ଏଥର ସହଜ ହେବନି ଦିଲ୍ଲୀ ଦଖଲ । ବଦଳୁଥିବା ମିଜାଜ ଆଉ ରାଜନୀତିର ପାଣିପାଗ କହୁଛି, ଆଂଚଳିକ ଦଳର ଗୁରୁତ୍ୱ ବଢୁଛି ।

ଯଦି ୨୦୧୯ରେ ସଂଖ୍ୟା ଦୃଷ୍ଟିରୁ ମୋଦି କେନ୍ଦ୍ରରେ ସରକାର ଗଠନ କରିବାରେ ବିଫଳ ହୁଅନ୍ତି, ତେବେ ବିଜେଡି ଭଳି ଦଳ ହିଁ ସେମାନଙ୍କୁ ସହାୟକ ହୋଇପାର । ଆଉ ଏହା ପଛରେ ସବୁଠାରୁ ବଡ ଆଧାର ରହିବ ରାଜ୍ୟର ସ୍ୱାର୍ଥ ।

507

୨୪ ଡିସେମ୍ବରରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୋର୍ଦ୍ଧା ସମାବେଶରେ ବିଜେଡି ସରକାର ଉପରେ ନରମ ସ୍ୱରରେ ବର୍ଷିଲେ, ସେତେବେଳକୁ ଅନୁମାନ କରାଯାଉଥିଲା ଗଠବନ୍ଧନ ରାଜନୀତିରେ ବିଜେଡିର ଭୂମିକାକୁ ଆଖି ଆଗରେ ରଖି ମୋଦି ସ୍ୱରକୁ ଟାଣ କଲେ ନାହିଁ । ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟ ଠିକ ଓଲଟା ରହିଛି ।

ପ୍ରତିଷ୍ଠା ଦିବସରେ ଅର୍ଥାତ୍ ମୋଦିଙ୍କ ସମାବେଶର ଠିକ ୨ ଦିନ ପରେ ଅର୍ଥାତ୍ ୨୬ ଡିସେମ୍ବରରେ ନବୀନ ଯେଉଁଭଳି ଭାବେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ଏହା ଅତୀତରେ ଦେଖିବାକୁ ମିଳିନଥିଲା । ୯ଟି ପ୍ରଶ୍ନର ଜବାବ ମାଗିଲେ । ବଡ କଥା ହେଉଛି ଅର୍ଥନୈତିକ ସ୍ୱାଧୀନତା ଉପରେ ଜୋର ଦେଲେ । ରାଜ୍ୟର ଟଙ୍କାରେ ରାଜ୍ୟର ବିକାଶ କରିବାର ଦମ୍ଭୋକ୍ତି ଭିତରର ତତ୍ୱକୁ ମଧ୍ୟ ବୁଝିବାର ଆବଶ୍ୟକତା ରହୁଛି ।

ମୋଦି ଓ ନବୀନଙ୍କ ବକ୍ତବ୍ୟରେ ଦେଖା ଦେଉଥିବା ଏହି ତାରତମ୍ୟର ଅର୍ଥ କଣ? ନିକଟରେ ସରିଥିବା ୫ଟି ରାଜ୍ୟର ଫଳାଫଳ ମୋଦିଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଛି କି? ୨୦୧୯ରେ ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ କରିବା ଏତେଟା ସମ୍ଭବ ନୁହେଁ, ତେଣୁ ବିଜେଡି ଭଳି ରାଜନୈତିକ ଦଳ ସହ ମୋଦି ନିଜଆଡୁ ସଂପର୍କ ଖରାପ କରିବାକୁ ଚାହୁଁନଥିବା ଚର୍ଚ୍ଚା ହେଉଛି ।

ହେଲେ ନବୀନ ପଟ୍ଟନାୟକଙ୍କ ଶାଣିତ ଆଭିମୁଖ୍ୟ ଯେଉଁ ଦିଗକୁ ଇଙ୍ଗିତ କରୁଛି, ତାର ଅର୍ଥ ହେଲା ଆଂଚଳିକ ରାଜନୈତିକ ଦଳର ଗୁରୁତ୍ୱ ୨୦୧୯ରେ ବଢିବାକୁ ଯାଉଛି । ୨୦୧୪ରେ ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ମୋଦି କେନ୍ଦ୍ରରେ ଯେଉଁ ସରକାର ଗଢିଲେ ସେଥିରେ ଅଂଶୀଦାର ଦଳଗୁଡିକୁ ସଠିକ ଢଙ୍ଗରେ ଗୁରୁତ୍ୱ ଦିଆଯାଉନଥିବା ଶିବସେନା ସମେତ ଅନେକ ମେଂଟ ସହଯୋଗୀ ଅଭିଯୋଗ ଆଣିଥିଲେ । କିଛି ଦଳ ମେଂଟରୁ ଓହରି ନୂଆ ରାସ୍ତା ଧରିନେଲେ ଆଉ କିଛି ୨୦୧୯ର ସ୍ଥିତିକୁ ଆକଳନ କରୁଛନ୍ତି ।

