ବେଲଟିକିରି ସେବାଶ୍ରମରେ ବିଜେପି ଟିମ୍ । ଅନ୍ତେବାସୀଙ୍କୁ ସ୍ଥାନାନ୍ତର ଯୋଗୁଁ ଭେଟିପାରିଲେନି ଫ୍ୟାକ୍ଟ ଫାଇଣ୍ଡିଂ ଦଳ

ସ୍ଥିତି ଅନୁଧ୍ୟାନ ପାଇଁ ଯାଇଥିଲା ଦଳ

82

କନକ ବ୍ୟୁରୋ: ଢ଼େଙ୍କାନାଳ ବେଲଟିକରି ସେଲଟର ହୋମରେ ପହଁଚିଲେ ବିଜେପି ଫ୍ୟାକ୍ଟ ଫାଇଣ୍ଡିଙ୍ଗ୍ ଟିମ୍ । ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡାଙ୍କ ନେତୃତ୍ୱରେ ୪ଜଣିଆ ଟିମ୍ ବେଲଟିକରିରେ ପହଁଚିଛନ୍ତି । ଲେଖାଶ୍ରୀ ସାମନ୍ତସିଂହାର, ପିଙ୍କି ପ୍ରଧାନ ଓ ଅନ୍ୟ ବିଜେପି କର୍ମୀମାନେ ଏହି ଟିମରେ ସାମିଲ ହୋଇଛନ୍ତି । ତେବେ ସେଲଟର ହୋମରେ ଥିବା ଅନ୍ତେବାସୀମାନଙ୍କୁ ସକାଳୁ ସକାଳୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବାରୁ ଏହି ଟିମ୍ କାହାକୁ ଭେଟି ପାରିନଥିବା ଜଣାପଡିଛି । ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏହି ଟିମ୍ । ଏବଂ ସିଧାସଳଖ ରାଜ୍ୟ ସରକାରଙ୍କୁ ଏଥିପାଇଁ ଦୋଷ ଦେଇଛନ୍ତି । ଅନ୍ତେବାସୀମାନଙ୍କୁ ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ସେଲଟର ହୋମକୁ ସିଲ କରିଦେଇଛନ୍ତି ସରକାର ।

 

ସେପଟେ, ବନ୍ଦ ହେଲା ଢେଙ୍କାନାଳ ସ୍ଥିତ ଗୁଡନ୍ୟୁଜ ଡ୍ରିମ ହାଉସର ସେଲଟର ହୋମ । ବେଲଟିକିରିର ଏହି ସେଲଟର ହୋମକୁ ରାଜ୍ୟ ସରକାରଙ୍କ ପକ୍ଷରୁ ତାଲା ପକାଯାଇଛି । ଏହାର ଅନ୍ତେବାସୀ ଓ କର୍ମଚାରୀଙ୍କୁ ସ୍ଥାନାନ୍ତର କରାଯାଇଛି । ଏହି ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ପୁଲିସ ଉପସ୍ଥିତ ରହିଥିଲେ । ସେମାନଙ୍କୁ ସରକାରୀ ସ୍ୱୀକୃତି ପ୍ରାପ୍ତ ସେଲଟର ହୋମକୁ ସ୍ଥାନାନ୍ତର କରାଯାଇଛି । ଅନ୍ତେବାସୀ ପୁଅମାନଙ୍କୁ ଢେଙ୍କାନାଳ ସ୍ଥିତ ମହର୍ଷି ଦୟାନନ୍ଦ ସରସ୍ୱତୀ ମିଶନକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସ୍ଥାନୀୟ କାଠଗଡା ସ୍ଥିତ ଓପନ ମହିଳା ସେଲଟରକୁ ଝିଅ ମାନଙ୍କୁ ପଠାଯାଇଛି ।

ସେଲଟର ହୋମରେ ଅନ୍ତେବାସୀଙ୍କୁ ଅସଦାଚରଣ କରାଯାଉଥିବା ନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ରାଜ୍ୟର ସମସ୍ତ ବେଆଇନ ସେଲଟର ହୋମକୁ ବନ୍ଦ କରାଯିବ ବୋଲି କହିଥିଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ । ଏହା ସହ ସରକାରଙ୍କ ନିର୍ଦ୍ଦେଶରେ ବେଲଟିକିରି ସ୍ଥିତ ସେଲଟର ହୋମକୁ ତାଲା ପକାଇ ଦିଆଯାଇଛି ।