ଗୁଣ୍ଡା ଭାଙ୍ଗିଦେଲେ ବୈଜୟନ୍ତଙ୍କ ଫଳକ! ନିଜ ନିର୍ବାଚନ ମଣ୍ଡଳୀରେ ପୁଣି ବିରୋଧର ସାମ୍ନା କଲେ ସାଂସଦ

40

କନକ ବ୍ୟୁରୋ: ଉଦଘାଟନ ପୂର୍ବରୁ ଭାଙ୍ଗି ଦିଆଗଲା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାମ ଫକଳ । କଟକ ଜିଲ୍ଲା ମାହାଙ୍ଗା ବ୍ଲକରେ ଏଭଳି କାଣ୍ଡକୁ ନେଇ ଜୋର ଧରିଲା ରାଜନୀତି । ଜାତିପାରିଲୋ ଗାଁରେ ସାଂସଦ ପାଣ୍ଠିରୁ ନିର୍ମିତ ଏକ ଓଭର ହେଡ ପାଣି ଟାଙ୍କିକୁ ଆସନ୍ତାକାଲି ଉଦଘାଟନ କରିଥାନ୍ତେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା । ହେଲେ ଏହା ପୂର୍ବରୁ ପାଣି ଟାଙ୍କି ନିକଟରେ ଲଗାଯାଇଥିବା ସାଂସଦଙ୍କ ନାମ ଫଳକକୁ କେହି ଦୁର୍ବୃତ ଭାଙ୍ଗି ଦେଇଛନ୍ତି ।

ସେପଟେ ମାହାଙ୍ଗା ବିଧାୟକ ତଥା ସ୍ୱାସ୍ଥ୍ୟ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମର୍ଥକ କହିଛନ୍ତି, ଆସନ୍ତାକାଲି ଯଦି ସାଂସଦଙ୍କ ସହ ବିଧାୟକ କାର୍ଯ୍ୟକ୍ରମକୁ ନଆସନ୍ତି ତେବେ ବିରୋଧ କରାଯିବ । ଯେଉଁଥିରୁ କେନ୍ଦ୍ରାପଡା ସାଂସଦ ଓ ମାହାଙ୍ଗା ବିଧାୟକଙ୍କ ଭିତରେ ଏକ ବଡଧରଣର ବିବାଦ ରହିଥିବା ପୁରା ସ୍ପଷ୍ଟ ହୋଇ ଯାଉଛି । ତେଣୁ ନାମଫଳକ ଷ୍ଟାଣ୍ଡପୋଷ୍ଟ ଭାଙ୍ଗିବା ପଛରେ କାହାର ହାତ ରହିଛି ତାକୁ ନେଇ ବର୍ତ୍ତମାନ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।

ଅନ୍ୟପଟେ ଏହି ଘଟଣାକୁ ନେଇ ଟ୍ୱିଇଟ୍ କରି ନିଜର ପ୍ରତିକ୍ରିୟା ରଖିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା । ସେ ଲେଖିଛନ୍ତି ଯେ, ‘ପୁଣି ଦଳୀୟ ଗୁଣ୍ଡାଗିରି ସାମ୍ନାକୁ ଆସିଛି’ । ତେବେ ଏଭଳି ଲେଖି କାହା ଆଡକୁ ଇଙ୍ଗିତ କରିବାକୁ ଚାହୁଁଛନ୍ତି ସାଂସଦ । ଖାଲି ସେତିକି ନୁହେଁ ବୈଜୟନ୍ତ ପୁଣି ମଧ୍ୟ ଲେଖିଛନ୍ତି କି, ‘ପ୍ରକଳ୍ପକୁ ଅଟକାଇବା ପାଇଁ ଉଦ୍ୟମ ହେଉଛି’, ହେଲେ ସେ ଆସନ୍ତାକାଲି ମାହାଙ୍ଗ ନିଶ୍ଚୟ ଯିବେ ବୋଲି ସ୍ପଷ୍ଟୋକ୍ତି କରିଛନ୍ତି ।