ଚମତ୍କାରୀ ବାବାଙ୍କୁ ନେଇ ବଢିଲା ଚର୍ଚ୍ଚା ! ବାବାଙ୍କ ଦାବି, ପ୍ରବଚନ ଶୁଣିଲେ ଭଲ ହୋଇଯାଏ ଯନ୍ତ୍ରଣା ।

393

କନକ ବ୍ୟୁରୋ : ବାରମ୍ବାର ଭଣ୍ଡ ବାବାଙ୍କ ବଦନାମ କାହାଣୀ ସାମନାକୁ ଆସୁଛି, ହେଲେ ଥମୁନାହିଁ ଅନ୍ଧବିଶ୍ୱାସ । ପୁଣି ବାବା ବେଶରେ ଧୋକାଦାରି ! ଭଗବାନଙ୍କ ସହ ନିଜକୁ ତୁଳନା କରନ୍ତି ଭଣ୍ଡବାବା । ଏ କାହାଣୀ ହେଉଛନ୍ତି ଚମତ୍କାରୀ ବାବା ଭାବେ ପରିଚିତ ଅମରସେନ୍ ନାୟକଙ୍କର । ପ୍ରାୟ ବର୍ଷେ ହେଲା ବାମଡ଼ା ବ୍ଳକ ଅନ୍ତର୍ଗତ ଦଲକିବାହାଲ ଗାଁର ଅମରସେନଙ୍କୁ ନେଇ ଜୋରଦାର ଚର୍ଚ୍ଚା । ନିଜକୁ ସାକ୍ଷାତ ଭଗବାନଙ୍କ ସହ ତୁଳନା କରନ୍ତି, ତାଙ୍କ ପ୍ରବଚନ ଶୁଣିଲେ ଅସାଧ୍ୟ ରୋଗକୁ ଛୁ ମନ୍ତର ହୋଇଯାଏ ବୋଲି ଦାବି କରନ୍ତି ।

ତାଙ୍କ ପ୍ରବଚନ ଶୁଣି ରୋଗ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଧାଇଁ ଆସିଥାନ୍ତି ରାଜ୍ୟ ତଥା ପଡ଼ୋଶୀ ରାଜ୍ୟରୁ ଶହ ଶହ ଲୋକ । ଅନ୍ଧ ଭକ୍ତଙ୍କ ତାଳିମାଡ଼ରେ କମ୍ପି ଉଠେ ତାଙ୍କର ପ୍ରବଚନ ସ୍ଥଳ । ଠକାମୀରେ ପଡିବା ପରେ ବାବାଙ୍କ ଠାରୁ ମୁହଁ ଫେରାଇ ନେଇଛନ୍ତି, କିନ୍ତୁ ବାହାର ଲୋକଙ୍କ ଭିଡ଼ ବଢିବାରେ ଲାଗିଛି । ସୋମବାର ଓ ଶୁକ୍ରବାର ଦିନ ନିକଟସ୍ଥ ରେଳ ଷ୍ଟେସନ ଓ ସ୍ଥାନୀୟ ଅଂଚଳ ଚଳଂଚଳଚ ହୋଇଯାଏ ।

ପ୍ରଥମେ ପାଲା ଗାୟକ, ପରେ କୁକୁଡ଼ା ବ୍ୟବସାୟୀ ତା’ପରେ କିଛି ଦିନ ଧରି ଥିଲେ ଗଡପୋଷ ଫାଣ୍ଡି ଅଧିନରେ ଗ୍ରାମରକ୍ଷୀ । ଏବେ ଦୈବୀ ଶକ୍ତିର ଅଧିକାରୀ ବୋଲି ଦାବି କରନ୍ତି ଅମରସେନ୍ । ଆଉ ପାଲଟି ଯାଇଛନ୍ତି ଚମତ୍କାରୀ ବାବା । ତାଙ୍କ ବେଶଭୂଷା ମଧ୍ୟ ଅଦ୍ଭୁତ । ହାଫ୍ ପ୍ୟାଂଟ-ଟିସାର୍ଟ ସାଙ୍ଗକୁ ବେକରେ ପଡ଼ିଥାଏ ଗୋଟିଏ ଗାମୁଛା । ଶୁଣନ୍ତୁ ଲୋକଙ୍କୁ ଭଣ୍ଡାଇବା ପାଇଁ ପ୍ରବଚନରେ କ’ଣ କହୁଛନ୍ତି ଚମତ୍କାରୀ ବାବା ।

