ରାଜନୀତିର ପଶାପାଲିରେ ପରିବାର ପ୍ରସଙ୍ଗ ! ନିଜ ହକ୍ ପାଇଁ ବିଜେପିର ଦ୍ୱାରସ୍ଥ ହେଲେ ବିଜେଡି ବିଧାୟକ ଅନୁଭବ ପଟ୍ଟନାୟକଙ୍କ ଭଉଣୀ

35

କନକ ବ୍ୟୁରୋ : ବିଜେପି କାର୍ଯ୍ୟାଳୟରେ ବିଜେଡି ବିଧାୟକଙ୍କ ଭଉଣୀ । ଖଣ୍ଡପଡା ବିଧାୟକ ଅନୁଭବ ପଟ୍ଟନାୟକଙ୍କ ଭଉଣୀ ଅବନ୍ତିକା ଭେଟିଛନ୍ତି ବିଜେପି ନେତାଙ୍କୁ । କିନ୍ତୁ କୌଣସି ରାଜନୈତିକ କାରଣ ପାଇଁ ନୁହେଁ ସାହାଯ୍ୟ ପାଇବା ପାଇଁ । ଆଉ ବିଜେପି କ୍ୟାମ୍ପରୁ ତାଙ୍କୁ ସାହାଯ୍ୟର ପ୍ରତିଶୃତି ମଧ୍ୟ ମିଳଛି । କେମିତି ତାଙ୍କୁ ପୈତୃକ ସମ୍ପତିରୁ ବେଦଖଲ କରାଯାଉଛି ସେ ନେଇ ବିଜେପି ନେତାଙ୍କୁ ଜଣାଇଛନ୍ତି ଅବନ୍ତିକା । ବିଧାୟକ ଅନୁଭବ ପଟ୍ଟନାୟକ, ପ୍ରଭାବଶାଳୀ । ନିଜ ହକ୍ର ଲଢ଼େଇ ଏକାକୀ ଲଢ଼ିବା ଭଉଣୀଙ୍କ ପକ୍ଷେ ସମ୍ଭବ ନୁହେଁ । ଆଉ ସେଥିପାଇଁ ବିଜେଡିର ନମ୍ବର ୱାନ ଶତ୍ରୁ ଶିବିର, ବିଜେପିର ଶରଣ ନେଇଛନ୍ତି ଅବନ୍ତିକା ପଟ୍ଟନାୟକ । କିଛି ଦିନ ତଳେ ନିଜ ଘର ସମ୍ମୁଖରେ ଧାରଣା ଦେଇଥିବା ଅବନ୍ତିକା ପୁଣି ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି । ଆଉ ଏଥିପାଇଁ ବିଜେପିର ନୈତିକ ସମର୍ଥନ ମଧ୍ୟ ମାଗିଛନ୍ତି । ହେଲେ ପାରିବାରିବ ପ୍ରସଙ୍ଗରେ ରାଜନୀତି ପଶିବା ଏବେ ବିଜେଡି ବିଧାୟକଙ୍କ ପାଇଁ ଅଡୁଆ ହୋଇଛି ।

abantikaସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଖଣ୍ଡପଡା ବିଧାୟକ ଅନୁଭବ ପଟ୍ଟନାୟକ । କହିଛନ୍ତି, ଭଉଣୀଙ୍କ ଦାବୀ ଅର୍ଥାତ୍ ସଂପତିରେ ଭାଗକୁ ସମର୍ଥନ କରନ୍ତି ହେଲେ ନିଷ୍ପତି ଆଇନ ଅନୁସାରେ ହେବାର ଆବଶ୍ୟକତା ରହିଛି । ଗଣମାଧ୍ୟମ କିମ୍ବା ଘର ଆଗରେ ଧାରଣା ଦେଲେ ଏହି ଘଟଣାର ସମାଧାନ ହୁଏ ନାହିଁ । ଏଥିପାଇଁ ଆଇନର ଆଶ୍ରୟ ନେବାକୁ ପଡିଥାଏ କିନ୍ତୁ ବିଜେପିର ଆଶ୍ରୟ ନେଲେ ଏହି ଘଟଣାର ସମାଧାନର ବାଟ ବାହାରିବନି ବୋଲି ସେ କହିଛନ୍ତି ।

ଘର କଳିରେ ଏବେ ଲାଗିଛି ରାଜନୀତିର ରଙ୍ଗ । ବିଜେଡି ନେତାଙ୍କୁ ଚେକମେଟ ଦେବାପାଇଁ ଭଉଣୀ ବିଜେପିର ଶରଣ ପଶିବା ଏବେ ବେଶ ଚର୍ଚ୍ଚା ସୃଷ୍ଟି କରିଛି । ଆଉ ବିଜେପି ଏହାକୁ ରାଜନୈତିକ ମୁଦ୍ଦା ବନାଉଛି ନା ହକ୍ ଦେବାରେ ସାଥ ହେଉଛି, ତା ଉପରେ ଏବେ ସମସ୍ତଙ୍କ ନଜର ନଜର ।