ହେଲେ ଏହାରି ଭିତରେ ଯେଉଁ ଦିଗକୁ ମୁଖ୍ୟମନ୍ତ୍ରୀ ସାମ୍ନାକୁ ଆଣିଛନ୍ତି, ତାହା ହେଉଛି ଆଂଚଳିକ ରାଜନୈତିକ ଦଳର ବଢୁଥିବା ଗୁରୁତ୍ୱ । ଯଦି ୨୦୧୯ରେ ସଂଖ୍ୟା ଦୃଷ୍ଟିରୁ ମୋଦି କେନ୍ଦ୍ରରେ ସରକାର ଗଠନ କରିବାରେ ବିଫଳ ହୁଅନ୍ତି, ତେବେ ବିଜେଡି ଭଳି ଦଳ ହିଁ ସେମାନଙ୍କୁ ସହାୟକ ହୋଇପାର । ଆଉ ଏହା ପଛରେ ସବୁଠାରୁ ବଡ ଆଧାର ରହିବ ରାଜ୍ୟର ସ୍ୱାର୍ଥ । ଅର୍ଥାତ୍ ଦୀର୍ଘ ଦିନ ଧରି ଯେଉଁ ମୁଦ୍ଦା ଗୁଡିକ କେନ୍ଦ୍ରୀୟ ଅବହେଳାର ଶୀକାର ହୋଇ ଆସିଛି, ସେଗୁଡିକୁ ପ୍ରାଥମିକା ଭିତିରେ ସମାଧାନ କରାଇବା ହିଁ ଏହି ରଣନୀତିର ଅଂଶବିଶେଷ ହୋଇପାରେ ବୋଲି ଅନୁମାନ କରାଯାଉଛି ।

ପ୍ରଶ୍ନ ଉଠିବ ସମଦୂରତ୍ୱର କଥା କହୁଥିବା ବିଜେଡି, କିଭଳି ବିଜେପି ଆଡକୁ ଢଳିବ? ଅତୀତରେ ୯ ବର୍ଷ ବିଜେପି-ବିଜେଡି ମେଂଟ ଓଡିଶାକୁ ଶାସନ କରିଛି । କେନ୍ଦ୍ରରେ ମଧ୍ୟ ଏନଡିଏର ଅଂଶବିଶେଷ ଥିଲା ବିଜେଡି । ନବୀନ କେନ୍ଦ୍ରରେ ଏନଡିଏ ସରକାରରେ କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଓଡିଶାରେ କଂଗ୍ରେସ ଶାସନକୁ ବିରୋଧ କରି ବିଜେଡି କ୍ଷମତାକୁ ଆସିଛି । ତେଣୁ ୟୁପିଏ ପଟକୁ ଢଳିବା ଅପେକ୍ଷା ଏନଡିଏ ଆଡକୁ ଢଳିବାକୁ ନବୀଣ ଅଧିକ ଉଚିତ ମଣିପାରନ୍ତି ।

ରାଫେଲ ପ୍ରସଙ୍ଗରେ ଆଜିଯାଏଁ ଚୁପ ବସିଥିବା ବିଜେଡି ହଠାତ୍ ଏହି ଡିଲ ଉପରେ ପ୍ରଶ୍ନ ଉଠାଇଛି । ଏହା ବିଲକୁଲ ବି ଆକସ୍ମାତ ନୁହେଁ । ୨୦୧୯ ପାଇଁ ଥିବା ବୃହତ ରଣନୀତିର ଏହା ଅଂଶବିଶେଷ ଏହାକୁ ବୁଝିବାକୁ ପଡିବ । ଅତୀତରେ ଅନେକ ପ୍ରସଙ୍ଗରେ ବିଜେଡି ଯେତେବେଳେ କେନ୍ଦ୍ର ସରକାରର ସମର୍ଥନରେ ଠିଆ ହୋଇଥିଲା ହୁଏତ ସେତେବେଳେ ଦଳ ସାମ୍ନାରେ କିଛି ବାଧ୍ୟ ବାଧ୍ୟକତା ଥାଇପାରେ ହେଲେ ଏବେ କିନ୍ତୁ ୫ ରାଜ୍ୟର ନିର୍ବାଚନ ଫଳାଫଳ ପରେ କେନ୍ଦ୍ରୀୟ ସ୍ତରରେ ବିଜେଡିର ସ୍ଥିତି ମଜଭୁତ ହୋଇଥିବା ବେଳେ ବିଜେପିର ସ୍ଥିତି ଦୂର୍ବଳ ହୋଇଛି । ଯାହାର ଭରପୂର ଉପଯୋଗ କରିବାରେ ବ୍ୟସ୍ତ ବିଜୁ ଜନତା ଦଳ ।