ମାନେ ଆପଣଙ୍କ ସ୍ଥାନରେ ପୁରା ଭଗବାନଙ୍କୁ ଛିଡା କରିଦେବି,

ମୁଁ ଆସିଲି ମାନେ ସେ ମୋ ସହ ଜରୁର ଆସିବେ

ମୁଁ ଏଠି ପ୍ର୍ରେଜଂଟ ମାନେ ସେ ହିଁ ପ୍ରେଜେଂଟ

ଆପଣ ମାନେ ଦେଖି ପାରୁଛନ୍ତି କି?

ନା ପାରିବେ ନାହିଁ

ସେତିକି ଭକ୍ତି ଓ ବିଶ୍ୱାସ ହେଲେ ଦେଖିପାରିବେ

ଆଉ ଗୋଟିଏ କଥା ହେଉଛି ଯେ

ଯାହାର ଦିବ୍ୟ ଚକ୍ଷୁ ଥିବ

ଦିବ୍ୟ ଚକ୍ଷୁ ଯାହାର ଥିବ, ସେ ହିଁ ଦେଖିପାରିବ

ସମସ୍ତେ ଦେଖିପାରିବେ ନାହିଁ

ସେଇଟା ହେଉଛି ଆଜ୍ଞା ଚମକ୍ରାର ।

ବୁଝିିଲେ…

ଲୋକଙ୍କ ଭାବାବେଗକୁ ନେଇ ସାଂଘାତିକ ଖେଳ ଖେଳି ଚାଲିଛନ୍ତି ଚମତ୍କାରୀ ବାବା । ବାବାଙ୍କ ପାଖରେ ଅଧିଆ ପଡି ନିଜ ସମସ୍ୟାର ସମାଧାନ କରିବାକୁ ଆସିଥାନ୍ତି ବିଭିନ୍ନ ବର୍ଗର ଲୋକ । କାଳେ ଠକାମୀ ପଦାରେ ପଡ଼ିଯିବ, ଏହି ଭୟରେ ଅନୁଗତ ଗୁଣ୍ଡାବାହିନୀର ବଳୟ ଭିତରେ ଥାଆନ୍ତି ଅମରସେନ୍ । ଫଟୋ ଓ ଭିଡିଓ ଉତୋଳନ ପାଇଁ ରହିଥାଏ କଟକଣା । କାଳେ କିଏ ଫଟୋ ଉଠାଇ ନେବ, ପ୍ରବଚନ ଆରମ୍ଭ ମାତ୍ରେ ଭକ୍ତମାନଙ୍କୁ ଦେଇଥାନ୍ତି ବିଭିନ୍ନପ୍ରକାର ଚେତାବନୀ ।

ବାବା ଦାବି କରନ୍ତି ସେ ଯେଉଁଠି, ଭଗବାନ ସେଇଠି । ଭଗବାନଙ୍କୁ ତାଙ୍କ ନିକଟରେ ଛିଡ଼ା କରାଯାଇଛି । ତାଙ୍କର ପ୍ରବଚନ ଶୁଣିଲେ ରୋଗ ଭଲ ହୋଇଯିବ, ସବୁ ସମସ୍ୟାର ସମାଧାନ ହୋଇଯିବ । ଏଭଳି ବିଭ୍ରାନ୍ତକର ମନ୍ତବ୍ୟ ଦେଇ ଶହ ଶହ ଲୋକଙ୍କ ଭାବାବେଗ ସହ ଖେଳି ଚାଲିଛନ୍ତି ଚମତ୍କାରୀ ବାବା । ସ୍ଥାନୀୟ ପୋଲିସ ଓ ପ୍ରଶାସନ ସବୁ ଦେଖି ନଦେଖିଲା ଭଳି ଚୁପ ହୋଇ ବସି ରହିଛି ।