ସଂସଦରେ ଉଠିବ ମହିଳା,ଚାଷୀ ଓ ସ୍ୱତନ୍ତ୍ର ପାହ୍ୟା ପ୍ରସଙ୍ଗ । ବିଜେଡ଼ି ସଂସଦୀୟ ଦଳ ବୈଠକରେ ହେଲା ନିଷ୍ପତି । 

124

କନକ ବ୍ୟୁରୋ: ଆସନ୍ତା ୧୧ ତାରିଖରୁ ସଂସଦରେ ବସିବ ଶୀତ ଅଧିବେସନ । କେନ୍ଦ୍ର ସରକାରଙ୍କୁ ଘେରିବାକୁ ବିଜେଡ଼ି ପ୍ରସ୍ତୁତ କରିଛି ବ୍ଲୁ-ପ୍ରିଣ୍ଟ । ଏନେଇ ଆଜି ନବୀନ ନିବାସରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ବିଜେଡ଼ି ସଂସଦୀୟ ଦଳ ବୈଠକ । ୨୦୧୯ ନିର୍ବାଚନୀ ପାଖେଇ ଆସୁଥିବାରୁ ବିଭିନ୍ନ ମୁଦ୍ଦା ଉଠାଇ କେନ୍ଦ୍ର ସରକାରଙ୍କୁ କାଉଣ୍ଟର କରିବାକୁ ବିଜେଡ଼ି ସୁପ୍ରିମୋ ନିଜ ସାଂସଦମାନଙ୍କୁ ଦେଇଛନ୍ତି ଗୁରୁମନ୍ତ୍ର ।

ଅନ୍ୟପଟେ ନିକଟରେ ସଂସଦ ଓ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ପାଇଁ ନବୀନ ଯେଉଁ ସଙ୍କଳ୍ପ ଆଣିଥିଲେ । ତାହାକୁ ଫୋକସ କରିବାକୁ ଅଣ୍ଟା ଭିଡ଼ିଛନ୍ତି ବିଜେଡ଼ି ସାଂସଦ । ଏନେଇ ପୂର୍ବରୁ ପ୍ରତି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରାଇଥିଲେ ନବୀନ । ଏହି ଦାବିକୁ ସଂସଦରେ ମୁଦ୍ଦା କରିବ ବୋଲି ବୈଠକରେ ନିଷ୍ପତି ହୋଇଛି । ସେହିଭଳି ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଭଳି ଦୀର୍ଘ ଦିନର ଦାବିକୁ ନେଇ ସଂସଦରେ ଉପସ୍ଥାପନ କରିବ ବିଜେଡ଼ି ।

ଏହାବଦ୍ ରାଜ୍ୟରେ ଚାଷୀ ସମସ୍ୟା, ପୋଲାଭରମ, ମହାନଦୀ, ଏବଂ ଏସସିଏସଟି ଛାତ୍ରଛାତ୍ରୀଙ୍କ ଭତ୍ତା ଅନୁଦାନ ହ୍ରାସ ପ୍ରସଙ୍ଗ ନେଇ ସଂସଦରେ ଦାବି କରିବେ ବିଜେଡ଼ି  । ଏହାସହ ତିତଲୀ ବିପର୍ଯ୍ୟୟରେ କେନ୍ଦ୍ରୀୟ ସହାୟତା ନମିଳିବା ପ୍ରଅସଙ୍ଗ ମଧ୍ୟ ଉପସ୍ଥାପିତ କରାଯିବ ବୋଲି ସାଂସଦ ପ୍ରତାପ ଦେବ କହିଛନ୍ତି ।