Bhikari balaଭାବ ଥିଲା ଭକ୍ତି ଥିଲା । ଥିଲା ପୁଣି କାଳିଆ ଠାକୁରଙ୍କ ପ୍ରତି ସମର୍ପଣ ଭାବ । ବାସ୍ ଭିକାରୀ ବନିଗଲେ ସମ୍ରାଟ୍ । ଭାବର ଭିକାରୀ, ଭକ୍ତିର ଭିକାରୀ । ଭଜନ ସମ୍ରାଟ ଭିକାରୀ ବଳ । ଆଜି ପରପାରିରେ ଏହି କଳାକାର । ତାଙ୍କ ନିଧନ ହେବାର ଇତି ମଧ୍ୟରେ ବିତିଗଲାଣି ଅନେକ ବର୍ଷ । ତେବେ ଆଜି ମଧ୍ୟ ତାଙ୍କ ଗୀତ ଅଭୁଲା ଓ ସେ ଅପାସୋରା ହୋଇ ରହିଛନ୍ତି ଓଡ଼ିଆଙ୍କ ହୃଦୟରେ । ମହାପ୍ରଭୁଙ୍କ ପୂଜା ଆରାଧନା ହେଉଥିବା ଆଉ ଭିକାରୀ ବଳଙ୍କ ଭଜନ ଶୁଭୁନଥିବ ଏମିତି କେବେ ହେଇନଥିଲା କିମ୍ବା ହେବାର ମଧ୍ୟ ନାହିଁ । କାରଣ ଭଜନ ସମ୍ରାଟ୍ ଭିକାରୀ ବଳ ଅମର ହୋଇ ରହିବେ କାଳକାଳକୁ । ତାଙ୍କ କଣ୍ଠ ଜରିଆରେ, ତାଙ୍କ ଗାୟକୀ ଜରିଆରେ, ତାଙ୍କ ସମର୍ପଣ ଭାବ ଜରିଆରେ । ସର୍ବୋପରି ତାଙ୍କର ଶହ ଶହ ଭକ୍ତିବୋଳା ଭଜନ ଜରିଆରେ । ମେ ମାସ ୨୫ ତାରିଖ । ଭଜନ ସମ୍ରାଟଙ୍କର ଜନ୍ମ ଜୟନ୍ତୀ । ଦିବଙ୍ଗତ କଣ୍ଠଶିଳ୍ପୀ ଭିକାରୀ ବଳଙ୍କ ସ୍ମୃତି ଚାରଣରେ ସ୍ପେଶାଲ ରିପୋର୍ଟ ମନେ ପଡ଼ନ୍ତି ଭଜନ ସମ୍ରାଟ୍

BHAJAN SAMRAT BHIKARI BALA  DEHANTARE (17)ଜୀବନ ଥିଲେ ଥାଏ ଏକ ନିର୍ଦ୍ଧାରିତ ମୃତ୍ୟୁ । ହେଲେ କିଛି ମୃତ୍ୟୁ ଜୀବନରେ ଆଙ୍କି ପାରେନାହିଁ ସୂର୍ଯ୍ୟାସ୍ତକୁ । ସେମିତି ଏକ ଜୀବନ ସେମିତି ଜଣେ ସମ୍ରାଟ୍ । ଭଜନ ସମ୍ରାଟ୍ ଭିକାରୀ ବଳ । ଗୀତର ଗଣିତରେ ଯିଏ ଖୋଜିଥିଲେ ଶୂନ ଆଉ ଶୂନ୍ୟ । ଭାବର ଭୂଗୋଳରେ ଯିଏ ରଚିଥିଲେ ଭକ୍ତିର ଭାବ । ସରଳ ସ୍ୱଭାବରେ ଯିଏ ସୃଜିଥିଲେ ସହସ୍ର ହୃଦୟର ଆବେଗ ଆନନ୍ଦ । ସ୍ୱକୀୟ ସ୍ୱର ଶୈଳୀରେ ଯିଏ ପାଲଟି ଥିଲେ କୋଟିଏ ହୃଦୟ କୁହୁକ । ସେ ଥିଲେ ପ୍ରତିଟି ଓଡ଼ିଆର ମରମ ତଳର ମନପକ୍ଷୀ । ଦରଜ ଭିତର ଦିବ୍ୟଧାରା । ଜଗତର ନାଥଙ୍କୁ କେବେ ବି କିଛିହେଲେ ମାଗୁନଥିଲେ । କେବେ ପୁଣି କିଛି ନପାଇ ଅଭିମାନ ବି କରୁଥିଲେ । ସତରେ ସେ ଥିଲେ ଶହେ ମନର ମୃଦୁ ମୌସୁମୀ, ହଜାରେ ହୃଦୟର ହୀରାମୋତି । ପତିତ ପ୍ରାଣର ପୁଲକ, ଅତିଷ୍ଠ ଆତ୍ମାର ଆନନ୍ଦ । ଶହ ଶହ ଭାବବୋଳା ଭଜନ ଜରିଆରେ ଭିକାରୀ ବଳ ଆଜି ମଧ୍ୟ ଅଛନ୍ତି ଓ ଥିବେ ଯେପର୍ଯ୍ୟନ୍ତ ଅଛି ଓଡ଼ିଆ ଜାତିର ଅସ୍ମିତା ଓ ଅସ୍ତିତ୍ୱ । ୨୦୧୦ ମସିହା ନଭେମ୍ବର ୨ ତାରିଖ । ପରଲୋକ ଗମନ କଲେ ଭଜନ ସମ୍ରାଟ୍ । ଶ୍ରୀଜଗନ୍ନାଥଙ୍କ ଚରଣ ଶରଣରେ ଜୀବନ ବିତାଇ ଦେଇଥିବା ଭଜନ ସମ୍ରାଟ୍ ଲୀନ ହେଲେ ପଂଚ ଭୁତରେ । କିନ୍ତୁ ଆଜି ନଥାଇ ମଧ୍ୟ ଅଛନ୍ତି ଭିକାରୀ ବଳ ।

Bhikari balaକେନ୍ଦ୍ରାପଡ଼ା ସୁବଳା ଗାଆଁରେ ଜନ୍ମିତ ଭିକାରୀ ବଳ ପିଲାଟି ଦିନରୁ ବାବା ଭଗବାନ ଜୀଉ ମଠରେ ଅତିବାହିତ କରିଥିଲେ । ମୃଦଙ୍ଗ ପଖାଉଜ, ଢୋଲ ଆଦି ବାଦ୍ୟରୁ ଆରମ୍ଭ ହୋଇଥିବା ତାଙ୍କ କଳାସିକ୍ତ ଜୀବନଧାରା ପରବର୍ତୀ ସମୟରେ ଗଡ଼ି ଆସିଥିଲା ଗୋଟିପୁଅ ନାଚ ଓ ରଙ୍ଗମଂଚ ଆଡ଼କୁ । ପରେ ଆଧ୍ୟାତ୍ମ ଗୁରୁ ବେଣୁବାବା, ତାଳବାଦ୍ୟ ଗୁରୁ ଦୁର୍ଗାଚରଣ ବାବା, ସଙ୍ଗୀତ ଗୁରୁ ବାଳକୃଷ୍ଣ ଦାଶ ଏବଂ ଅଭିନୟ ଗୁରୁ କ୍ଷେତ୍ରବାସୀ ବଳଙ୍କଠାରୁ କଳାର ବିଭିନ୍ନ ବିଭାଗରେ ଓସ୍ତାଦି ଲାଭ କରିଥିବା ଭିକାରୀ ବଳ ଆକାଶବାଣୀ ଓ ଦୂରଦର୍ଶନର ସ୍ୱୀକୃତପ୍ରାପ୍ତ କଣ୍ଠଶିଳ୍ପୀ ଥିଲେ । ଉକ୍ରଳ ସଙ୍ଗୀତ ମହାବିଦ୍ୟାଳୟରେ ଅଧ୍ୟାପନା ସାଙ୍ଗକୁ ଏଚଏମଭି କମ୍ପାନୀରେ ତାଙ୍କ କଣ୍ଠରେ ପ୍ରସ୍ତୁତ ଶତାଧିକ ଭଜନ ଜଣାଣ ତାଙ୍କ ପ୍ରିୟ ପରିଚିତ କରାଇଥିଲା ଓଡ଼ିଆ ଶ୍ରୋତା ମହଲରେ । ପୁଣି ସୁଗମରୁ ସିନେମା ସଙ୍ଗୀତ ସବୁଠି ରହିଥିଲା ତାଙ୍କର ସୁଲଳିତ କଣ୍ଠସ୍ୱର । ପରେ ଗଜପତି ଦିବ୍ୟସିଂହ ଦେବ ତାଙ୍କୁ ପ୍ରଦାନ କରିଥିଲେ ‘ଭଜନ ସମ୍ରାଟ’ ଉପାଧି ।

