବ୍ରେକ୍ ଲାଗି ଚାଲିଛି ।