ରାତି ଅଧରେ ଦୌଡିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ଜ୍ୟୋତିରାଦିତ୍ୟ ସିନ୍ଧିଆ । କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ଜନ୍ମଦିନରେ କେକ୍ କାଟିଲେ, ଭିଡ଼ିଓ ହେଲା ଭାଇରାଲ

36

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜୟ ହାସଲ କରିବାକୁ କଂଗ୍ରେସ ଦଳ ପୂରା ଜୋର ଲଗାଇଦେଇଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଗତ ଦୁଇ ଦିନ ଧରି ଗ୍ୱାଲିୟର-ଚମ୍ବଲରେ ଜୋରଦାର ପ୍ରଚାର କରୁଛନ୍ତି । କିନ୍ତୁ ଏତେ ବ୍ୟସ୍ତ କାର୍ଯ୍ୟସୂଚୀ ମଧ୍ୟରେ ରାହୁଲ ଗାନ୍ଧି ନିଜ ସ୍ୱାସ୍ଥ୍ୟ ପ୍ରତି ଆଦୌ ଅବହେଳା କରୁନାହାନ୍ତି । ଏପରିକି ଫିଟନେସ ଠିକ୍ ରଖିବା ପାଇଁ ରାହୁଲ ମଧ୍ୟପ୍ରଦେଶରେ ରାତିରେ ଦୌଡିଥିବାର ନଜର ଆସିଛନ୍ତି ।

ରାହୁଲ ଗାନ୍ଧି ଓ ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ଏହି ଦୁଇ ନେତା ପଡିଆରେ ଦୌଡିଥିବାର ଦେଖାଦେଇଛି । ତେବେ ଏହି ଖବର କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ପାଖରେ ପହଞ୍ଚିବା ପରେ ରାହୁଲ ଗାନ୍ଧିଙ୍କୁ ଭେଟିବା ପାଇଁ ପଡିଆରେ ପହଞ୍ଚିଥିଲେ । ଏପରିକି ଜଣେ କଂଗ୍ରେସ କାର୍ଯ୍ୟକର୍ତ୍ତା ନିଜ ଜନ୍ମଦିନରେ ରାହୁଲ ଭେଟିବା ସହ କେକ୍ କାଟିଥିଲେ । ଆଉ ରାହୁଲଙ୍କ ଏଭଳି ଅନ୍ଦାଜ ଦେଖି କଂଗ୍ରେସ କାର୍ଯ୍ୟକର୍ତ୍ତା ମଧ୍ୟ ବେଶ ଉତ୍ସାହିତ ଥିଲେ । କେକ୍ କାଟିବା ପରେ ରାହୁଲ ଫେରିଯାଇଥିଲେ ।

ଏହାପୂର୍ବରୁ ସୋମବାର ରାହୁଲ ପୀତାମ୍ବର ପୀଠରେ ପୂଜା କରିବା ସହ ଗ୍ୱାଲିୟର-ଚମ୍ବଲ ଗସ୍ତ ଆରମ୍ଭ କରିଥିଲେ । ଏହି ସମୟରେ କଂଗ୍ରେସ ପାଇଁ ଜୋରଦାର ପ୍ରଚାର କରିଥିଲେ ରାହୁଲ ।