ଟ୍ରକ ପଛରେ ପଶିଗଲା ବାଇକ । ଘଟଣା ସ୍ଥଳରେ ୨ ବାଇକ ଆରୋହୀ ମୃତ

32

କନକ ବ୍ୟୁରୋ : ଦୁର୍ଗାପୂଜା ଦେଖିବାକୁ ବାଇକରେ ଉମରକୋଟ ଯାଉଥିବା ବେଳେ ନବରଙ୍ଗପୁର ଜିଲ୍ଲା ଉମରକୋଟ-ରାଇଘର ରାସ୍ତାରେ ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକ୍ ପଛରେ ପିଟି ହେବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଦୃତଗତରେ ଆସୁଥିବା ବାଇକ ଟ୍ରକ୍ ପଛରେ ଅଧାରୁ ଅଧିକ ପଶିଯିବା ଫଳରେ ବାଇକ ଚାଳକ ଟ୍ରକ୍ – ବାଇକ ଚାପି ହୋଇ ରହିଯାଇଥିଲେ। ପଛରେ ବସିଥିବା ଯୁବକ ଜଣକ ତଳେ ପଡ଼ିଯାଇଥିଲେ। ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଆଉ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛିି।

 

ପୁଲିସ ସୂତ୍ରରୁ ପ୍ରକାଶ ଯେ, ୟୁଭି-୧ ବଡ଼କୁମାରୀ ଗ୍ରାମର ମଞ୍ଜିତ ବେପାରୀ ଓ ୟୁଭି ୧୦ ସୁନାବେଡ଼ା ଗ୍ରାମର ସତ୍ୟଜିତ ସରକାର ଦୁର୍ଗାପୂଜା ଦେଖିବାକୁ ଓଡି ୨୪ ଡି ୨୯୭୮ ନମ୍ବର ବିଶିଷ୍ଟ ବାଇକରେ ଉମରକୋଟ ଦୁର୍ଗା ପୂଜା ଦେଖିବାକୁ ଯାଉଥିବା ବେଳେ ଉମରକୋଟ-ରାଇଘର ରାସ୍ତାରେ ପେଟ୍ରୋଲ ପମ୍ପ ନିକଟରେ ଯାଉଥିବା ସିଜି ୦୪ଜି ୫୯୪୫ ନମ୍ବର ବିଶିଷ୍ଟ ଟ୍ରକ ପଛରେ ପିଟି ହୋଇଯାଇଥିଲେ। ବାଇକଟି ଦୃତଗତିରେ ଯାଇ ଟ୍ରକ୍ ପଛପଟେ ଅଧାରୁ ଅଧିକ ପଶିଯାଇଥିଲା। ଫଳରେ ବାଇକ ଚଲାଉଥିବା ମଞ୍ଜିତ ବାଇକ ଓ ଟ୍ରକ ଭିତରେ ଚାପି ହୋଇ ଘଟଣାସ୍ଥଳରେ ପ୍ରାଣତ୍ୟାଗ କରିଛନ୍ତି । ପଛରେ ବସିଥିବା ସତ୍ୟଜିତ ତଳେ ପଡ଼ିଯିବାରୁ ମୁଣ୍ଡ ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିଲା। ତାଙ୍କୁ ଡ଼ାକ୍ତରଖାନା ନେବା ବାଟରେ ସତ୍ୟଜିତଙ୍କର ମଧ୍ୟ ମୃତ୍ୟୁ ଘଟିଛି।