ଚାଉଳ ଚିଠି କେବେ?

33

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : ଗହମକୁ ନେଇ ଚାଲିଛି ରାଜନୀତିର ଗହନ ଚାଷ । କେନ୍ଦ୍ର ସରକାର ପ୍ରତିଶ୍ରୁତି ମୁତାବକ ଓଡ଼ିଶାକୁ ୮୫ ପ୍ରତିଶତ ଚାଉଳ ଯୋଗାଇ ନ ଦେଇ ଓଡ଼ିଶା ଉପରେ ଅଧିକ ଗହମ ଲଦି ଦେଉଛନ୍ତି ବୋଲି ଅଭିଯୋଗ କରୁଛି ବିଜେଡି । ଏ ନେଇ ରାଜଧାନୀରୁ ରାଉରକେଲା ସବୁଠି ବିଜେଡି ପ୍ରଦର୍ଶନ କଲା ପ୍ରତିବାଦ ଓ ଆନ୍ଦୋଳନ । ନେତା ଧରିଲେ ମଙ୍ଗ ଆଉ ମନଇଛା କେନ୍ଦ୍ର ବିରୋଧରେ ବର୍ଷିଲେ । ବାରମ୍ବାର କେନ୍ଦ୍ରକୁ ଚିଠି ଲେଖି, ଗହମ ବଦଳରେ ଚାଉଳ ଦେବାକୁ ଦାବି କରାଯାଉଥିଲେ ବି ଏଥିପ୍ରତି ଗୁରୁତ୍ୱ ଦିଆଯାଉ ନଥିବା କହିଲେ ବିଜେଡି ସରକାର । କେବଳ ଘୋଷଣା ନୁହେଁ, କେନ୍ଦ୍ରରୁ ଚିଠି ଦରକାର ବୋଲି କହିଲା ବିଜେଡି ।

ବିଜେଡି ଆନ୍ଦୋଳନ ପାଇଁ ଚେତାବନୀ ଦେବା ପରେ କେନ୍ଦ୍ର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାମବିଳାଶ ପାଶୱାନଙ୍କୁ ଭେଟିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଉ ଏକ ନାଟକୀୟ ଢଙ୍ଗରେ କେନ୍ଦ୍ର ମନ୍ତ୍ରୀ ବି ଗଣମାଧ୍ୟମ ସାମ୍ନାରେ ଘୋଷଣା କଲେ ଆସନ୍ତା ଜୁନ ମାସରୁ ଓଡିଶାକୁ ୮୫ ପ୍ରତିଶତ ଚାଉଳ ଓ ୧୫ ପ୍ରତିଶତ ଗହମ ମିଳିବ । ମାତ୍ର ଏପର୍ଯ୍ୟନ୍ତ କେନ୍ଦ୍ରରୁ ଚିଠି ପହଂଚିଲା ନାହିଁ ।

ଗହମକୁ ନେଇ ରାଜନୀତି ବନ୍ଦ ହେବାର ନାଁ ଧରିବନି ଯେତେବେଳ ପର୍ଯ୍ୟନ୍ତ କେନ୍ଦ୍ରରୁ ଚିଠି ମିଳିବ ନାହିଁ । ବର୍ତମାନ ବିଜେଡି କେନ୍ଦ୍ର ବିରୋଧରେ ଏହାକୁ ଏକ ଅସ୍ତ୍ର କରିଛି ।