ନିଆଁ କଲା ବେଘର : ପାଉଁଶ ବଖାଣୁଛି ଗଦାଧରପୁର ଗାଁ ଲୋକଙ୍କ ଦୁଃଖ

34

ଆଠଗଡ: ନିଆଁ ମୁହଁରେ ଗାଁ । ଖୋଲା ଆକାଶ ତଳେ ଆଠଗଡର ଚାଇଁପୁର ପଂଚାୟତର ଗଦାଧରପୁର ବାସିନ୍ଦା । ଅଗ୍ନିକାଣ୍ଡରେ ସଂପୂର୍ଣ୍ଣ ଗାଁଟି ଜଳିଯିବା ପରେ ଗାଁ ଲୋକେ ଏବେ ନିରାଶ୍ରୟ ହୋଇପଡିରହିଛନ୍ତି । ଘରର ଆସବାବପତ୍ର,ପୋଷାକ ଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ସବୁକିଛି ଜଳିଯାଇଛି ନିଆଁରେ । ତା ସାଂଗକୁ କାଳବୈଶାଖୀ ବର୍ଷା ଗ୍ରାମବାସୀଙ୍କ ଉପରେ ଦାଉ ସାଧିଛି। ଗତକାଲି ଭୟାବହ ଅଗ୍ନିକାଣ୍ଡରେ ଗଦାଧରପୁର ଗାଁ ର ୮୦ ବଖରାରୁ ଅଧିକ ଘର ଓ ଲକ୍ଷାଧିକ ଟଂକାର ସମ୍ପତି ପୋଡି ପାଉଁଶ ହୋଇଯାଇଛି । ଏଥିରେ ଜଣେ ବୃଦ୍ଧା ମଧ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ନିଆଁ ଏତେ ଭୟଙ୍କର ଥିଲା ଯେ ନିଆଁକୁ ଆୟତ କରିବାକୁ ଦମକଳବାହିନୀକୁ ପାଖାପାଖି ୫ ଘଂଟା ଲାଗିଥିଲା । ଏବେ ବି କେତେକ ଘର ଭିତରେ ନିଆଁ କୁହୁଳୁଛି ।

ସେପଟେ ନିଆଁର ତାଣ୍ଡବ  ଦୋହଲାଇ ଦେଇଛି ସୁରେଶ ରାଉତଙ୍କ ପରିବାରକୁ । ଝିଅ ନିର୍ବନ୍ଧ ପାଇଁ ଦାଣ୍ଡରେ ଥିଲେ କୁଣିଆ, ହେଲେ ଅଚାନକ୍ ଘର ଭିତରକୁ ମାଡିଆସିଥିଲା କାଳଗ୍ରାସୀ ନିଆଁ । ନିର୍ବନ୍ଧ ପାଇଁ ଥିବା ସବୁ ସାମଗ୍ରୀ ପୋଡି ପାଉଁଶ ହୋଇଗଲା । ଝିଅ ରାଜଲକ୍ଷ୍ମୀଙ୍କ ବାହାଘର ପାଇଁ ବାପା ସୁରେଶ ଧାର କରଜ କରି ସଂଚିଥିଲେ ୫ ଲକ୍ଷ ଟଂକା । ଆଶା ଥିଲା ଝିଅକୁ ମନଲାଖି ବର ସହ ସବୁ କିଛି ଦେବେ । ରାଜଲକ୍ଷ୍ମୀ ସୁନାର ସଂସାର ଗଢିବ । ହେଲେ ନିଆଁ ଆଜି ତାଙ୍କୁ ବେସାହାରା କରିଦେଇଛି । ଛାତି ଫଠାଇ କାନ୍ଦିଲେ ବି ମନ ବୁଝୁନି। ଧାର କରଜ କରି ଆଣିଥିବା ଟଙ୍କା ଆଜି ପୋଡା କାଗଜ ପାଲଟିଯାଇଛି । ସେପଟେ ସଂସାର ଗଢିବାର ସ୍ୱପ୍ନ ଦେଖୁଥିବା  ରାଜଲକ୍ଷ୍ମୀ ଆଜି ସ୍ତବ୍ଧ । ପୋଡା ପାଉଁଶ ଭିତରେ ପୁରା ପରିବାର ଖୋଜୁଛି ପୁଣିଥରେ ସଳଖି ଠିଆ ହେବାର ବାଟ ।