ଆସନ୍ତା ୮ ତାରିଖରେ ଯେତେବେଳେ କୃଷକ ପ୍ରସଙ୍ଗକୁ ନେଇ ବିଜେଡି ଦିଲ୍ଲୀରେ ସମାବେଶ କରିବ, ସେତେବେଳେ କେନ୍ଦ୍ର ଦେଇଥିବା ପ୍ରତିଶ୍ରୁତି କିଭଳି ପ୍ରତାରଣାରେ ପରିଣତ ହୋଇଛି ତାହା ହୁଏତ ସାମ୍ନାକୁ ଆସିପାରେ ହେଲେ ନବୀନ ନେଇଥିବା ପଦକ୍ଷେପ ବାବଦରେ ମଧ୍ୟ ଅବତାରଣା କରାଯିବ । ଏହାର ଭିନ୍ନ ଏକ ଦିଗଟି ହେଲା, ଜାତୀୟ ସ୍ତରରେ ଯେଉଁ ଛାପ ନବୀନ ଛାଡିବାକୁ ଯାଉଛନ୍ତି, ତାକୁ ମଧ୍ୟ ବୁଝିବାର ଆବଶ୍ୟକତା ରହିଛି ।

ବିଧାନସଭା ଆଉ ଲୋକସଭାରେ ଯେତେବେଳେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ କରିବା ସଂକଳ୍ପକୁ ନବୀନ ପାରିତ କରାଇଲେ ଏବଂ ସବୁ ରାଜନୈତିକ ଦଳର ସହଯୋଗ ଲୋଡିବାକୁ ନିଜ ପ୍ରତିନିଧିଙ୍କୁ ପଠାଇଲେ ସେତେବେଳେ କେହି ଏହା ବିରୋଧରେ ପଦୁଟିଏ କହିବାକୁ ସାହାସ କଲେ ନାହିଁ । କାରଣ ବିରୋଧ କଲେ ବଡ ଭୋଟବ୍ୟାଙ୍କ ହାତରୁ ଖସିଯିବାର ଆଶଙ୍କା ସୃଷ୍ଟି ହେବ । ପଂଜାବ ଭଳି ରାଜ୍ୟ ତ ନବୀନଙ୍କ ପ୍ରସ୍ତାବ ସହ ଏକମତ ହୋଇ ସଂକଳ୍ପ ମଧ୍ୟ ପାରିତ କରାଇନେଲେ ।

ଏହି ସମସ୍ତ ଦିଗକୁ ଯଦି ଗୋଟିଏ ଦିଶାରେ ଦେଖି ବୁଝିବାକୁ ଚେଷ୍ଟା କରାଯାଏ ତେବେ ଉତ୍ତର ଆସିବ, ଜାତୀୟ ରାଜନୈତିକ ଦୃଶ୍ୟପଟ୍ଟରେ ଅନେକ କିଛି ପରିବର୍ତ୍ତନ ଆସିବାକୁ ଯାଉଛି । ଆଉ ବିଜୁ ଜନତା ଦଳ ଭଳି ଆଂଚଳିକ ରାଜନୈତିକ ଦଳ ଯେଉଁ ନିର୍ଣ୍ଣୟ ନେବେ ତାରି ଆଧାରରେ ଲେଖାଯିବ ଦିଲ୍ଲୀ ରାଜନୀତିରେ କିଏ ଗାଦି ଦଖଲ କରିବ । ଖାସ୍ ଏଥିପାଇଁ ରାଜ୍ୟର ୨୧ ଲୋକସଭା ଆସନରୁ କେତେ ଆସନରେ କିଏ ବାଜିମାତ କରିବ, ତାହା ହଠାତ ଗୁରୁତ୍ୱ ବହନ କରିବାରେ ଲାଗିଛି ।

