ଜୀବନ ଯୁଦ୍ଧରେ ହାରିଗଲା ଦୁଷ୍କର୍ମ ପୀଡିତା ବୋହୂ । ରାଇରଙ୍ଗପୁରରେ ବୋହୂକୁ ଦୁଷ୍କର୍ମ ପରେ ନିଆଁରେ ପୋଡ଼ି ମାରିବାକୁ ଉଦ୍ୟମ କରିଥିଲେ ବିଲଡର

51

କନକ ବ୍ୟୁରୋ: ଜୀବନ ଯୁଦ୍ଧରେ ହାରିଗଲେ ପୀଡିତା । ଶ୍ୱଶୂର ଦ୍ୱାରା ଦୁଷ୍କର୍ମ ପରେ ପୋଡି ଯାଇଥିବା ବୋହୂ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଛନ୍ତି । ଟାଟା ମେମୋରିଆଲ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ରାଇରଙ୍ଗପୁରରେ ଘଟିଥିଲା ଏହି ଘଟଣା । ଶ୍ୱଶୁର ବିରୋଧରେ ଆସିଥିଲା ନିଜ ବୋହୂଙ୍କୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ଅଭିଯୋଗ । ନିଜ ପାପ କାଳେ ପ୍ରଘଟ ହୋଇଯିବ, ଏହି ଆଶଙ୍କାରେ କିରୋସିନ ଢାଳି ନିଆଁ ଲଗାଇ ପୋଡି ମାରିଦେବାକୁ ଉଦ୍ୟମ କରିଥିଲା ଶ୍ୱଶୁର । ୭୫ ଭାଗ ଶରୀର ପୋଡି ଯାଇଥିବା ବେଳେ ଏବେ ଟାଟା ମେମୋରିଆଲ୍ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଛନ୍ତି ପୀଡିତା । ସେପଟେ ଶ୍ୱଶୁରକୁ ଜାମସେଦପୁରରୁ ପୋଲିସ ଗିରଫ କରିଛି ।

ଉଲ୍ଲେଖ ଥାଉ କି, ରାଇରଙ୍ଗପୁର ସହରର ଧରମଗଳି (ୱାର୍ଡ ନଂ.୬)ରେ ବିଶିଷ୍ଟ ବ୍ୟବସାୟୀ ତଥା ବିଲଡର୍ ରାମଗୋପାଲ ଖେମକାଙ୍କ ଘର । ସାରା ସହରରେ ତାଙ୍କର ବେଶ୍ ପ୍ରତିପତ୍ତି ରହିଛି। ତାଙ୍କ ପୁଅ ଅବିନାଶ ମଧ୍ୟ ବ୍ୟବସାୟରେ ବାପାଙ୍କୁ ସହଯୋଗ କରୁଥିଲେ। ଅବିନାଶ ଖେମକାଙ୍କ ସହ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁର ଗୋପାଲ ଅଗ୍ରୱାଲଙ୍କ ଝିଅ ଯାମିନୀଙ୍କ ଗତ ୨୮ ଏପ୍ରିଲ ୨୦୧୪ରେ ବିବାହ ହୋଇଥିଲା। ପ୍ରଥମେ ଯାମିନୀ ଶାଶୂଘରେ ବେଶ ଖୁସିରେଥିଲେ। ଏବେ ତାଙ୍କର ୫ମାସର ପୁଅ ମଧ୍ୟ ରହିଛି । କିନ୍ତୁ ଶ୍ୱଶୁର ରାମଗୋପାଲଙ୍କ ଖରାପ ନଜର ତାଙ୍କ ଉପରେ ପଡ଼ିଥିଲା । ପୂର୍ବରୁ ଯାମିନୀ ଏନେଇ ନିଜ ପରିବାର ଲୋକଙ୍କୁ କହିବାକୁ ଚାହିଁ ମଧ୍ୟ ଲୋକଲଜ୍ଜାକୁ ଡରି ଚୁପ୍ ରହିଯାଉଥିଲେ । ଶେଷରେ ରାମଗୋପାଲ ଯୋଜନା କରି ପରିବାର ଲୋକଙ୍କୁ ହାଇଦ୍ରାବାଦ ପଠାଇ ଦେଇଥିଲେ। ଏହାର ସୁଯୋଗ ନେଇ ସେ ଲଗାତର ତିନି ଦିନଧରି ବୋହୂ ସହ ଦୁଷ୍କର୍ମ କରିଥିଲେ । ଏନେଇ ଯାମିନୀ ତାଙ୍କ ଘର ଲୋକଙ୍କୁ ଖବର ଦେବାକୁ ଚେଷ୍ଟା କରିବାରୁ ତାଙ୍କୁ ହତ୍ୟା ଉଦ୍ୟମ ହୋଇଥିଲା ।

ଗତକାଲି ସକାଳେ ରାମଗୋପାଲ ଦୁଷ୍କର୍ମ କରିବା ପରେ ଯାମିନୀଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରିଥିଲେ। ଯାମିନୀଙ୍କ ଦେହରେ କିରାସିନି ଢ଼ାଳି ସେ ନିଆଁ ଲଗାଇ ଦେଇଥିଲେ । ପତ୍ନୀ ଯାମିନୀଙ୍କୁ ବଂଚାଇବାକୁ ଯାଇ ଅବିନାଶ ମଧ୍ୟ ସାମାନ୍ୟ ପୋଡ଼ି ଯାଇଥିଲେ । ଯାମିନୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତିକରା ଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଜାମସେଦପୁରର ଟାଟା ମେମୋରିଆଲ୍ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ତାଙ୍କ ଶରୀରର ୯୫ ପ୍ରତିଶତରୁ ଅଧିକ ପୋଡ଼ି ଯାଇଥିଲା । ତାଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ଖବର ପାଇ ବାପା ଗୋପାଲ ଅଗ୍ରୱାଲ ଟିଏମଏଚରେ ପହଞ୍ଚିଥିଲେ । ମୁମୂର୍ଷୁ ଝିଅଠାରୁ ଏଭଳି କୁକର୍ମ ସଂପର୍କରେ ଜାଣିବା ପରେ ତାଙ୍କ ପରିବାର ଲୋକେ କ୍ରୋଧାନ୍ଵିତ ହୋଇ ଯାଇଥିଲେ ଏବଂ ଥାନାରୋ ଏନେଇ ଅଭିଯୋଗ କରିଥିଲେ ।

ଜାମସେଦପୁରର ବିଷ୍ଣୁପୁର ଥାନା ପୁଲିସ୍ ରାମଗୋପାଲ ଖେମକାଙ୍କୁ ଗିରଫ କରିଛି । ରାଇରଙ୍ଗପୁର ଟାଉନ ଥାନାରେ ଯାମିନୀଙ୍କ ବାପା ଗୋପାଲ ଅଗ୍ରୱାଲ ଅଭିଯୋଗ କରିବା ପରେ ପୁଲିସ ଦଫା ୩୭୬, ୨୦୧, ୩୪ ଆଇପିସି, ୫୦୬ ମୂଳେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।