ହାଇକୋର୍ଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ମାମଲା ! ୩୧ ତାରିଖରେ ହେବ ପରବର୍ତ୍ତୀ ଶୁଣାଣି

35

କନକ ବ୍ୟୁରୋ : ଘୁଂଚିଲା ମୁଖ୍ୟମନ୍ତ୍ରୀ ନିର୍ବାଚନ ପାଣ୍ଠିରେ ଅନିୟମିତତା ମାମଲାର ଶୁଣାଣୀ । ଆସନ୍ତା ୩୧ ତାରିଖରେ ହେବ ଏହି ମାମଲାର ପରବର୍ତ୍ତୀ ଶୁଣାଣୀ । ତେବେ ଏହି ମାମଲାରୁ ଦ୍ୱିତୀୟ ପକ୍ଷ ଥିବା ରାଜ୍ୟ ନିର୍ବାଚନ କମିଶନ ଏବଂ ତୃତୀୟ ପକ୍ଷ ଗଂଜାମ ଜିଲ୍ଲାପାଳଙ୍କୁ ବାଦ୍ ଦେବା ପାଇଁ ହାଇକୋର୍ଟଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ମୁଳ ଆବେଦନକାରୀ ସୁବାଷ ମହାପାତ୍ର । ପୂର୍ବରୁ ବିଜେଡି ସୁବାଷ ମହାପାତ୍ରଙ୍କ ଏହି ଆବେଦନକୁ ନେଇ ଆପତି ଉଠାଇଥିଲା । ବିଜେଡିର କହିବା ଅନୁସାରେ ସୁବାଷ ମହାପାତ୍ର ହିଞ୍ଜିଳି ନିର୍ବାଚନ ମଣ୍ଡଳିର ହୋଇନଥିବା ବେଳେ ବିଧାୟକଙ୍କ ବିରୋଧରେ ନିର୍ବାଚନ ବି ଲଢ଼ୁନଥିଲେ । କିନ୍ତୁ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଓକିଲ ଆର.ଏନ୍ ହୁଡ୍ଡା କହିଛନ୍ତି- ଆବେଦନକାରୀଙ୍କ ପାଖରେ ଯଦି ଉପଯୁକ୍ତ ପ୍ରମାଣଥିବ ତେବେ ଭାରତର ଯେକୌଣସି ନାଗରିକ ଆବେଦନ କରିପାରିବ ।

ସେପଟେ ବିଜେଡିର ନିର୍ବାଚନ ପାଣ୍ଠିରେ ଅନିୟମିତତା ମାମଲାରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ଏହି ମାମଲାର ବିଚାର କରିବା ପାଇଁ କେନ୍ଦ୍ରୀୟ ନିର୍ବଚାନ କମିଶନଙ୍କୁ ଜଣାଇଛି ଭାରତୀୟ ଜନତା ପାର୍ଟି । ଆଜି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି । ତାଙ୍କ ସହ ବିଜେପି ବିଧାୟକ ରବି ନାୟକ ଏବଂ ହିଞ୍ଜଳିରୁ ବିଜେପି ବିଧାୟକ ପ୍ରାର୍ଥୀ ଥିବା ଦେବାନନ୍ଦ ମହପାତ୍ର ପ୍ରମୁଖ ସାମିଲ ଥିଲେ ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଗଂଜାମର ଜିଲ୍ଲାପାଳ ହାଇକୋର୍ଟରେ ଆବେଦନ କରିଥିଲେ ଯେ ଚାଲିିଥିବା ମାମଲା ଖାରଜ କରାଯାଉ । ମୁଖ୍ୟମନ୍ତ୍ରୀଙ୍କ ସାମ୍ବିଧାନିକ ପଦ ମର୍ଯ୍ୟାଦାରେ ଏଭଳି ଏକ ମାମଲା ଆଂଚ୍ ଆଣିଛି ବୋଲି ଏହି ପିଟିସନରେ ଗଂଜାମର ଜିଲ୍ଲାପାଳ ତଥା ରିଟର୍ନିଂ ଅଫିସର ପ୍ରେମ୍ ଚନ୍ଦ୍ର ଚୌଧୁରୀ ଦର୍ଶାଇଥିଲେ ।

ମୁଖ୍ୟମନ୍ତ୍ରୀ ଏକ ସାମ୍ବିଧାନିକ ପଦବୀରେ ରହିଥିବାରୁ ଏବଂ ଆବେଦନକାରୀ ସିଧାସଳଖ ଏସଂପର୍କରେ ଗଣମାଧ୍ୟମକୁ ଯାଉଥିବାରୁ ପଦମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରୁଛି ବୋଲି ସେ କହିଥିଲେ । ଏ ସମସ୍ତ ଅଭିଯୋଗ ମିଥ୍ୟା ଓ ଭିତ୍ତିହୀନ ବୋଲି ଜିଲ୍ଲାପାଳ ଦାବି କରିଥିଲେ । ଆବେଦନକାରୀ ମୁଖ୍ୟମନ୍ତ୍ରୀ ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ବା ଭୋଟର ନୁହନ୍ତି । ତେଣୁ ଆବେଦନକାରୀଙ୍କ ଏହି ମାମଲା ଗ୍ରହଣଯୋଗ୍ୟ ନୁହେଁ ବୋଲି ଜିଲ୍ଲାପାଳ ଦର୍ଶାଇଥିଲେ ।