ଇଣ୍ଡିଆ ସ୍ପେଣ୍ଡର ଏକ ରିପୋର୍ଟ ଅନୁସାରେ ନିକଟରେ ସରିଥିବା ୫ଟି ରାଜ୍ୟର ନିର୍ବାଚନରେ ମୋଦିଙ୍କ ଚମକ ଦେଖିବାକୁ ମିଳିନଥିଲା ।ଏହି ୱେବସାଇଟ କରିଥିବା ବିଶ୍ଲେଷଣ ଅନୁସାରେ, ମୋଦି ଯେଉଁ ସବୁ ସ୍ଥାନରେ ପ୍ରଚାର କରିଥିଲେ ସେଠି ୭୦ ପ୍ରତିଶତ ବିଧାନସଭା ଆସନ ବିଜେପି ହରାଇଥିଲା । ଅର୍ଥାତ୍ ମୋଦିଙ୍କ ଗ୍ରହଣୀୟତା ଉପରେ ବର୍ତ୍ତମାନ ସମୟରେ ସବୁଠାରୁ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେହିଭଳି ହିନ୍ଦୀ ହାର୍ଟଲ୍ୟାଣ୍ଡରେ ପରାଜୟ ୨୦୧୯କୁ ମଧ୍ୟ ପ୍ରଭାବିତ କରିବାକୁ ଯାଉଥିବା ଆକଳନ କରାଯାଉଛି ।

ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ହିମାଚଳ ପ୍ରଦେଶ, ହରିୟାଣା, ଉତ୍ତରାଖଣ୍ଡ, ଦିଲ୍ଲୀ, ବିହାର, ଝାରଖଣ୍ଡ, ୟୁପି ଏବଂ କେନ୍ଦ୍ରଶାସିତ ଅଂଚଳ ଚଣ୍ଡୀଗଡ ଭଳି ଅଂଚଳରେ ବିଜେପି ୨୦୧୪ରେ ଦବଦବା ଜାହିର କରିଥିଲା । ଏସବୁ ରାଜ୍ୟରେ ଥିବା ୨୪୫ ଲୋକସଭା ଆସନରୁ ବିଜେପି ୧୯୬ ଆସନରେ ବାଜିମାତ କରିଥିଲା । ଯଦି ମେଂଟ ସହଯୋଗୀଙ୍କୁ ମିଶାଯାଏ ତେବେ ୨୪୫ ଆସନରୁ ୨୧୧ ଏନଡିଏ ଖାତାକୁ ଯାଇଥିଲା । ଯାହାର ପୁନରାବୃତ୍ତି ହେବା ସମ୍ଭାବନା ଢେର କମ ବୋଲି ବିଶେଷଜ୍ଞ ଆକଳନ କରି ସାରିଲେଣି ।

କେବଳ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡର ୬୫ ଲୋକସଭା ଆସନରୁ ଦଳ ୬୨ ଆସନରେ ଜିତିଥିଲା । ଯାହା ମୋଦିଙ୍କୁ ସଂଖ୍ୟା ଗରିଷ୍ଠତା ହାସଲ କରିବାରେ ବେଶ ସହାୟକ ହୋଇଥିଲା । ତେବେ ଡିସେମ୍ବର ୧୧ ପରେ ଯେଉଁ ସ୍ଥିତି ଉପୁଜିଛି ସେଠି ବିଜେପି ୨୦୧୪ ତୁଳନାରେ ଢେର କମ ଅସନ ପାଇବ ବୋଲି ଆକଳନ କରାଯାଉଛି । ତେଣୁ ଯେଉଁ ସବୁ ସ୍ଥାନରେ ବିଜେପି ଆସନ ହରାଇବ ତାକୁ ଭରଣା କେଁଠାରୁ କରାଯିବ, ଯାହା ଆଜି ବି ବଡ ପ୍ରଶ୍ନ ହୋଇ ରହିଛି ।

ଏଭଳି କ୍ଷେତ୍ରରେ ୨୦୧୯ରେ ମେଂଟ ରାଜନୀତିର ଆବଶ୍ୟକତା ପଡିବ ବୋଲି ନିଶ୍ଚିତ ହୋଇଥିବା ରାଜନୈତିକ ଦଳଗୁଡିକ ନିଜ ନିଜର ଗୋଟିଚାଳନା ଆରମ୍ଭ କରିଦେଲେଣି । କେସିଆର ତେଲେଙ୍ଗାନାରେ କ୍ଷମତାକୁ ଆସିବା ପରେ ବିଭିନ୍ନ ରାଜନୈତିକ ଦଳଙ୍କୁ ଭେଟିବା ଓ ଏକ ମେଂଟର ଆଭାସ ଦେବାରୁ ହିଁ ବୁଝିବା ଯଥେଷ୍ଟ ଯେ, ଦିଲ୍ଲୀ ଗାଦିରେ ବସିବାକୁ ହେଲେ ମେଂଟ ଧର୍ମ ପାଳନ କରିବାକୁ ପଡିବ । ମୋଦି-ଶାହାଙ୍କ ଯୋଡି ଏଥିରେ ସଫଳ ହେବେ କି ନାହିଁ, ବଡ ପ୍ରଶ୍ନ ହୋଇ ରହିବ ।