ବିରାଟ ବାହିନୀକୁ ଝଟକା ଦେଲା ଡର୍କୱର୍ଥ ଲୁଇସ ନିୟମ । ଅଷ୍ଟ୍ରେଲିଆ ଠାରୁ ୧୧ ରନ ଅଧିକ କରି ମଧ୍ୟ ହାରିଲା ଟିମ୍ ଇଣ୍ଡିଆ

432

କନକ ବ୍ୟୁରୋ : ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦ର ରୋମାଞ୍ଚକର ମୁକାବିଲାରେ ମାତ୍ର ୪ ରନରେ ପରାସ୍ତ ହୋଇଛି ବିରାଟ ବାହିନୀ । ଶେଷ ଓଭର ପର୍ଯ୍ୟନ୍ତ ମ୍ୟାଚର ରୋମାଞ୍ଚ  ଦେଖିବାକୁ ମିଳିଥିଲା । କିନ୍ତୁ ଶେଷ ଓଭରରେ ଦୁଇଟି ୱିକେଟ ନେଇ ଷ୍ଟୋନିସ ଅଷ୍ଟ୍ରେଲିଆକୁ ଦେଇଥିଲେ ଜବରଦସ୍ତ ବିଜୟ । ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଠାରୁ ଅଧିକ ସ୍କୋର କରିଥିଲେ ମଧ୍ୟ ପରାଜୟ ବରଣ କରିଥିଲା ।

ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଭାରତ ଅଷ୍ଟ୍ରେଲିଆ ପାଳି ଠାରୁ ୧୧ ରନ ଅଧିକ କରିଥିଲେ ମଧ୍ୟ ପରାସ୍ତ ହୋଇଥିଲା । ଏହା ପଛର ମୁଖ୍ୟ କାରଣ ଥିଲା ବର୍ଷା । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରୁଥିବା ବେଳେ ୧୬.୧ ଓଭରରେ ବର୍ଷା ଆରମ୍ଭ ହୋଇଥିଲା । ତେବେ ବର୍ଷା କମିବା ପରେ ଖେଳକୁ ୧୭ ଓଭର ବିଶିଷ୍ଟ କରିଥିଲେ ଅମ୍ପାୟାର । ଆଉ ନିର୍ଦ୍ଧାରିତ ଓଭରରେ  ୪ ୱିକେଟ ବିନିମୟରେ ୧୫୮ ରନ କରିଥିଲା କଙ୍ଗାରୁ ଟିମ୍ ।

ତେବେ ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଡର୍କୱର୍ଥ ଲୁଇସ ନିୟମ ଅନୁଯାୟୀ, ଭାରତକୁ ୧୭ ଓଭରରେ ୧୭୪ ରନର ବିଜୟଲକ୍ଷ୍ୟ ମିଳିଥିଲା । ଯାହା ଅଷ୍ଟ୍ରେଲିଆ ଇନିଂସର ରନ୍ ଠାରୁ ୧୬ ରନ ଅଧିକ ଥିଲା । ଏତେବଡ ବିଜୟଲକ୍ଷ୍ୟ ନେଇ ପଡିଆକୁ ଓହ୍ଳାଇଥିବା ଟିମ୍ ଇଣ୍ଡିଆକୁ ଆରମ୍ଭରୁ ଝଟକା ଲାଗିଥିଲା । ଗୋଟିଏ ପଟେ ଧୱନ ଦମଦାର ବ୍ୟାଟିଂ କରୁଥିବା ବେଳେ ଅନ୍ୟପଟେ ରୋହିତ, କୋହଲି ଓ ଲୋକେଶ ରାହୁଲଙ୍କ ୱିକେଟ ହରାଇଥିଲା ଟିମ୍ ଇଣ୍ଡିଆ । ଶେଷ ଆଡକୁ ପନ୍ତ ଓ କାର୍ତ୍ତିକ ଲଢୁଆ ଇନିଂସ ଖେଳିଥିଲେ ମଧ୍ୟ ଏହା ଭାରତର ବିଜୟରେ ସହାୟକ ହୋଇନଥିଲା ।

ନିର୍ଦ୍ଧାରିତ ୧୭ ଓଭରରେ ୭ୱିକେଟ ହରାଇ ୧୬୯ ରନ କରିଥିଲା ବିରାଟ ବାହିନୀ ଓ ୪ ରନ ପାଇଁ ମ୍ୟାଚ୍ ହାତଛଡା କରିଥିଲା ଟିମ ଇଣ୍ଡିଆ ।  ତେବେ ସ୍କୋରବୋର୍ଡରେ ଅଷ୍ଟ୍ରେଲିଆ ଠାରୁ ସ୍କୋର ଅଧିକ ଥାଇ ମଧ୍ୟ ହାରିଥିଲା ଟିମ୍ ଇଣ୍ଡିଆ । ଭାରତ ପକ୍ଷରୁ ଏକମାତ୍ର ଶିଖର ଧୱନ ଅର୍ଦ୍ଧଶତକ ହାସଲ କରିବା ସହ ୭୬ ରନ କରିଥିଲେ ।