ପୁଣି ଭାରରେ ବୁହା ହେଲେ ଗର୍ଭବତୀ । ମାଲକାନଗିରିର ଦୁର୍ଗମ ଅଂଚଳରୁ ଆସିଲା ଅଭାବନୀୟ ଚିତ୍ର ।

37

କନକ ବ୍ୟୁରୋ : ପୁଣି ଗର୍ଭବତୀ ମହିଳା ଭାରରେ ବୁହା ହୋଇଗଲେ ଡାକ୍ତରଖାନା । ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଂଚଳର ରାଲେଗଡା ପଂଚାୟତର ପିତାମରି ଗ୍ରାମରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଚିତ୍ର । ପିତାମରି ଗାଁରେ ଏକ ଗର୍ଭବତୀ ମହିଳାଙ୍କୁ ଗର୍ଭବେଦନା ହୋଇଥିଲା । ଦୁର୍ଗମ ଅଂଚଳ ହୋଇଥିବାରୁ ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ । ଫଳରେ ପରିବାର ଲୋକେ ବାଧ୍ୟ ହୋଇ ଗର୍ଭବତୀ ମହିଳାଙ୍କୁ ଏକ ଚୌକୀରେ ରଶି ବାନ୍ଧି କାନ୍ଧରେ ବୋହି ଡାକ୍ତରଖାନାକୁ ଆଣିଛନ୍ତି ।

ଚିତ୍ରକୋଣ୍ଡା ବିଚ୍ଛିନାଂଚଳରେ ସ୍କୁଲ ପିଲାମାନେ ନଦୀ ପାର ହେଉଥିବା ଦୃଶ୍ୟ କନକ ନ୍ୟୁଜରେ ପ୍ରସାରିତ ହେବା ପରେ ଜିଲ୍ଲା ପ୍ରଶାସନ ଚେଇଁଛି । ପ୍ରଶାସନିକ ଅଧିକାରୀ ରାଲେଗଡା ପଂଚାୟତ ସାରକୁବନ୍ଧ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏନ.ଭି.ହରିହର ରାଓ ଙ୍କ ସହ ସମେତ ବରିଷ୍ଠ ଯନ୍ତ୍ରୀ ସାରକୁବନ୍ଧ ଯାଇ ସ୍କୁଲଛାତ୍ର ଓ ଗାଁ ଲୋକଙ୍କର ଯାତାୟତ କିଭଳି ହୋଇପାରିବ ସେ ନେଇ ଅନୁଧ୍ୟାନ କରିଥିଲେ ।

ଯନ୍ତ୍ରୀ କହିଥିଲେ , ବିଜୁ ସେତୁ ଯୋଜନା ଅନୁସାରେ ଗୋଟିଏ ସେତୁର ୫ କିଲୋମିଟର ଭିତରେ ଆଉ ଏକ ସେତୁ ନିର୍ମାଣ ହୋଇପାରିବ ନାହିଁ । କାରଣ ଯାନବାଈ ଘାଟିରୁ ସାରକୁବନ୍ଧ ଯିବା ଲାଗି ଏକ ଝୁଲାବ୍ରିଜ ତିଆରି ଚାଲିଛି । ଯଦି ଅନ୍ୟ କୌଣସି ଯୋଜନା ଥାଏ ତାହାହେଲେ ପାଲେମ ନଦୀ ଉପରେ ଆଉ ଏକ ପୋଲ ନିର୍ମାଣ ହେବ ବୋଲି ଯନ୍ତ୍ରୀ ଗାଁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ଗତ ଶନିବାରଦିନ କନକନ୍ୟୁଜରେ ଏହି ଖବର ପ୍ରସାରଣ ହୋଇଥିଲା । ପାଲେମ ନଦୀ ପାଣିରେ ପଶି ପ୍ରତିଦିନ ଛାତ୍ରଛାତ୍ରୀ ସ୍କୁଲ ଯାଉଥିବା ଦୃଶ୍ୟ ଦେଖାଇଥିଲା କନକ ନ୍ୟୁଜ ।