ଆସନ୍ତା ୭ରେ ବିଧାନସଭା ଘେରିବ ଭାରତୀୟ ଜନତା ଯୁବ ମୋର୍ଚ୍ଚା ! ରୋଜଗାର ପ୍ରସଙ୍ଗରେ ସରକାରଙ୍କୁ ମାଗିବ ଜବାବ ।

131

କନକ ବ୍ୟୁରୋ : ଆସନ୍ତା ୭ ତାରିଖରେ ବିଧାନସଭା ଘେରାଉ କରିବ ଭାରତୀୟ ଜନତା ଯୁବ ମୋର୍ଚ୍ଚା । ଓଡିଶାର ବେରୋଜଗାରୀକୁ ନେଇ ରାଜ୍ୟ ସରକାରଙ୍କୁ ଜବାବ ମାଗିବ ମୋର୍ଚ୍ଚା । ରାଷ୍ଟ୍ରୀୟ ଯୁବ ମୋର୍ଚ୍ଚାର ଅଧ୍ୟକ୍ଷା ସାସଂଦ ପୁନମ ମହାଜନ ଏହାର ନେତୃତ୍ୱ ନେବେ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମଳନୀରେ ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଯୁବ ମୋର୍ଚ୍ଚାର ସଭାପତି ଟଙ୍କଧର ତ୍ରିପାଠୀ । ବିଗତ ୧୯ ବର୍ଷ ମଧ୍ୟରେ ରୋଜଗାର ସୃଷ୍ଟି କରିବାରେ ରାଜ୍ୟ ସରକାର ବିଫଳ ହୋଇଥିବା ଟଙ୍କଧର ଅଭିଯୋଗ କରିଛନ୍ତି । ବର୍ତମାନ ସମୟ ଆସିଛି ଓଡିଶାର ହଜାର ହଜାର ବେକାରୀ ଯୁବକ ଏକାଠୀ ହୋଇ ରାଜ୍ୟ ସରକାରଙ୍କୁ ଏନେଇ ଜବାବ୍ ମାଗିବେ ।

ଏହାକୁ ନେଇ ଆସନ୍ତା ୭ ତାରିଖରେ ବିଧାନସଭା ଘେରାଉ ସହ ଦଳ ଧାରଣାରେ ବସିବ ବୋଲି ଟଙ୍କଧର କହିଛନ୍ତି । ୭ ତାରିଖ ସକାଳ ୧୦ଟା ସମୟରେ ରାଜ୍ୟର କୋଣ ଅନୁକୋଣରୁ ଯୁବକମାନେ ଆସି ଲୋୟର ପିଏମଜି ଠାରେ ପହଂଚିବେ । ସେଠାରୁ ଏକ ର‌୍ୟାଲି ବିଧାନସଭା ଅଭିମୁଖେ ବାହାରିବା ସହ ବିଧାନସଭା ଘେରାଉ କରିବ ବୋଲି ଟଙ୍କଧର କହିଛନ୍ତି । ରୋଜଗାରକୁ ଗତ ୧୯ ବର୍ଷ ଧରି ବାଧକ ସାଜିଥିବା ନବୀନ ସରକାରଙ୍କୁ ମୋର୍ଚ୍ଚା ଜବାବ ମାଗିବ ବୋଲି କହିଛି । ଆଗାମୀ ଦିନରେ ଏହି ଆନ୍ଦୋଳନ ତୃଣମୂଳ ସ୍ତରକୁ ଯିବ ଏବଂ ବେରୋଜଗାରୀକୁ ନେଇ ସରକାରଙ୍କ ବିଫଳତାର କାହାଣୀ ପ୍ରଚାର କରାଯିବ ବୋଲି ସେ କହିଛନ୍ତି ।