Bhikari balaଭକ୍ତିରେ ଭାବକୁ, ଭାବରେ ଭାଷାକୁ ଆଉ ଭାଷାରେ ଭଜନକୁ ଛନ୍ଦିବାର କଳା କୌଶଳ ଭଲଭାବେ ଆୟତ କରିଥିଲେ ଭିକାରୀ ବଳ । କେଉଁ ଭଜନରେ ଭାବକୁ ଦିଆଯିବ ଗୁରୁତ୍ୱ, କେଉଁଠାରେ ଗାୟକୀକୁ ଦିଆଯିବ ପ୍ରାଧାନ୍ୟ ଏସବୁରେ ଓସ୍ତାଦି ଥିଲା ତାଙ୍କର । ଜୀବନ ଥିଲା ଜଗନ୍ନାଥମୟ ତେଣୁ ଜଗାକାଳିଆର ଭଜନ ଗାଇବାରେ ତାଙ୍କୁ ମିଳୁଥିଲା ଅସମ୍ଭବ ଆତ୍ମସନ୍ତୋଷ । ଭଜନ ଥିଲା ଜୀବନ ପାଉଣା ଥିଲା ପଛରେ । ତେଣୁ ଶେଷ ସମୟରେ ଆର୍ଥିକ ସ୍ଥିତି ଅସଜଡ଼ା ହୋଇଯାଇଥିଲା । ତଥାପି ନିଘା ନ ଥିଲା ଅଭାବ ଅସୁବିଧାକୁ । ଜଗନ୍ନାଥ ଭରସାରେ ଜିଇଁ ଚାଲିଥିଲେ ଜୀବନ । ସମସ୍ତେ ଜାଣନ୍ତି ଭଜନ ପାଇଁ ଭିକାରୀ ଥିଲେ ପୂର୍ଣ୍ଣ ସମର୍ପିତ ହେଲେ ରୂପେଲି ପରଦାରେ ମଧ୍ୟ ଶୁଣିବାକୁ ମିଳିଥିଲା ତାଙ୍କ ଶ୍ରୁତିମଧୁର ଗାୟକୀ । ଭକ୍ତି ଗୀତ ପରି ସିନେ ସଙ୍ଗୀତରେ ମଧ୍ୟ ସେ ଥିଲେ ସହଜ ଓ ଶ୍ରୁତିମଧୁର । ଭକ୍ତ ସାଲବେଗ, ଅଗ୍ନି ପରୀକ୍ଷା, ମଥୁରା ବିଜୟ, ଅଭିଳାଷା, କିଏ କାହାର ଓ ଅମରପ୍ରେମ ପରି ଏକାଧିକ ଓଡ଼ିଆ ଚଳଚ୍ଚିତ୍ରରେ ସେ କରିଥିଲେ କଣ୍ଠଦାନ । ଭାବଜଗତର ଭଜନ ସମ୍ରାଟଙ୍କୁ ପରବର୍ତୀ ସମୟରେ ମିଳିଥିଲା ପ୍ରତିଷ୍ଠା ଓ ପରିଚୟ । ୧୯୨୯ ମସିହା ମେ ମାସ ୨୫ ତାରିଖ । ଭଜନ ସମ୍ରାଟ୍ ଭିକାରୀ ବଳଙ୍କର ପୁଣ୍ୟ ଜନ୍ମତିଥି । ଏହି ଅବସରରେ ଆମର ସଶ୍ରଦ୍ଧ ଶ୍ରଦ୍ଧାଂଜଳି ।

ଶ୍ରୀମନ୍ଦିର ପ୍ରଶାସନ ଭିକାରୀ ବଳଙ୍କୁ ପ୍ରଦାନ କରିଥିଲେ ସ୍ୱତନ୍ତ୍ର ଚାମର ସେବା । ପରେ ତାଙ୍କ ପାଇଁ ମହାପ୍ରଭୁଙ୍କ ଅଙ୍ଗଲାଗି ତୁଳସୀ ପାଟ ମଧ୍ୟ ପ୍ରଦାନ କରାଯାଇଥିଲା । ଆଜି ଭିକାରୀ ବଳ ନାହାଁନ୍ତି ଆମ ଗହଣରେ । ହେଲେ ତାଙ୍କ ଗୀତ ତାଙ୍କ ଭଜନ ତାଙ୍କୁ ଅମର କରିରଖିବ କାଳକାଳକୁ । କାରଣ ଭଜନ ସମ୍ରାଟ୍ କେବଳ ଜଣେ ଆଉ ଜଣେ ।