ଆସନ୍ତାକାଲି ‘ସମ୍ବାଦ’ ପକ୍ଷରୁ ଆୟୋଜିତ ହେବ ‘ଭୁବନେଶ୍ବର ସାଇକ୍ଲୋଥୋନ୍’ । ଆସନ୍ତୁ ନିଜେ ଫିଟ୍ ରହିବା ସହ ପରିବେଶକୁ ସୁସ୍ଥ ରଖିବା ।

90

କନକ ବ୍ୟୁରୋ: ଦୈନନ୍ଦିନ କର୍ମମୟ ଜୀବନରେ ସାଇକେଲକୁ ସାମିଲ୍ କରିପାରିଲେ ଜଣେ ବ୍ୟକ୍ତି ସୁସ୍ଥ ରହିବା ସହ ପରିବେଶକୁ ମଧ୍ୟ ସୁସ୍ଥ ରଖିବାରେ ସହାୟକ ହୋଇପାରିବ । ଏଇ ଉଦ୍ଦେଶ୍ୟରେ ସାଇକେଲ୍ ଚାଳନା ସହ ଏକ ସୁସ୍ଥ ଜୀବନଯାପନର ବାର୍ତା ନେଇ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ହେବ ‘ଭୁବନେଶ୍ବର ସାଇକ୍ଲୋଥୋନ୍’ । ଆବାଳବୃଦ୍ଧବନିତା ସମସ୍ତେ ଏଥିରେ ସାମିଲ୍ ହେଇପାରିବେ। ଆସନ୍ତାକାଲି ସକାଳ ସାଢ଼େ ୫ଟାରେ ଏହା ଆରମ୍ଭ ହେବ । ଶିଖରଚଣ୍ଡୀରୁ ଆରମ୍ଭ ହୋଇ ଜୟଦେବ ବିହାର ଦେଇ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିବ।

ଏହି କାର୍ଯ୍ୟକ୍ରମରେ ଜାତୀୟ କୀର୍ତିମାନଧାରୀ ଅଲିମ୍ପିଆନ୍ ଅନୁରାଧା ବିଶ୍ବାଳ, ବିଶ୍ବକପ୍ ବିଜେତା ଦୃଷ୍ଟିହୀନ କ୍ରିକେଟର ମହମ୍ମଦ ଜାଫର୍ ଇକ୍ବାଲ୍, ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଚୁଲବୁଲି ନାୟିକା ଅର୍ଚ୍ଚିତା ଏହି କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଅଧିକ ବିବରଣୀ ପାଇଁ ଇଚ୍ଛୁକ ଛାତ୍ରଛାତ୍ରୀ, ବ୍ୟକ୍ତିବିଶେଷ ମୋବାଇଲ୍ ନମ୍ବର ୯୮୬୧୦୪୭୮୩୬ରେ ଯୋଗାଯୋଗ କରିପାରିବେ।

ହୃଦୟ ଠିକ୍ ରୁହେ

‘ସମ୍ବାଦ’ ପକ୍ଷରୁ ଆୟୋଜନ କରାଯାଉଥିବା ସାଇକ୍ଲୋଥୋନ୍ ସଚେତନତା କରାଇବା ପାଇଁ ଉତ୍ତମ ମାଧ୍ୟମ ଓ ସୁଯୋଗ। ଏନେଇ ପୁଲିସ୍ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ବାର୍ତ୍ତା ଦେଇ କହିଛନ୍ତି ଯେ, ପ୍ରତ୍ୟେକ ଦିନ କିଛି ଶାରୀରିକ ପରିଶ୍ରମ କରିବା ଆବଶ୍ୟକ। ଏହା ଦ୍ବାରା ଶରୀରରେ ରକ୍ତ ସଂଚାଳନ ଠିକ୍ ରୁହେ। ସାଇକେଲ ଚଳାଇବା ଦ୍ବାରା ହୃଦୟ ମଧ୍ୟ ଠିକ ରହିଥାଏ। ଆସନ୍ତୁ ଏଥିରେ ସମସ୍ତେ ଅଂଶ ଗ୍ରହଣ କରିବା।

ହୃଦପିଣ୍ଡ ଓ ଆଣ୍ଠୁଗଣ୍ଠି ଭଲ ରହିବ

‘ସମ୍ବାଦ’ର ସାଇକ୍ଲୋଥନ୍ ନିଶ୍ଚିତ ଏକ ଭଲ ପ୍ରୟାସ। ସାଇକେଲ ଚଳାଇଲେ ଆଣ୍ଠୁଗଣ୍ଠି ଏବଂ ହୃଦପିଣ୍ଡ ଭଲ ରହିବ। ମୁଁ ଏଭେରେଷ୍ଟ୍ ଯିବା ପୂର୍ବରୁ ଦୈନିକ ୫୦କିଲୋମିଟର୍ ସାଇକେଲ ଚଳାଉଥିଲି। ସୁସ୍ଥ ଓ ନିରାମୟ ଜୀବନ ବିତାଇବା ଲାଗି ଏହା ଠାରୁ ଆଉ କିଛି ସହଜ ଉପାୟ ନାହିଁ।
କଳ୍ପନା ଦାଶ, ପ୍ରଥମ ଓଡ଼ିଆ ଏଭେରେଷ୍ଟ୍ ବିଜୟିନୀ