ରତ୍ନ ଭଣ୍ଡାର ଚାବିକୁ ନେଇ ବିଜେଡି-ବିଜେପି କଳି : ମୁହାଁମୁହିଁ ହେଲେ ପୀତାମ୍ବର ଆଚାର୍ଯ୍ୟ ଓ ପିନାକୀ ମିଶ୍ର

31

କନକ ବ୍ୟୁରୋ : ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି । କମିସନ ତଦନ୍ତ ବସାଇ ମୁଖ୍ୟମନ୍ତ୍ରୀ କେବଳ ନିଜ ଭାବମୂର୍ତ୍ତି ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ । ସେ କହିଛନ୍ତି ଓଡ଼ିଆଙ୍କ ଭାବାବେଗଙ୍କ ସହ ମୁଖ୍ୟମନ୍ତ୍ରୀ ଖେଳିଛନ୍ତି । ପ୍ରଭୁଙ୍କର ମୂଲ୍ୟବାନ ରତ୍ନଭଣ୍ଡାର ଚାବିକୁ ହଜେଇ ଦେଇଛନ୍ତି । ଯଦି ସରକାର ନିଜ ତରପରୁ ଫୌଜଦାରୀ ମୋକଦମା ତୁରନ୍ତ ଦାଏର ନକରିନ୍ତି, ତେବେ ଭାରତୀୟ ଜନତା ପାର୍ଟି ଲୋକଙ୍କ ପାଖରେ ରାଜ୍ୟ ସରକାରଙ୍କ ସ୍ଥାଣୁତାର ବାର୍ତ୍ତା ନେଇ ପହଞ୍ଚାଇବ । ଏହାହସ ସେ କହିଛନ୍ତି ଓଡ଼ି଼ଶାବାସୀ ଦୁର୍ନୀତିଗ୍ରସ୍ତ ମୁଖ୍ୟମନ୍ତ୍ରୀଙ୍କୁ ବୁଝି ସାରିଲେଣି ସେ ଆଉ ତାଙ୍କୁ କ୍ଷମା ଦେବେ ନାହିଁ । ସେପଟେ ଚାବି ହଜିବାକୁ ନେଇ ରାଜନୀତି ନକରିବାକୁ କହିଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର । ଏପରି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ରାଜନୀତି କରିବା ଠିକ୍ ନୁହେଁ ଓ ଏଥିପାଇଁ ଏକ ତଦନ୍ତ କମିଶନ ବସିଛି ବୋଲି ମଧ୍ୟ ସେ କହିଛନ୍ତି । ସେମନେ ଖୁବ ଶୀଘ୍ର ଏନେଇ ନିଷ୍ପତ୍ତି ନେବେ । ଏହାସହ ପୀତାମ୍ବର ଆଚାର୍ଯ୍ୟଙ୍କ ବୟାନକୁ ଦାୟିତ୍ୱହୀନ ବୋଲି ମଧ୍ୟ ସେ କହିଛନ୍ତି । ତଦନ୍ତ କମିଶନ କଣ କହୁଛନ୍ତି ସେ ନେଇ ଅପେକ୍ଷା କରନ୍ତୁ ଓ ଏହି ପ୍ରସଙ୍ଗରେ ନବୀନ ପଟ୍ଟନାୟକଙ୍କୁ ମଝିକୁ ଟାଣିବାର କୌଣସି ମାନେ ନାହିଁ ବୋଲି ସେ କହିଛନ୍ତି ।

ସେପେଟ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ଶ୍ରୀମନ୍ଦିରର ସ୍ଥିତି ଅନୁଧ୍ୟାନ କରିଛନ୍ତି ଜିଲ୍ଲା ଜଜ୍ ଅମ୍ବୁଜ ମୋହନ ଦାସ । ପ୍ରଥମେ କାର୍ଯ୍ୟାଳୟକୁ ଯାଇ ଜିଲ୍ଲାପାଳ, ନୀତି ପ୍ରଶାସକ, ଏସପି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦେଶାବଳୀ ପାଳନ ହୋଇଛି କି ନାହିଁ, ସେନେଇ ପଚାରି ବୁଝିଛନ୍ତି । ସେପଟେ ଶ୍ରୀମନ୍ଦିର ଭିତରେ କେମିତି ଚାଲିଛି ଦିଅଁ ଦର୍ଶନ, ଏହାର ରିଅଲିଟି ଚେକ କରିଛି କନକ ନ୍ୟୁଜ ।

ଅନ୍ୟପଟେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଆଜି ରାଜ୍ୟବ୍ୟାପି ବିକ୍ଷୋଭ କରିଛି ବିଜେପି । ସବୁ ଜିଲ୍ଲା ଓ ସଦର ମହକୁମାର ବିକ୍ଷୋଭ କରିବା ସହିତ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ସରକାରଙ୍କୁ କାଠଗଡ଼ାରେ ଠିଆ କରିବାକୁ ପ୍ରାୟସ କରିଛି । ସେହିପରି ଆସନ୍ତାକାଲିଠୁ ସପ୍ତାହେ ବ୍ୟାପି ରାଜ୍ୟର ସମସ୍ତ ଥାନା ସମ୍ମୁଖରେ ବିଜେପି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏଫଆଇଆର ଦେବ । ଏପଟେ ରାଜ୍ୟରେ ଥିବା ସମସ୍ତ ଜଗନ୍ନାଥ ମନ୍ଦିରମାନଙ୍କରେ ସମୂହ ଦୀପ ଦାନ କରିବ । ଶ୍ରୀମନ୍ଦିର ସଂପତିକୁ ସରକାର ସୁରକ୍ଷା ଦେବାକୁ ଅସମର୍ଥ ଥିବା ବେଳେ ରାଜ୍ୟବାସୀଙ୍କୁ କେମିତି ସୁରକ୍ଷା ଦେବେ ବୋଲି ବିଜେପି ପ୍ରଶ୍ନ କରିଛି ।