ଦିଲ୍ଲୀ ବଜାରରେ ଓଡିଶା ଆମ୍ବ : ରାୟଗଡାରୁ ଦିଲ୍ଲୀ ଓ ରାୟପୁର ଗଲା ୨୦୦ ମେଟ୍ରିକ ଟନର ବିଭିନ୍ନ କିସମ ଆମ୍ବ

67

କନକ ବ୍ୟୁରୋ : ଦିଲ୍ଲୀ ଗଲା ରାୟଗଡାର ଆମ୍ବ । ନୂଆ ଦିଲ୍ଲୀର ବଜାରରେ ଏବେ ମିଳିବ ରାୟଗଡାର ସୁସ୍ୱାଦୁ ଆମ୍ବ । ଆଜି ଜିଲ୍ଲା ପ୍ରଶାସନ ଓ ଓରମାସ ପକ୍ଷରୁ ୨ଶହ ମେଟ୍ରିକ୍ ଟନ୍ ଆମ୍ବ ରାୟଗଡାରୁ ଟ୍ରେନରେ ଦିଲ୍ଲୀ ପଠାଯାଇଛି । ଏବଂ ଆମ୍ବଚାଷୀ ସେମାନଙ୍କ ଫସଲର ଉଚିତ ମୂଲ୍ୟ ପାଇପାରିଛନ୍ତି ।

ଭଳିକି ଭଳି କିସମ ଓ ସ୍ୱାଦର ସମ୍ଭାର । ମିଠା ଆମ୍ବର ବାସ୍ନାରେ ମହକି ଉଠୁଛି ପରିବେଶ । ଏଥର ରାୟଗଡାରେ ଭଲ ଆମ୍ବ ଫସଲ ହୋଇଛି । ଦଶେରୀ, ବାଇଗଣପଲି, ସୁବର୍ଣ୍ଣରେଖା, ମଲ୍ଲିକା ଓ ଲାଙ୍ଗଡା ଭଳି ମିଠା ଆମ୍ବ ଫଳାଇଛି ଚାଷୀ । ହେଲେ ଶୀତଳ ଭଣ୍ଡାର ଓ ବିକ୍ରି ପାଇଁ ବଜାର ବ୍ୟବସ୍ଥା ନଥିବାରୁ ଅଭାବି ବିକ୍ରିର ସମ୍ମୁଖୀନ ହେଉଥିଲେ । ଚାଷୀଙ୍କୁ ସେମାନଙ୍କ ଫସଲର ଉଚିତ ମୂଲ୍ୟ ଯୋଗାଇଦେବାକୁ ଉଦ୍ୟମ କରିଛି ଜିଲ୍ଲା ପ୍ରଶାସନ । ଦିଲ୍ଲୀ ପଠାଯାଇଛି ରାୟଗଡାର ଆମ୍ବ ।

ଆମ୍ବ ପାଇଁ ଦିଲ୍ଲୀର ମଦର ଡାଇରୀ ସହ ବୁଝାମଣା କରିଛି ରାୟଗଡା ପ୍ରଶାସନ ଓ ଓରମାସ୍ । ଏବର୍ଷ ୩ଶହ ମେଟ୍ରିକ୍ ଟନ୍ ଆମ୍ବ ପଠାଇବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ୨ ଶହ ମେଟ୍ରିକ୍ ଟନ୍ରୁ ଅଧିକ ଆମ୍ବ ଟ୍ରେନ୍ରେ ପଠା ଯାଇଛି । ଫଳରେ ଚାଷୀ ମୁହଁରେ ହସ ଫୁଟିଛି । ଦିଲ୍ଲୀରେ ପହଁଚିଛି ରାୟଗଡାର ଆମ୍ବ । ରାଜଧାନୀବାସୀ ଚାଖି ପାରିଛନ୍ତି ଦେଶୀ ଆମ୍ବର ସ୍ୱାଦ । ଏଥିସହ ନୂଆଦିଲ୍ଲୀ ସହ ଯୋଡି ହୋଇଯାଇଛି ରାୟଗଡାର ସମ୍ପର୍କ ।