କିଏ ବନିବ କଂଗ୍ରେସର ନୂଆ ଅଧ୍ୟକ୍ଷ ? ରାହୁଲ ବିଦେଶରୁ ଫେରିବା ପରେ ସିଡବ୍ଲୁସି ବୈଠକରେ ହେବ ନିଷ୍ପତି ।

265

କନକ ବ୍ୟୁରୋ : କିଏ ହେବେ କଂଗ୍ରେସ ଆଗାମୀ ସଭାପତି ? କଂଗ୍ରେସ କାର୍ଯ୍ୟସମିତି ବୈଠକରେ ବଛାଯିବ ନୂଆ ଅଧ୍ୟକ୍ଷ । ଅଧ୍ୟକ୍ଷ ପଦରୁ ରାହୁଲ ଇସ୍ତଫା ଦେବା ପରେ ଖାଲି ପଡ଼ିଛି ପଦ । ଦଳ ଏପର୍ଯ୍ୟନ୍ତ କାହୁକୁ ବି ଅଧ୍ୟକ୍ଷ ପଦରେ ବାଛି ନାହିଁ । ହେଲେ ଖବର ରହିଛି କଂଗ୍ରେସ କାର୍ଯ୍ୟସମିତି ବୈଠକରେ ନୂଆ ଅଧ୍ୟକ୍ଷଙ୍କୁ ବଛାଯିବ । ବିଦେଶ ଗସ୍ତରୁ ଫେରିବା ପରେ ଏହି ବୈଠକ ବସିବ । ନୂଆ ଅଧ୍ୟକ୍ଷ ବାଛିବାକୁ ନେଇ ହେବାକୁ ଥିବା କାର୍ଯ୍ୟକ୍ରମର ଦିନ ଖୁବଶୀଘ୍ର ଘୋଷଣା କରାଯିବ ।

ସେ ପର୍ଯ୍ୟନ୍ତ ମହାସଚିବ କେସି ବେଣୁଗୋପାଳ ଦଳର ଦାୟିତ୍ୱ ତୁଳାଉଥିବା ନେଇ ସୂଚନା ରହିଛି । ଚଳିତ ମାସରେ ହିଁ ରାହୁଲ ଗାନ୍ଧି ଘୋଷଣା କରିଥିଲେ କି ସେ ଦଳର ଅଧ୍ୟକ୍ଷ ପଦରେ ନାହାନ୍ତି । ଦଳର ନେତା ବିଳମ୍ବ ନକରି ନୂଆ ଅଧ୍ୟକ୍ଷ ବାଛନ୍ତୁ ବୋଲି କହିଥିଲେ ରାହୁଲ । ଲୋକସଭା ନିର୍ବାଚନରେ ଖରାପ ପଦର୍ଶନ ପରେ ରାହୁଲ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ଅଧ୍ୟକ୍ଷ ପଦରେ ଅଶୋକ ଗେହଲଟ୍, ସଚିନ ପାଇଲଟ୍, ଜ୍ୟୋତିରାଦିତ୍ୟ ସିନ୍ଧିୟାଙ୍କ ନାଁ ଚର୍ଚ୍ଚାକୁ ଆସିଥିବା ବେଳେ ଏପର୍ଯ୍ୟନ୍ତ କୌଣସି ନିଷ୍ପତି ହୋଇନାହିଁ ।