ବିଜେପି-ବିଜେଡି ଲହୁଲୁହାଣ ! ରାୟଗଡ଼ାରେ ଦୁଇ ଦଳର କର୍ମୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ

23

କନକ ବ୍ୟୁରୋ :  ବିଜେଡି କାର୍ଯ୍ୟାଳୟରେ ବିଜେପି କର୍ମୀ । ହାତରେ ଟାଙ୍ଗିଆ, ଭୁଜାଲି ଓ ମାରଣାସ୍ତ୍ର ନେଇ ୬୦ରୁ ୭୦ ଜଣ କର୍ମୀ କରିଛନ୍ତି ଆକ୍ରମଣ । ଆଉ ତାପରେ ମୁହାଁମୁହିଁ, ଦୁଇ ଦଳର ସମର୍ଥକ । ରକ୍ତାକ୍ତ ସଂଘର୍ଷ । ବିଜେଡି କାର୍ଯ୍ୟାଳୟରେ ହୋଇଛି ବ୍ୟାପକ ଭଂଗାରୁଜା । ରାସ୍ତାରେ ନଷ୍ଟ ହୋଇଯାଇଛି ୨୦ ରୁ ଅଧିକ ଗାଡି ।

ଗତକାଲି ରାଣୀଗୁଡା ଫାର୍ମରେ ମୁହାଁମୁହିଁ ହୋଇଥିଲେ ଦୁଇ ଦଳର ସମର୍ଥକ । ଯେଉଁଥିରେ ଗୁରୁତର ଆହତ ହୋଇଥିଲେ କିଛି ବିଜେପି କର୍ମୀ । ଆଉ ଆଜି ସକାଳୁ ଦେଖିବାକୁ ମିଳିଥିଲା ତାର ପ୍ରତିଫଳନ । ବିଜେପି କର୍ମୀ ପ୍ରତିଶୋଧ ପରାୟଣ ହୋଇ ବିଜେଡି ଅଫିସରେ ଧଶେଇ ପଶି ଆକ୍ରମଣ କରିଥିଲେ । ତେବେ କୁହାଯାଉଛି, ଏହା ଗତକାଲିର ନୁହେଁ ବରଂ ବର୍ଷ ବର୍ଷର ଶତ୍ରୁତା ।

ବିଜେଡି କାର୍ଯ୍ୟାଳୟ ସମେତ ସାଂସଦ ଏନ୍. ଭାସ୍କର ରାଓଙ୍କ ଘର ଉପରକୁ ବି ଆକ୍ରମଣ ହୋଇଛି । ଘଟଣାକୁ ନେଇ ଚାପା ଉତ୍ତେଜନା ଲାଗି ରହିଛି । ଫଳରେ ସାଂସଦଙ୍କ ବାସଭବନ ପରିସରରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।