ଶିକ୍ଷକଙ୍କ ସମସ୍ତ ଦାବି ପୂରଣ ସମ୍ଭବ ନୁହେଁ : ଗଣଶିକ୍ଷା ମନ୍ତ୍ରୀ ବଦ୍ରି ପାତ୍ର

52

କନକ ବ୍ୟୁରୋ : ସରକାର ଖୋଲାମନରେ ଶିକ୍ଷକଙ୍କ ଦାବି ଶୁଣୁଥିବା ବେଳେ ସମସ୍ତ ଦାବି ପୂରଣ ସମ୍ଭବ ନୁହେଁ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ବଦ୍ରି ପାତ୍ର । ବ୍ଲକ ଗ୍ରାଂଟ ଉଚ୍ଛେଦ ପାଇଁ ମୁଖ୍ୟମନ୍ତ୍ରୀ ରାଜି ହୋଇଛନ୍ତି ବୋଲି ସେ କହିଛନ୍ତି । ଅନ୍ୟପଟେ ଚାକିରୀ ସର୍ତାବଳୀ ନେଇ ସେମାନଙ୍କ ଦାବିନେଇ ଅଟଳ ଅଛି ମିଳିତ ମଂଚ । ତେବେ ସମସ୍ୟାର ତୁରନ୍ତ ସମାଧାନ ହେବ ବୋଲି ଆଶାବାଦୀ ଅଛନ୍ତି ମନ୍ତ୍ରୀ ବଦ୍ରି ପାତ୍ର । ସେପଟେ ୧୬ ଦିନରେ ପହଂଚିଛି ଶିକ୍ଷକଙ୍କ ଅନ୍ଦୋଳନ ।

ଜିଦରେ ଅଟଳ ରହିଛନ୍ତି ଶିକ୍ଷକ ଓ ଅଧ୍ୟାପକ ମିଳିତ ମଂଚ । ସଂଘ ପକ୍ଷରୁ ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଇଛି । ରାଜଧାନୀ ରାଜରାସ୍ତାରୁ ଶିକ୍ଷକ ମାନେ ହଟିବେ ନାହିଁ ବୋଲି ମିଳିତ ମଂଚ ଷ୍ଟିୟରିଂ କମିଟି ବୈଠକରେ ନିଷ୍ପତି ନିଆଯାଇଛି । ଆସନ୍ତା ୫ ତାରିଖ ଗୁରୁ ଦିବସରେ ରାସ୍ତା ଉପରେ ୫୦ ହଜାରରୁ ଅଧିକ ଶିକ୍ଷକ ଓ ଛାତ୍ରଛାତ୍ରୀ ମିଳିତ ସମାବେଶ କରିବେ । ଏହାକୁ କଳା ଦିବସ ଭାବେ ପାଳନ କରାଯିବ ବୋଲି ଶିକ୍ଷକ ଓ ଅଧ୍ୟାପକ ମିଳିତ ମଂଚ ଚେତାବନୀ ଦେଇଛି ।