ଏନଏସି ନିର୍ବାଚନ ପୂର୍ବରୁ ହିନ୍ଦୋଳରେ ରାଜନୈତିକ ହିଂସା ! ପ୍ରଚାର ସମୟରେ ବିଜେପି କର୍ମୀଙ୍କୁ ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ

71

କନକ ବ୍ୟୁରୋ: ହିନ୍ଦୋଳ ଏନଏସି ନିର୍ବାଚନ ପୂର୍ବରୁ ରାଜନୈତିକ ହିଂସା ଘଟିଥିବା ସାମ୍ନାକୁ ଆସିଛି । ନିର୍ବାଚନ ପ୍ରଚାର ସମୟରେ ବିଜେପି କର୍ମୀ ମାନଙ୍କ ଉପରକୁ ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ୨ ଜଣ ବିଜେପି କର୍ମୀଙ୍କ ଉପରକୁ ମରାଣାନ୍ତ ଆକ୍ରମଣ କରାଯାଇଛି ।

୭ ନଂ ୱାର୍ଡ ଦାୟିତ୍ୱରେ ଥିବା ବିଜେପି କର୍ମୀ ପ୍ରଶାନ୍ତ ପଣ୍ଡା ଓ ପୂର୍ବତନ ସରପଂଚ ମଂଜୁଲତା ଆହତ ହୋଇଛନ୍ତି । ଏନେଇ ଥାନାରେ ଏତଲା ଦିଆଯିବା ପରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ବିଜେପିର ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି ଓ କର୍ମକର୍ତାମାନେ ଥାନା ଆଗରେ ଧାରଣା ଦେଇଥିଲେ । ଆହତଙ୍କୁ ଢେଙ୍କାନାଳ ମେଡିକାଲରେ ଭର୍ତି କରାଯାଇଛି ।

ସେପଟେ, ନିର୍ବାଚନ ପ୍ରଚାର ସମୟରେ ବିଜେପି କର୍ମୀଙ୍କ ଉପରକୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି । ଥାନାରେ ମାମଲା ପରେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନି । ପୁଲିସ ଶାସକ ଦଳର ହାତ ବାରିସି ସାଜିଥିବା ବିଜେପି କହିଛି । ଏନେଇ ବିଜେପି କର୍ମୀମାନେ ନିର୍ବାଚନ କମିସନଙ୍କ ନିକଟରେ ଫେରାଦ ହୋଇଛନ୍ତି ।