ଭଦ୍ରକ ଶ୍ରୀରାମ ନବମୀ ଶୋଭାଯାତ୍ରା ଉପରୁ ହଟିଲା କଟକଣା ! ପ୍ରଶାସନ ନିର୍ଦ୍ଦେଶ ଉପରେ ହାଇକୋର୍ଟଙ୍କ ରୋକ୍, ଶୃଙ୍ଖଳା ଉପରେ ନଜର ରଖିବାକୁ ତାଗିଦ୍

46

କନକ ବ୍ୟୁରୋ: ଭଦ୍ରକରେ ଶ୍ରୀରାମନବମୀରେ ହେବାକୁ ଥିବା ଶୋଭାଯାତ୍ରା ଉପରେ ଥିବା କଟକଣା ହଟିଛି । ଏନେଇ ଅନୁମତି ଦେଇଛନ୍ତି ହାଇକୋର୍ଟ । ପୂର୍ବ ବର୍ଷ ଭଳି ଚଳିତ ବର୍ଷ ଏହି ଉତ୍ସବ ପାଳନ ସମୟରେ କଳସ ଶୋଭାଯାତ୍ରା ଓ ଶ୍ରୀରାମନବମୀ ଶୋଭାଯାତ୍ରା ପାଇଁ କୋର୍ଟ ଅନୁମତି ଦେଇଛନ୍ତି । ତେବେ କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହୁଏ ସେନେଇ ପ୍ରଶାସନ ପଦକ୍ଷେପ ନେବ ।

୨୦୧୭ରେ ଶ୍ରୀରାମ ନବମୀ ସମୟରେ ସହରରେ ସୃଷ୍ଟି ହୋଇଥିବା ଅପ୍ରିତିକର ପରିସ୍ଥିତିକୁ ଧ୍ୟାନ ଦେଇ ପ୍ରଶାସନ ଶୋଭାଯାତ୍ରା ଉପରେ କଟକଣା ଲଗାଇଥିଲା । ଏହ ସହ ଭଦ୍ରକ ଓ ଆଖପାଖ ଅଂଚଳରେ ୧୪୪ ଧାରା ଜାରି ହୋଇଥିଲା ଏବଂ ୪୧ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା ।

ଉଲ୍ଲେଖ ଥାଉ କି, ଶ୍ରୀରାମ ନବମୀ ମହାଯଜ୍ଞ ପାଇଁ ପୁଲିସ ଛାଉଣିରେ ଥିଲା ଭଦ୍ରକ ସହର । ଚାରିଆଡେ ଖାଲି ପୁଲିସ ଓ ସୁରକ୍ଷା କର୍ମୀ। ପ୍ରତିଦିନ ବଢ଼ିବାରେ ଲାଗିଥିଲା ପୁଲିସ୍ ଫୋର୍ସ । ସନ୍ଧ୍ୟା ହେଲେ ହେଉଥିଲା ପୁଲିସର ଫ୍ଲାଗ ମାର୍ଚ୍ଚ । ଏଥିସହିତ ୧୪୪ ଧାରାକୁ ବଳବତ୍ତର ମଧ୍ୟ ରହିଥିଲା । ୧୮ତାରିଖରୁ ଆରମ୍ଭ ହୋଇଥିବା ପ୍ରସିଦ୍ଧ ଶ୍ରୀରାମ ନବମୀ ମହାଯଜ୍ଞକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ପାଇଁ ପୁଲିସ ଆଗୁଆ ସଜାଗ ରହିଛି । ଶ୍ରୀରାମ ନବମୀ ମହାଯଜ୍ଞରେ ପ୍ରତିବର୍ଷ ହେଉଥିବା କଳସ ଶୋଭାଯାତ୍ରା ଓ ନଗର ସଂକୀର୍ତ୍ତନ ଉପରେ ଜିଲ୍ଲା ପ୍ରଶାସନ ରୋକ୍ ଲଗାଇବା ପରେ ହଜାର ହଜାର ରାମଭକ୍ତ ଓ ଶ୍ରୀରାମ ନବମୀ ମହାଯଜ୍ଞ କମିଟି ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

ପ୍ରଶାସନର ଏଭଳି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ୍ କରି କମିଟି ପକ୍ଷରୁ ହାଇକୋର୍ଟରେ ଏକ ରିଟ୍ ପିଟିସନ୍ ଫାଇଲ୍ କରିଥିଲେ। ôମାନ୍ୟବର ଉଚ୍ଚ ନ୍ୟାୟାଳୟ ଜିଲ୍ଲା ପ୍ରଶାସନର ନିଷ୍ପତ୍ତିକୁ କାଏମ ରଖିଥିଲେ । ଶୋଭାଯାତ୍ରା ବନ୍ଦ ନିଷ୍ପତ୍ତି ପ୍ରତିବାଦରେ ଜିଲ୍ଲାର ଚାନ୍ଦବାଲି, ଧାମନଗର, ବାସୁଦେବପୁର, ବନ୍ତ, ଭଣ୍ଡାରିପୋଖରୀ ଓ ତିହିଡ଼ିିରେ ପ୍ରତିବାଦ ସଭା କରାଯାଇଛି । ଏହି ଆନ୍ଦୋଳନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସହର ସାରା ପୁଲିସ ଛାଉଣି କରାଯିବା ସହ ଜିଲ୍ଲାର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଥିଲା ।