ବିଜେପିର ଗୁଣ ଗାଇଲା ବିଜେଡି ! ଧର୍ମେନ୍ଦ୍ରଙ୍କୁ ପ୍ରଶଂସାରେ ପୋତିଦେଲେ ଭର୍ତୃହରି

30

କନକ ବ୍ୟୁରୋ : ଓଡ଼ିଶା ବିଜେପିର ଚେହେରା ତଥା ବିଜେଡିର ନମ୍ବର ୱାନ୍ ଶତ୍ରୁ କୁହାଯାଉଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ସାଂସଦ ଭର୍ତୃହରି ମହତାବଙ୍କ ଭୁୟସୀ ପ୍ରଶଂସା । ୩ ବର୍ଷର ମୋଦି ସରକାରକୁ ତର୍ଜମା କରିବାକୁ ଯାଇ ନିଜ ଖବରକାଗଜରେ ଯେଉଁ ଲେଖାଟି ଲେଖିଛନ୍ତି- ସେଥିରେ ଓଡ଼ିଶା ବିଜେପିର ପୋଷ୍ଟର ବୟ କୁହାଯାଉଥିବା ଧର୍ମେନ୍ଦ୍ରଙ୍କ କାର୍ଯ୍ୟଧାରାକୁ ଦୃଷ୍ଟାନ୍ତ ମୁଳକ ବୋଲି ଦର୍ଶାଇଛନ୍ତି । ଧର୍ମେନ୍ଦ୍ରଙ୍କ ଅଧୀନରେ ଥିବା ମନ୍ତ୍ରାଳୟରେ କାର୍ଯ୍ୟକାରୀ ହେଉଥିବା ଉଜ୍ୱଳା ଯୋଜନାକୁ ଏକ ଦୁର୍ନୀତି ଓ ଭ୍ରଷ୍ଟାଚାର ମୁକ୍ତ ଯୋଜନାର ଉଦାହରଣ ବୋଲି ଉଲ୍ଲେଖ କରିଛନ୍ତି ।

ଯେଉଁଥରେ ଲେଖିଛନ୍ତି :
କୌଣସି ଯୋଜନାକୁ କିପରି ଢଙ୍ଗରେ ଲାଗୁ କରାଯାଏ, ତାହାର ଉଦାହରଣ ହେଉଛି ଉଜ୍ୱଳା ଯୋଜନା । ଗୋଟିଏ ବର୍ଷ ଭିତରେ ଦେଢ଼କୋଟି ରୋଷେଇ ଗ୍ୟାସ କନେକ୍ସନ ପ୍ରଦାନ କରାଯିବାର ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା ଓ ଦୁଇଶହ ୨୫ କୋଟି ଗରିବଙ୍କ ଘରେ ରୋଷଇ ଗ୍ୟାସ ପହଂଚାଇବାରେ ସଫଳତା ମିଳିଥିଲା । କଥା କେବଳ ଏତିକି ନୁହେଁ । ଏତେ ପରିମାଣର ଗ୍ୟାସ୍ କନେକ୍ସନ ଦିଆଯାଇଥିବା ବେଳେ, ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗୋଟିଏ ବି ଦୁର୍ନୀତି କି ଭ୍ରଷ୍ଟାଚାର ଅଭିଯୋଗ ହୋଇନାହିଁ ।

ପୂର୍ବରୁ ମଧ୍ୟ ଧର୍ମେନ୍ଦ୍ରଙ୍କୁ ଖୋଲାଖୋଲି ପ୍ରଶଂସା କରି ଚର୍ଚ୍ଚାକୁ ଆସିଥିଲେ ଭର୍ତୃହରି । ଆଉ ଏହାର ଠିକ୍ ପରେ ମୁଖ୍ୟମନ୍ତ୍ରୀ ନେତାଙ୍କୁ ଗଣମାଧ୍ୟମରେ ବଦଳରେ ତାଙ୍କ ସହ ଆଲୋଚନା କରିବାକୁ ପରାମର୍ଶ ଦେଇଥିଲେ । ବିଗତ ୩ ବର୍ଷର ମୋଦି ଶାସନକୁ ଏକ ଦୁର୍ନୀତି ମୁକ୍ତ ଶାସନ କହିବାକୁ ପଛାଇ ନାହିଁନ୍ତି ଭତୃହରି । ମୋଦିଙ୍କ ପ୍ରତି ଲୋକଙ୍କ ଆସ୍ଥା ବଢ଼ିଛି ଏବଂ ସରକାରଙ୍କ ଲୋକପ୍ରିୟତା ବଢୁଥିବା କହି ଲେଖିଛନ୍ତି ।

ନିଜର ଲେଖା ଓ ମନ୍ତବ୍ୟ ଜରିଆରେ ବାରମ୍ବାର ବିଜେଡିକୁ କାଠଗଡ଼ରେ ଠିଆ କରୁଥିବା ଭତୃହରି ଏବେ ଆପଣାଛନ୍ତି ଏକ ନୂଆରାସ୍ତା । ସେ ନିଜ ଦଳ ସଂପର୍କରେ କିଛି କହିବା ପରିବର୍ତେ ରାଜ୍ୟରେ ରାଜନୈତିକ ଶତ୍ରୁ ଥିବା ବିଜେପିକୁ ପ୍ରଶଂସା କରୁଛନ୍ତି ।

ଆଉ ଶେଷରେ ଲେଖିଛନ୍ତି- ଭାଜପା ବିରୋଧରେ ଏବେ କେବଳ ଆଂଚଳିକ ଦଳଗୁଡ଼ିକ ହିଁ ଆଜି ଛିଡ଼ା ହେବା ଅବସ୍ଥାରେ ଅଛନ୍ତି । ସେମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇପାରିଲେ ତାହା ଏକ ବିକଳ୍ପ ଶକ୍ତି ଭାବେ ଉଭା ହୋଇପାରିବ ।