ବିଜେପୁର ଜନାଦେଶ ନେଇ ବିଜେପି-ବିଜେଡି ମୁହାଁମୁହିଁ ! ଅମିତ ଶାହାଙ୍କୁ ଓଡିଶାରେ ଲଢିବାକୁ ମହାରଥୀଙ୍କ ଆହ୍ୱାନ, ଜୁଏଲ ଓରାମଙ୍କ କଟାକ୍ଷ, ଜିଣା ନୁହେଁ – କିଣା ହୋଇଛି ବିଜୟ

28

କନକ ବ୍ୟୁରୋ : ବିଜେପୁର ଉପନିର୍ବାଚନ ପରେ ଆଜି ରାଜ୍ୟ ବିଜେପିର ବରିଷ୍ଠ ନେତା ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ବିଜେଡି ଅର୍ଥବଳ କାରଣରୁ ଏହି ନିର୍ବାଚନ ଜିତିବାରେ ସକ୍ଷମ ହୋଇଛି । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି, ଏହା ଜିଣା ଭୋଟ୍ ନୁହେଁ, କିଣା ଭୋଟ୍ । ଏଥିସହ ତ୍ରିପୁରା ବିଜୟରେ ଉତ୍ସାହିତ ବିଜେପି କହିଛି, ଓଡିଶାରେ ୧୨୦ର ଲକ୍ଷ୍ୟ ପାଇଁ କାମ ଚାଲିଛି । ସେପଟେ ବରିଷ୍ଠ ବିଜେଡି ନେତା ତଥା ମନ୍ତ୍ରୀ ପ୍ରଦୀପ ମହାରଥୀ ବିଜେପିର ଅଭିଯୋଗକୁ ନେଇ କଟାକ୍ଷ କରିଛନ୍ତି । ପାଲଟା ମହାରଥୀ ଆହ୍ୱାନ ଦେଇଛନ୍ତି ଯେ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡିଶାରୁ ନିର୍ବାଚନ ଲଢନ୍ତୁ ।

ବିଜେପୁର ପରାଜୟ ପରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପ୍ରଥମ ପ୍ରେସମିଟ୍ । ତ୍ରିପୁରାରେ ବିଜୟ ପରେ ନୈତିକ ବଳ ସାଉଁଟି ପାରିଥିବା- ବିଜେପି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛି, ବିଜେପୁର ବିଜୟ ଜିଣା ନୁହେଁ କିଣା ଭୋଟ୍ । ବିଜେପୁରରେ କଂଗ୍ରେସ ସହ ବିଜେଡି ଫିକ୍ସିଂ କରି ନିର୍ବାଚନ ଜିତିଛି । ତେବେ ବିଜେପିର ଏଭଳି ପ୍ରତିକ୍ରିୟାରେ ବିଜେଡି କହିଛି, ବିଜେପି ଯଦି ଆରବିଆଇ ହୁଏ ତେବେ ବିଜେଡି ହେଉଛି ଏସବିଆଇ ।

ଏସବୁ ଭିତରେ ଉତର ପୁର୍ବାଂଚଳ ରାଜ୍ୟ ଗୁଡିକରେ ବିଜେପିର ଭଲ ପ୍ରଦର୍ଶନ ପରେ, ଦଳର ରଷ୍ଟ୍ରୀୟ ଅଧକ୍ଷ ଅମିତ ଶାହା ତାଙ୍କର ଓଡିଶା ଟାର୍ଗେଟ କଥା ଦୋହରାଇ ଥିଲେ । ଅମିତ ଶାହାଙ୍କ ଏହି ବୟାନ ପରେ, ଆଜି ଦଳ ପ୍ରେସମିଟ୍ କରି କହିଛି ଓଡିଶାରେ ୧୨୦ର ଲକ୍ଷ୍ୟ ପାଇଁ ସେମାନେ କାମ କରୁଛନ୍ତି । ଦଳ ମଧ୍ୟ ଆଗାମୀ ନିର୍ବାଚନରେ ଜିତିବ ବୋଲି ଦୃଢୋକ୍ତି ପ୍ରକାଶ କରିଛି ବିଜେପି । ତେବେ ବିଜେପିର ଦମ୍ଭ ଭାଙ୍ଗିବାକୁ ବାଣ ମାରିଛନ୍ତି ପ୍ରଦୀପ ମହାରଥୀ । ମିଶନ ୧୨୦କୁ ନେଇ କଷିଛନ୍ତି ନୂଆ ଅଙ୍କ । ୨୦୧୯ରେ ୧୨ରୁ ୨୦ଟି ଆସନ ଭିତରେ ସୀମିତ ରହିବ ବୋଲି ପ୍ରଦୀପ କହିଛନ୍ତି ।

ତେବେ ତ୍ରିପୁରା ବିଜୟ ସହ ଓଡିଶାର ସଂପର୍କ ଯୋଡିବାକୁ ଯାଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି ଯେଉଁ ସଂସ୍ଥା ତ୍ରିପୁରା ମୁଖ୍ୟମନ୍ତ୍ରୀ ମାନିକ ସରକାରଙ୍କୁ ପୁରଷ୍କାର ଦେଇଥିଲା ସେହି ସଂସ୍ଥା ନବୀନଙ୍କୁ ମଧ୍ୟ ପୁରସ୍କାର ଦେଇଥିଲା । ତେଣୁ ତ୍ରିପୁରାରେ ମାନିକ ସରକାରଙ୍କର ଯେଉଁ ଅବସ୍ଥା ହେଲା ଓଡ଼ିଶାରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିବ । ଜୁଏଲଙ୍କ ମନ୍ତବ୍ୟ ଉପରେ ମହାରଥୀ କହିଛନ୍ତି, ବିଜେପିର ମିଶନ୧୨୦ର ଆଶା ଆଶାରେ ରହିଯିବ ।

ବିଜେପୁର ଉପନିର୍ବାଚନ ପରେ, ଶକ୍ତ ରାଜନୈତିକ ଧକ୍କା ଲାଗିଥିବା ରାଜ୍ୟ ବିଜେପିକୁ ଉତର ପୁର୍ବାଂଚଳରରେ ବିଜୟ ନୂଆ ଆଶା ଆଣି ଦେଇଛି । ଏପଟେ ବଡ ବ୍ୟବଧାନରେ ଜିତିଥିବା ବିଜେଡି କହିଛି ତ୍ରିପୁରା ବିଜୟର ଓଡିଶାରେ କୌଣସି ପ୍ରଭାବ ପଡିବ ନାହିଁ ।