ଡିଜିପିଙ୍କୁ ବୈଜୟନ୍ତଙ୍କ ଚିଠି: ଡିଜିସିଏର କ୍ଲିନଚିଟ ପରେ କାହିଁକି ହେଲିକପ୍ଟରକୁ କରାଗଲା ସିଲ୍?

ଘଟଣାରେ ଡିଜିପିଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି ବୈଜୟନ୍ତ ପଣ୍ଡା

187

କନକ କ୍ୟୁରୋ: ଚିଲିକା ଉପରେ କମ ଉଚ୍ଚତାରେ ହେଲିକପ୍ଟର ଉଡାଣ ମାମଲାରେ ଫଶିଥିବା ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟରକୁ ଡିଜିସିଏ ପକ୍ଷରୁ କ୍ଲିନଚିଟ୍ ମିଳିସାରିଛି । ହେଲେ କ୍ଲିନଚିଟ ମିଳିବା ପରେ ହେଲିକପ୍ଟର ସିଲ୍ କରାଯିବା ଘଟଣାରେ ଡିଜିପିଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ତେବେ ଡିଜିସିଏଙ୍କ ତରଫରୁ କ୍ଲିନଚିଟ ମିଳିବା ପରେ କେଉଁ ଆଧାରରେ ତାଙ୍କ ହେଲିକପ୍ଟରକୁ ସିଲ କରାଯାଇଛି ବୋଲି ବୈଜୟନ୍ତ ପ୍ରଶ୍ନ କରିଛନ୍ତି । ଏଥିସହିତ ହିଁ ଘଟଣାରେ ଡିଜିପିଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି ବୈଜୟନ୍ତ ପଣ୍ଡା ।

ଉକ୍ତ ପତ୍ରରେ ସେ ଜଣାଇଛନ୍ତି ଯେ ପୁରୀ ପୁଲିସ୍‌ ହେଲିକେପ୍ଟରଟିକୁ ସିଲ୍‌ କରି ରଖିଥିବାରୁ ଏହାର ରକ୍ଷଣାବେକ୍ଷଣ ହୋଇପାରୁନାହିଁ। ଡିଜିସିଏ ପକ୍ଷରୁ ଉଡାଣ ନେଇ କ୍ଲିନ୍‌ଚିଟ୍‌ ମିଳି ସାରିଥିଲେ ମଧ୍ୟ ପୁଲିସ କାହିଁକି ହେଲିକେପ୍ଟରକୁ ସିଲ୍‌ କରି ରଖିଛି ସେ ନେଇ ପ୍ରଶ୍ନ ଉଠାଇଛନ୍ତି ବୈଜୟନ୍ତ। ପୁଲିସ ଉଦ୍ଦେଶ୍ୟମୂଳକ ଭାବେ ଏପରି କରିଛି ବୋଲି ସେ ଅଭିଯୋଗ ଆଣିଛନ୍ତି। କେଉଁ ଆଇନ ଆଧାରରେ ହେଲିକେପ୍ଟର ସିଲ୍‌ କରାଯାଇଛି ତାହା ଜାଣିବାକୁ ଚାହିଁଛନ୍ତି ସେ। ଅନ୍ୟପକ୍ଷରେ ସେ ପୁଲିସ ମହାନିର୍ଦ୍ଦେଶକଙ୍କ ଜଣାଇଛନ୍ତି କି ହେଲିକେପ୍ଟରଟି ଦୈନନ୍ଦିନ ରକ୍ଷଣାବେକ୍ଷଣ ହୋଇଥାଏ। ତାହା ବନ୍ଦ ହୋଇଯିବାରୁ ହେଲିକେପ୍ଟର ଯାନ୍ତ୍ରିକ ତୃଟି ଦେଖାଇପାରେ। ଏହାର ମରାମତି ଲାଗି ବଡ଼ ଖର୍ଚ୍ଚ ବି ହୋଇପାରେ। ଏଥିପାଇଁ ପୁଲିସ ଦାୟୀ ରହିବ। ଏଥିସହ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଡିଜିପିଙ୍କୁ ବ୍ୟକ୍ତିଗତ ଭାବେ ମାମଲାରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି।

ଉଲ୍ଲେଖ ଥାଉ କି,  ଚିଲିକା ଉପରେ ହେଲିକପ୍ଟର ଉଡାଇବା ବିବାଦରେ ଛନ୍ଦି ହୋଇଥିବା ବୈଜୟନ୍ତଙ୍କ ହେଲିକପ୍ଟରକୁ ଗତ କିଛିଦିନ ତଳେ ଡିଜିସିଏ ତରଫରୁ କ୍ଲିନଚିଟ୍ ମିଳିଥିଲା । ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ ବା ଡିଜିସିଏ ଲେଖିଥିବା ଚିଠିରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଥିଲା ଯେ, ଗତ ସେପ୍ଟେମ୍ବର ୧୫ ତାରିଖରେ ଇମ୍ଫା ହେଲିକପ୍ଟର ରବିନସନ ଆର-୪୪ ଉଡାଣରେ କୌଣସି ବ୍ୟତିକ୍ରମ ନଥିଲା ।

ହେଲିକପ୍ଟର ଉଡାଣରେ କୌଣସି ନିୟମ ଉଲ୍ଲଂଘନ ହୋଇ ନଥିବା ରିପୋର୍ଟ ଦେଇଥିଲେ ଡିଜିସିଏ । ତେବେ ଡିଜିସିଏଙ୍କ ତରଫରୁ କ୍ଲିନଚିଟ ମିଳିବା ପରେ କେଉଁ ଆଧାରରେ ତିନୋଟି ହେଲିକପ୍ଟରରୁ ୨ଟିକୁ ଛାଡିବା ପରେ ଅନ୍ୟଟିକୁ କେଉଁ ଆଧାରରେ ବା କେଉ ଆଇନ ଅନୁସାରେ ସିଲ କରାଯାଇଛି ବୋଲି ପ୍ରଶ୍ନ କରିଛନ୍ତି ବୈଜୟନ୍ତ । ଏନେଇ ମୁଖ୍ୟ ଶାସନ ସଚିବ , ଅତିରିକ୍ତ ଗୃହ ସଚିବ, ପୁଲିସ ଡିଜି ଏବଂ ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ବୈଜୟନ୍ତ ପଣ୍ଡା ।