ଲୋକସଭାରେ ଅନ୍ତଃରାଜ୍ୟ ଜଳ ବିବାଦ ବିଲ ଆଗତକୁ ବିଜେଡିର ବିରୋଧ ! ସାଂସଦ ଭତୃହରି କହିଲେ, ରାଜ୍ୟ ବ୍ୟାପାର ହୋଇଥିଲେ ବି କାହାର ସମ୍ମତି ନେଇନି କେନ୍ଦ୍ର

46

କନକ ବ୍ୟୁରୋ : ଲୋକସଭାରେ ଇଂଟରଷ୍ଟେଟ ରିଭର ୱାଟର ଡିସପ୍ୟୁଟ ଆମେଣ୍ଡମେଂଟ ବିଲ୍ ଆଗତକୁ ବିରୋଧ କଲା ବିଜେଡି । ସାଂସଦ ଭର୍ତୃହରି ମହତାବ କହିଲେ ଜଳ ବଂଟନ ଏକ ରାଜ୍ୟ ବ୍ୟାପାର । ସମ୍ବିଧାନରେ ରାଜ୍ୟ ବ୍ୟାପାର ନେଇ କୌଣସି ବିଲ୍ ଆଗତ ନେଇ ସ୍ୱତନ୍ତ୍ର ନିୟମ ରହିଛି ।

ଏହା ରାଜ୍ୟ ବ୍ୟାପାର ହୋଇଥିଲେ ବି କୌଣସି ରାଜ୍ୟର ମତାମତ ନନେଇ କେନ୍ଦ୍ର ସରକାର ଏହି ଆମେଣ୍ଡମେଂଟ ବିଲ ପ୍ରସ୍ତୁତ କରିଛନ୍ତି । ଏହି ବିଲ୍ ଯୋଗୁଁ ରାଜ୍ୟ–ରାଜ୍ୟ ମଧ୍ୟରେ ଯେଉଁ ଜଳ ବିବାଦ ରହିଛି ତାହାର ସମାଧାନ ହେବନାହିଁ ବୋଲି ଭର୍ତୃହରି କହିଛନ୍ତି । ଏଥିରେ ଯେଉଁ ବ୍ୟବସ୍ଥା ରହିଛି ତାହା ଗ୍ରହଣୀୟ ନୁହେଁ ବୋଲି କହିଥିଲେ ବିଜେଡି ସାଂସଦ ।

ବିଜେଡି ସାଂସଦଙ୍କ ଏହି ଅଭିଯୋଗ ଉପରେ ଲୋକସଭାରେ ଉତର ରଖିଛନ୍ତି ଜଳସମ୍ପଦ ମନ୍ତ୍ରୀ ଉମାଭାରତୀ । ଏହି ବିଲରେ କୌଣସି ବ୍ୟବସ୍ଥା ନଥିବା କଥା ସାଂସଦ କହିଥିଲେ ମଧ୍ୟ ଏଥିପାଇଁ ଉପଯୁକ୍ତ ଯୁକ୍ତି ରଖିନାହାନ୍ତି ବୋଲି ଉମାଭାରତୀ କହିଛନ୍ତି । ଏହାସହ ସମ୍ବିଧାନର ଧାରା ୨୬୨ ଅନୁଯାୟୀ ପାର୍ଲାମେଂଟରେ ଏପରି ବିଲ୍ ଅଣାଯାଇ ପାରିବ ଯାହା ଦ୍ୱାରା ରାଜ୍ୟ ମଧ୍ୟରେ ଥିବା ଜଳ ବିବାଦର ସମାଧାନ କରାଯାଇ ପାରିବ ବୋଲି ଉତର ରଖିଛନ୍ତି ଜଳସମ୍ପଦ ମନ୍ତ୍ରୀ  ।