କନକ ବ୍ୟୁରୋ : ପ୍ରତିଷ୍ଠିିତ ଦିଲ୍ଲୀ ଏମ୍ସର କାର୍ଯ୍ୟଶୈଳୀକୁ ଭୁବନେଶ୍ୱର ସମେତ ଦେଶର ୬ଟି ଏମ୍ସରେ ସୁଦୂରପ୍ରସାରୀ କରିବା କାର୍ଯ୍ୟ ନୀତି ଆୟୋଗ ପକ୍ଷରୁ ଆରମ୍ଭ କରାଯାଇଛି। ଭୁବନେଶ୍ୱର, ଭୋପାଳ, ରାୟପୁର, ପାଟନା, ଯୋଧପୁର ଏବଂ ଋଷିକେଷ ଏମ୍ସର ଡାକ୍ତରମାନଙ୍କୁ ଦିଲ୍ଲୀ ଏମ୍ସ, ମୁମ୍ବାଇର ଟାଟା ମେମୋରିଆଲ ଏବଂ ବେଙ୍ଗାଲୁରୁର ନିମହାନ୍ସ ଭଳି ସଂସ୍ଥାରେ ପ୍ରଶିକ୍ଷଣ ଦିଆଯିବ। ଭୁବନେଶ୍ୱର ସମେତ ଏହି ୬ଟି ଏମ୍ସରେ ବର୍ତ୍ତମାନ ସୁଦ୍ଧା ଦିଲ୍ଲୀ ଏମ୍ସ ଭଳି ସଂସ୍କୃତି ବିକଶିତ ହୋଇପାରି ନଥିବାରୁ ଏସବୁ ସଂସ୍ଥାଗୁଡ଼ିକ ବ୍ରାଣ୍ଡ ଭାଲ୍ୟୁ ଉପଯୋଗୀ ହୋଇପାରିନଥିବା କୁହାଯାଉଛି। ଫଳସ୍ୱରୂପ, ଆଜି ମଧ୍ୟ ଓଡ଼ିଶାରୁ ଅନେକ ରୋଗୀ ଦିଲ୍ଲୀ ଏମ୍ସକୁ ଆସୁଛନ୍ତି।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନାନୁଯାୟୀ, ଗତବର୍ଷ ଦିଲ୍ଲୀ ଏମ୍ସକୁ ୩୫ ଲକ୍ଷ ୩୩ ହଜାର ରୋଗୀ ଆସିଥିବା ବେଳେ ସେଥିରୁ ୨ ଲକ୍ଷ ୧୯ ହଜାର ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ସେଥିରୁ ୧ ଲକ୍ଷ ୭୦ ହଜାର ରୋଗୀଙ୍କର ଶଲ୍ୟ ଚିକିସ୍ତା ହୋଇଥିଲା। ଦେଶର ବିଭିନ୍ନ ରାଜ୍ୟରୁ ଏପରି ବ୍ୟାପକ ସଂଖ୍ୟାରେ ରୋଗୀ ଏମ୍ସକୁ ଆସୁଥିବାରୁ ୫ ବର୍ଷ ତଳେ ଦେଶର ୬ଟି ନୂଆ ଏମ୍ସ ସ୍ଥାପନା ସହ ଚିକିତ୍ସା ଆରମ୍ଭ ହୋଇଥିଲା। ତେବେ ୫ ବର୍ଷ ପରେ ମଧ୍ୟ ସେସବୁ ଏମ୍ସରେ ପ୍ରଫେସର ଏବଂ ଚିକିତ୍ସକ ପଦବି ପୂରଣ ହୋଇପାରିନାହିଁ। ଏପରିକି ଅନେକ ବିଭାଗରେ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ। ସୁବିଧା ନଥିବାରୁ କେବଳ ୩୦ରୁ ୪୦ ପ୍ରତିଶତ ଶଯ୍ୟାରେ ରୋଗୀ ଚିକିତ୍ସା ହେଉଛି। ନୀତି ଆୟୋଗର ଜଣେ ସଦସ୍ୟଙ୍କ କହିବାନୁଯାୟୀ, ଏହି ନୂତନ ୬ଟି ଏମ୍ସର ଚିକିତ୍ସକଙ୍କୁ ପ୍ରଶିକ୍ଷଣ ଦେବାର ଆହୁରି ଅବଶ୍ୟକତା ରହିଛି। ତେଣୁ ଦିଲ୍ଲୀ ଏମ୍ସରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ପୁଣି ପୂର୍ବ ସ୍ଥାନକୁ ପଠାଇଦିଆଯିବ ।